ଭୋଗରାଇରେ ଚେତନା ବିକାଶ ଶିବିର ଉଦ୍‌ଯାପନ ଉତ୍ସବ : ସ୍ବାଧୀନତା ସଂଗ୍ରାମ ପ୍ରତି ଦୁର୍ଗା ଦାସଙ୍କ ତ୍ୟାଗ ଅନନ୍ୟ

ଭୋଗରାଇ : ମଣିଷ ମନରେ କୃତଜ୍ଞତା ଭାବ ଥିଲେ ଭକ୍ତିଭାବ ଆସେ। ଏହି ଭକ୍ତିଭାବ ପାଇଁ ହିଁ ମଣିଷ ତ୍ୟାଗୀ ହୁଏ। ତ୍ୟାଗୀ ମଣିଷ ସବୁବେଳେ ଭଗବାନଙ୍କ ସହ ସମାନ। ସେହି ତ୍ୟାଗ ପାଇଁ ସମଗ୍ର ବିଶ୍ୱର ନାଗରିକ ଭାବେ ଗାନ୍ଧୀ ବିଶ୍ବର ପ୍ରତିଟି କୋଣ ଅନୁକୋଣରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଖ୍ୟାତ ସାହିତ୍ୟିକ ତଥା ଗାନ୍ଧିବାଦୀ ‌ଚେତନାର ମଣିଷ ଦାଶ ବେନହୁର। ଭୋଗରାଇ ସରସ୍ଵତୀପୁର ରଘୁନାଥ ଏକାଡେମୀ ପରିସରରେ ଦୁର୍ଗାଦାସ ଫାଉଣ୍ଡେସନ ଓ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଭୋଗରାଇ ଶାଖା ଆନୁକୁଲ୍ୟରେ ଗତ ଚାରିଦିନ ଧରି ଆୟୋଜିତ ହୋଇ ଆସୁଥିବା ଚେତନା ବିକାଶ ଶିବିରର ଉଦ୍‌ଯାପନୀ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ବେନହୁର ଏହା କହିଛନ୍ତି।

ଦୁର୍ଗାଦାସ ଫାଉଣ୍ଡେସନର ସଭାପତି ତଥା ପ୍ରାକ୍ତନ ବିଧାୟକ ସୁଶାନ୍ତ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ବେନହୁର ଆହୁରି ମଧ୍ୟ କହିଲେ, ଗାନ୍ଧୀ ସବୁବେଳେ ଦଳିତ ଅବହେଳିତଙ୍କ କଥା କହୁଥିଲେ। ସେଇଥିପାଇଁ ଗାନ୍ଧିଜୀଙ୍କ ଦର୍ଶନ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି। ଗାନ୍ଧୀଜୀଙ୍କ ଏହି ଦର୍ଶନରେ ଉଦ୍‌ବୁଦ୍ଧ ହୋଇ ଭାରତୀୟ ସ୍ବାଧୀନତା ସଂଗ୍ରାମ ପାଇଁ ଦୁର୍ଗାଦାସ ଯେଉଁ ତ୍ୟାଗ ଦେଖାଇଥିଲେ ତାହା ଅନନ୍ୟ। ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ବାଇଁ ଗାନ୍ଧୀ ଦର୍ଶନ ଓ ଦୁର୍ଗାଦାସଙ୍କ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅନନ୍ତ ଦାସ ଦୁର୍ଗାଦାସଙ୍କୁ ସମାଜ ସଂସ୍କାରକ ବୋଲି ଅଭିହିତ କରିଥିଲେ। ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ବର ପାତ୍ର ଦୁର୍ଗାଦାସଙ୍କ ବିଚାରଧାରା ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ବ ଓ ପୂଜ୍ୟପୂଜାର ଏହା ଏକ ଅଂଶ ବୋଲି କହିଥିଲେ। ମଧ୍ୟାହ୍ନ ୧୨ ଟା ସମୟରେ ଏହି ସମାରୋହ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭରେ କବି ଶ୍ରୀକୁମାର ଅତିଥିଙ୍କୁ ମଞ୍ଚ ଆହ୍ବାନ କରିଥିଲେ। ଫାଉଣ୍ଡେସନର ସମ୍ପାଦକ ଗୌତମବୁଦ୍ଧ ଦାସ ସ୍ବାଗତ ଅଭିଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଭାରେ ଡ. ପାତ୍ରଙ୍କ ରଚିତ ପୁସ୍ତକ ‘ଭୂମିପୁତ୍ର ଦୁର୍ଗାଦାସ’ ଓ ‘ଆମ ସମ୍ବିଧାନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଶିବିରାର୍ଥୀ ଓ ଶିବିରକୁ ସଫଳ କରିବାରେ ସହାୟତା କରିଥିବା ଶିକ୍ଷକ, ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ, ଫାଉଣ୍ଡେସନର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ଆଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର