ଭବାନୀପାଟଣା : ମା’ ମଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଆସନ୍ତା ଅକ୍ଟୋବର ୨୪ ତାରିଖ ଦିନ ବିନା ଭକ୍ତରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରି ଆଜି ଗୁରୁବାର ମଧ୍ୟରାତ୍ରିରୁ ଆସନ୍ତା ଅକ୍ଟୋବର ୨୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରରେ ୧୪୪ ଧାରା ଜାରି କରାଯାଇଛି । ଛତର ଯାତ୍ରା ପାଇଁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର ୨୪ ତାରିଖ ଦିନ ଅନୁଷ୍ଠିତ ହେବ । କରୋନା କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ଛତର ଯାତ୍ରା ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ଅକ୍ଟୋବର ୨୨ ତାରିଖ ଗୁରୁବାର ମଧ୍ୟରାତ୍ରରୁ ଆସନ୍ତା ଅକ୍ଟୋବର ୨୫ ତାରିଖ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ୧୪୪ ଧାରା ଜାରି ପାଇଁ କଳାହାଣ୍ଡି ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ସହରକୁ ବାହାରୁ ଆସୁଥିବା କେବଳ ରୋଗୀ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ବାରଣ କରାଯାଇଛି । ଭବାନୀପାଟଣା ସହରରେ ମଧ୍ୟ ୪ ଜଣରୁ ଅଧିକ ଏକାଠି ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୁଲିସ ପକ୍ଷରୁ ଭବାନୀପାଟଣା ସହରର ୪୦ଟି ସ୍ଥାନରେ ବ୍ୟାରିକେଡ କରାଯିବ । ସେହିଭଳି କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଏସପି , ଜଣେ ଡିଏସପି, ୧୫ ଜଣ ଇନ୍ସପେକ୍ଟର, ୨୫ ଜଣ ସବ ଇନ୍ସପେକ୍ଟର, ୨୬ ଜଣ ଏଏସଆଇ ଓ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
/sambad/media/post_attachments/wp-content/uploads/2020/10/Chhatar-Jatra-of-Manikeswari-Temple-Kalahandi-300x216.jpg)
ମା’ ମଣିକେଶ୍ୱରୀଙ୍କ ଛତର ରାତି ୩ ଟାରୁ ମନ୍ଦିରରୁ ବାହାରି ଜେନାଖାଲରେ ପହଞ୍ଚିବ । ସେଠାରେ ରୀତିନୀତି ଓ ପୂଜାର୍ଚ୍ଚନା ପରେ ସକାଳ ୬ଟା ରୁ ଜେନାଖଲରୁ ମା’ଙ୍କ ଛତର ଯାତ୍ରା ବାହାରି ମନ୍ଦିରରେ ସକାଳ ୭ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଛତର ସହିତ ରୀତିନୀତି ଓ ପୂଜାର୍ଚ୍ଚନା ପାଇଁ ମନ୍ଦିର ପକ୍ଷରୁ ୨୦ ଜଣ, ଗୋଟିଏ ଘୁମୁରା ଦଳ ଓ ମନ୍ଦିରର ବାଜା ସମେତ ୩୨ ଜଣ ଛତର ଯାତ୍ରାରେ ସାମିଲ ହେବେ । ଭକ୍ତ ମାନଙ୍କୁ ଦର୍ଶନ ପାଇଁ କଟକଣା କରାଯାଇଛି । ତେଣୁ ବିନା ଭକ୍ତରେ ଛତର ଯାତ୍ରା ଅନୁଷ୍ଠିତ ହେବ । ସାମ୍ବାଦିକ ମାନଙ୍କ ପାଇଁ ଜେଲଖାନା ଛକ ନିକଟ ହୋଟେଲ ଭାଗିରଥି , ନୂଆ ବସଷ୍ଟାଣ୍ଡ, ମ୍ୟୁନିସିପାଲଟି ଛକ, ଘୋଡା ଘାଟ ଛକ ଓ ମନ୍ଦିର ଠାରେ ପୃଥକ ପୃଥକ ଭାବରେ ଛତର ଯାତ୍ରାକୁ କଭରେଜ କରିବେ । ଧାର୍ଯ୍ୟ ଥିବା ଛକ ବ୍ୟତୀତ ଅନ୍ୟ ଛକରେ ସାମ୍ବାଦିକମାନଙ୍କୁ ବାରଣ କରାଯାଇଛି।
ପ୍ରଥମ ଥର ପାଇଁ ବିନା ଭକ୍ତରେ ଛତର ଯାତ୍ରା ନେଇ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନିରାଶ ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆରେ ଓ ଟିଭି ମାନଙ୍କରେ ସିଧା ପ୍ରଶାରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଟିଭିରେ ସିଧାପ୍ରସାରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ କେଉଁ ଟିଭିରେ ସିଧା ପ୍ରସାରଣ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିବା ଯୋଗୁଁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ବଳି ପ୍ରଥା ଉପରେ ହାଇକୋର୍ଟର ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ରହିତାଦେଶ ଦେଇଥିବା ବେଳେ ମାନସିକ ଥିବା ଶ୍ରଦ୍ଧାଳୁଙ୍କ ବଳି ଦେବା ନେଇ ଝଟକା ଲାଗିଛି ।