ଛତ୍‌ର ଯାତ୍ରାରେ ପଶୁବଳି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

ସଂପୂର୍ଣ୍ଣ ବନ୍ଦ ପାଇଁ କଡ଼ା ନିର୍ଦ୍ଦେଶ, ସଚେତନତା ସୃଷ୍ଟି କରାଯିବ

କଟକ : ଦଶହରା ସମୟରେ ଭବାନୀପାଟଣାର ମାଣିକେଶ୍ବରୀଙ୍କ ପୀଠରେ ହେଉଥିବା ପ୍ରସିଦ୍ଧ ଛତ୍‌ର ଯାତ୍ରାରେ ପଶୁବଳି ଉପରେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଯାତ୍ରା ଅବସରରେ ରାସ୍ତା ଉପରେ କିମ୍ବା ମନ୍ଦିର ପାର୍ଶ୍ବବର୍ତ୍ତୀ ସ୍ଥାନରେ କୌଣସି ବ୍ୟକ୍ତିଙ୍କୁ କିମ୍ବା ସରକାରଙ୍କୁ ପଶୁ ବା ପକ୍ଷୀଙ୍କୁ ବଳି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି, ଏହି ଉତ୍ସବ ସମୟରେ ପଶୁବଳି ଦେଇ ବିଶୃଙ୍ଖଳା ସୃଷ୍ଟି କରିବାକୁ ଯୋଜନା କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବାକୁ କଳାହାଣ୍ଡି ଏସ୍‌ପିଙ୍କୁ କହିଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ପରିପ୍ରେକ୍ଷୀରେ ଆଗତ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସିଦ୍ଧ ଛତ୍‌ର ଯାତ୍ରାରେ ପଶୁବଳିକୁ ବିରୋଧ କରି କଟକ ମହମ୍ମଦିଆ ବଜାର ଅଞ୍ଚଳର ସମାଜସେବୀ ଜୟନ୍ତୀ ଦାସ ୨୦୧୭ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଛତ୍‌ର ଯାତ୍ରାରେ ପଶୁ ବଳି ରୋକିବା ଦିଗରେ ପ୍ରଶାସନିକ ନିଷ୍କ୍ରିୟତାକୁ ସେ ଚାଲେଞ୍ଜ କରିଥିଲେ। ଏ ପ୍ରସ˚ଗରେ ହସ୍ତକ୍ଷେପ ଲୋଡି ଆବେଦନକାରିଣୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ରାଜ୍ୟ ମୁଖ୍ୟ ଶାସନ ସଚିବ ଆବେଦନକାରିଣୀଙ୍କ ଅଭିଯୋଗ ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ସରକାର ଗ୍ରହଣ କରିନାହାନ୍ତି। ଏଥିସହିତ ଆବେଦନକାରିଣୀ କଳାହାଣ୍ତି ଜିଲ୍ଲା ଓ ପୁଲିସ ପ୍ରଶାସନକୁ ମଧୢ ଛତର ଯାତ୍ରାରେ ପଶୁ ବଳି ରୋକିବା ପାଇଁ ନିବେଦନ କରିଥିଲେ।

ଏହି ମାମଲା ଉପରେ ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ଛତ୍‌ର ଯାତ୍ରା ସମୟରେ ଶୋଭାଯାତ୍ରା ଅଞ୍ଚଳ ସହିତ ମନ୍ଦିର ଭିତରେ ଯଦି ପଶୁବଳି ପାଇଁ କେହି ଏକତ୍ରିତ ହୁଅନ୍ତି ତେବେ ତୁରନ୍ତ ଏହି ଭିଡ଼କୁ ବିକ୍ଷିପ୍ତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଛତ୍‌ର ଯାତ୍ରା ସମୟରେ ପଶୁବଳି ଭଳି ଅନ୍ଧବିଶ୍ବାସକୁ ରୋକିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ। ଏଭଳି ଅନ୍ଧବିଶ୍ବାସ ଠାରୁ ନିବୃତ୍ତ ରହିବା ପାଇଁ ଜନସାଧାରଣଙ୍କୁ ବିଶେଷ କରି ଆଦିବାସୀମାନଙ୍କୁ ସଚେତନ କରାଯିବ। ପଶୁବଳିରୁ ନିବୃତ୍ତ ରହିବା ସହିତ ପଶୁଙ୍କ ପ୍ରତି‌ ସ୍ନେହ ଓ ଦୟା ଭାବ ସୃଷ୍ଟି ପାଇଁ ଲୋକମାନଙ୍କୁ ସଚେତନ କରାଯିବ। ନିକଟସ୍ଥ ସବୁ ଗ୍ରାମ ସହିତ ମାଣିକେଶ୍ବରୀ ମନ୍ଦିର ଆଖପାଖ ଅଞ୍ଚଳରେ ସଚେତନତା ଶିବିର ଆୟୋଜନ କରାଯିବ। ଛତ୍‌ର ଯାତ୍ରାର ଏକ ମାସ ପୂର୍ବରୁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଭଳି ପ୍ରଥା ବନ୍ଦ ହେବା ପର୍ଯ୍ୟନ୍ତ ଏପରି କାର୍ଯ୍ୟକ୍ରମ ଜାରି ରହିବ। ଏଭଳି ସଚେତନତା କାର୍ଯ୍ୟକ୍ରମର ସବିଶେଷ ବିବରଣୀ ରେକର୍ଡ କରି ଭବିଷ୍ୟତ ପାଇଁ ରଖାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୋଭାଯାତ୍ରାର ରେକର୍ଡିଂ ପାଇଁ ସିସି ଟିଭି କ୍ୟାମେରା ବସାଯିବ। ଏଭଳି ମିସନରେ କଳାହାଣ୍ଡି ଜିଲ୍ଲାର ସବୁ ସ୍କୁଲ, କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହଯୋଗ ନିଆଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଅନୁରୋଧ କରି ପଦକ୍ଷେପ ଗ୍ରହଣ କରିବ। କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପି ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସୁନିଶ୍ଚିତ କରିବେ। ଏଥିରେ ଯଦି ଅବହେଳା ହୁଏ , ଏଥିପାଇଁ ସଂପୃକ୍ତ ଅଧିକାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, କଳାହାଣ୍ତି ଜିଲ୍ଲାପାଳ, ଏସ୍‌ପି, କେନ୍ଦ୍ର ଜଙ୍ଗଲ ଓ ପରବେଶ ସଚିବ ଏବ˚ ପର୍ସନାଲ ଟ୍ରେନି˚ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର