ମାଲକାନଗିରି: ଖଇରପୁଟ ଠାରେ ଆର୍ଥିକ ବର୍ଷ ୨୦୧୫-୧୬ ମସିହା ବେଳକୁ ବଣ୍ଡା ଜନଜାତିର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏଠାରେ ଏକ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର (କ୍ଷୁଦ୍ର ଶିଳ୍ପ) ପ୍ରତିଷ୍ଠା କରାଗଲା। ଆରମ୍ଭ ହେବାର କିଛି ବର୍ଷ ବନ୍ଦ ରହିବା ପରେ ଏନେଇ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ପରେ ବଣ୍ଡାଘାଟିର ୫୩ ଜଣ ମହିଳାଙ୍କୁ ଏହି କାଜୁ ପ୍ରକ୍ରିୟାକରଣ କେନ୍ଦ୍ରକୁ ହସ୍ତାନ୍ତର କରାଯାଇ ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଂକାର ଋଣ ପ୍ରଦାନ କରାଯାଇଥିଲା। ମହିଳାମାନେ କାଜୁ ଖରିଦ କରିବା ପରେ ଏଠାରେ କାଜୁ ମଂଜି ବାହାର କରି ଏହାକୁ ବାହାର ରାଜ୍ୟ କିମ୍ବା ବାହାର ଦେଶକୁ ରପ୍ତାନୀ କରିବାର ଯୋଜନା ରହିଥିଲା। ୨୦୧୭ ମସିହାରେ ଏହି କେନ୍ଦ୍ର ଜୋରସୋରରେ ଚାଲିଲା।
ତେବେ କିଛି ବର୍ଷ ଚାଲିବା ପରେ ପୁଣି ବନ୍ଦ ପଡ଼ିଗଲା। ଏବେ ଏହି କେନ୍ଦ୍ରରେ ତାଲା ଝୁଲୁଛି। ଲକ୍ଷାଧିକ ଟଂକାର ମେସିନ ଏବେ ଖତ ଖାଉଛି। ଏହି ମେସନଗୁଡିକ ପୁଣି ଚାଲିବ କି ନାହିଁ ତାହା ସଂଦେହ ସୃଷ୍ଟି କରିଛି। ପ୍ରତିବର୍ଷ ବଣ୍ଡା ଯୁବକ ଯୁବତୀ ଦାଦନ ଖଟିବାକୁ ଆନ୍ଧ୍ର, ତାମିଲନାଡୁ ସହ ବାହାର ରାଜ୍ୟକୁ ଯାଉଥିବାରୁ ଏଠାରେ ଏକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ସେମାନଙ୍କୁ ଏଠାରେ ଥଇଥାନ କରିବାର ଯୋଜନା ସରକାର କରିଥିଲେ। ମାଲକାନଗିରି ଆଇଟିଡିଏ ତରଫରୁ ଏଠାରେ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ଖୋଲାଗଲା। ବଣ୍ଡା ଉନ୍ନୟନ ସଂସ୍ଥାର ଏହାର ଦେଖରେଖ କରିବା ପାଇଁ ନିର୍ଦେଶ ଦିଆଯିବା ସହ ଓଡିଶା ଜୀବିକା ମିଶନ ତରଫରୁ ସ୍ବୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇ କାଜୁ ଖରିଦ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା।
ପ୍ରକାଶ ଥାଉକି ଖଇରପୁଟ ଅଂଚଳ କାଜୁ ଉତ୍ପାଦନରେ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିବ। ଏହି ଅଂଚଳର ଶହ ଶହ କ୍ବିଣ୍ଟାଲ କାଜୁ ପ୍ରତିବର୍ଷ ବାହାର ଜିଲ୍ଲା ସମେତ ରାଜ୍ୟକୁ ଚାଲାଣ ହେଉଥିଲା। ଏହି ଅଂଚଳର ଆଦିବାସୀ ଏହାର ପ୍ରକୃତ ମୂଲ୍ୟ ଜାଣିନପାରି ଅତି ଶସ୍ତାରେ ଏହାକୁ ବିକ୍ରି କରିଦେଉଥିଲେ। ଦଲାଲଙ୍କ ହାବୁଡରେ ପଡ଼ି ଠକାମୀର ଶିକାର ହେଉଥିଲେ। ତେବେ ବଣ୍ଡା ଉନ୍ନୟନ ସଂସ୍ଥା ଓ ଡିଡାୟୀ ଉନ୍ନୟନ ସଂସ୍ଥା ତରଫରୁ କଞ୍ଚା କାଜୁ ଏହି କେନ୍ଦ୍ରକୁ ଯୋଗାଇ ଦିଆଯିବା ସହ ଏହା ଲାଭାଂଶ ଚାଷୀଙ୍କୁ ପ୍ରଦାନ ପରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ପାଇବେ। କେବଳ ୧୦ ପ୍ରତିଶତ ଏହି ପ୍ରକ୍ରିୟାକରଣ କେନ୍ଦ୍ରର ଦେଖରେଖ ପାଇଁ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଦୀର୍ଘବର୍ଷ ଧରି ଏହି କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ବନ୍ଦ ପଡିଥିବାରୁ ପ୍ରଥମତଃ ବଣ୍ଡା ମହିଳାଙ୍କ ରୋଜଗାର ବନ୍ଦ ହେଲା ଏବଂ ୮୦ ଲକ୍ଷ ଟଂକା ବ୍ୟରେ ନିର୍ମିତ ହୋଇଥିବା ଏହି କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ଭୂତକୋଠୀ ପାଲଟିଛି। ପୁନଶ୍ଚ ଏହି କେନ୍ଦ୍ର ଆରମ୍ଭ ହେଲେ ବହୁ ବଣ୍ଡା ଯୁବକଯୁବତୀ ରୋଜଗାର ପାଇବା ସହ ଏହି ଅଂଚଳର କାଜୁ ଚାଷୀ ମଧ୍ୟ ଲାଭବାନ ହେବେ ବୋଲି କୁହାଯାଇଛି।