କୋଭିଡ କଟକଣାରେ ଛତର ଯାତ୍ରା ସମ୍ପନ୍ନ, ପ୍ରଥମଥର ପାଇଁ ବିନା ଭକ୍ତରେ ଯାତ୍ରା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା କୋଭିଡ କଟକଣା ଓ ୧୪୪ ଧାରା ଯୋଗୁଁ ବିନା ଭକ୍ତରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଥିଲା। ଏପରିକି ପ୍ରଥମଥର ପାଇଁ ସକାଳ ୬ଟାରେ ମନ୍ଦିରକୁ ଛତର ପହଞ୍ଚିଥିଲା। ସହର ମଧ୍ୟରେ ୧୪୪ ଧାରା ଜାରି ଯୋଗୁଁ ମାନସିକ ଥିବା ଶ୍ରଦ୍ଧାଳୁମାନେ ଭବାନୀପାଟଣା ସହରର ବିଭିନ୍ନ ପଡ଼ାରେ ପଶୁ ପକ୍ଷୀ ବଳି ଦେଇଥିଲେ। ସହର ବାହାରେ ମଧ୍ୟ ଶହ ଶହ ସଂଖ୍ୟାରେ ଭକ୍ତ ବଳି ଦେଇଥିଲେ। ଖାଁ ଖାଁ ପରିବେଶରେ ଛତର ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଥିଲା।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ବିଜୟ ଛତର ଯାତ୍ରା ଶନିବାର ବିନା ଭକ୍ତରେ ତରବରିଆ ଭାବେ ସମ୍ପନ୍ନ ହୋଇଛି। ଶନିବାର ଭୋର୍‌ ୩ଟାରୁ ଭବାନୀପାଟଣା ସହରସ୍ଥିତ ମାଁ ମାଣିକେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଛତର ଜେନାଖାଲ ଅଭିମୁଖେ ବାହାରିଥିଲା। ଜେନାଖାଲଠାରେ ଗୁପ୍ତ ରୀତିନୀତି ଓ ପୂଜାର୍ଚ୍ଚନା ପରେ ସକାଳ ୫ଟା ୧୫ ମିନିଟରୁ ଜେନାଖଲରୁ ମନ୍ଦିର ଅଭିମୁଖେ ଛତର ବିଜୟ ଯାତ୍ରା ଆରମ୍ଭ ହୋଇଥିଲା। ଗୋଟିଏ ଘୁମୁରା ଦଳ ଓ ମନ୍ଦିରର ବାଜା ସହିତ ଛତର ବିଜୟ ଯାତ୍ରା ବାହାରିଥିଲା। ସକାଳ ପ୍ରାୟ ୬ଟାରେ ପ୍ରଥମ ଥର ପାଇଁ ମାଣିକେଶ୍ୱରୀ ମନ୍ଦିରରେ ଛତର ପହଞ୍ଚିଥିଲା। ମନ୍ଦିରକୁ ଛତର ପହଞ୍ଚିବା ପରେ ମହାରାଜା ଅନନ୍ତ ପ୍ରତାପ ଦେଓ ସ୍ୱାଗତ କରି ରୀତିନୀତି ଓ ପୂଜାର୍ଚ୍ଚନା କରି ମନ୍ଦିରକୁ ପାଛୋଟି ନେଇଥିଲେ। ଜେନାଖାଲରୁ ମନ୍ଦିର ଅଭିମୁଖେ ଛତର ଯାତ୍ରା ଯାଇଥିବା ବେଳେ ଘୁମୁରା ବାଦ୍ୟ ଶୁଣି ମାନସିକ କରିଥିବା ଭକ୍ତମାନେ ମାଁଙ୍କ ବିଜୟ ଛତର ଦର୍ଶନ କରିନପାରି ଭବାନୀପାଟଣା ସହରର ବିଭିନ୍ନ ପଡ଼ାରେ ବୋଦା, ଗଡ଼ରା, କୁକୁଡ଼ା ବଳି ଦେବା ସହିତ ପାରା ଉଡ଼ାଇଥିଲେ। ସେହିଭଳି ଭବାନୀପାଟଣା ସହରରେ ୧୪୪ ଧାରା ଜାରି ଯୋଗୁଁ ମାନସିକ କରିଥିବା ଲୋକେ ବଳି ଦେବା ପାଇଁ ସହର ଭିତରକୁ ଆସି ପାରିନଥିଲେ। ଫଳରେ ଭବାନୀପାଟଣା ସହରକୁ ଆସୁଥିବା ପ୍ରବେଶ ପଥ ଋଷିଗାଁ ଛକ, ଦୁଆରଶନି ଛକ, ତାରିଣୀ ମନ୍ଦିର ଛକ, ଭଙ୍ଗାବାରି ଛକ, ଲାଲ ପୁଲିଆ ଛକ, ମେଦିନୀପୁର ଛକ ସମେତ ବିଭିନ୍ନ ସ୍ଥାନରେ ଭକ୍ତମାନେ ବଳି ଦେଇଥିଲେ। ଛତର ଯାତ୍ରା ପାଇଁ  କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ନେତୃତ୍ୱରେ ଜଣେ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୧୪ ଜଣ ଇନ୍ସପେକ୍ଟର, ୧୯ ଜଣ ସବ୍‌ଇନ୍ସପେକ୍ଟର, ୩୨ ଜଣ ଏଏସ୍‌ଆଇ ସମେତ ଶାନ୍ତି ଶୃଙ୍ଖଳା ପାଇଁ ୧୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ସହରର ସମସ୍ତ ୨୦ଟି ୱାର୍ଡରେ ୪୫ଟି ବ୍ୟାରିକେଡ ନିର୍ମାଣ କରି ସହରକୁ ସିଲ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡା. ଗାଭାଳି ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ସମେତ ବରିଷ୍ଠ ଅଧିକାରୀମାନେ ଶାନ୍ତି ଶୃଙ୍ଖଳା ତଦାରଖ ପାଇଁ ଉପସ୍ଥିତଥିଲେ।

ବିନା ଭକ୍ତରେ ଛତର ଯାତ୍ରା ଯୋଗୁଁ ବହୁ ଘୁମୁରା ଦଳ ଓ ସାଂସ୍କୃତିକ ଦଳ ଯୋଗ ଦେଇ ପାରିନଥିବା ଯୋଗୁଁ ନିରାଶ ହୋଇଥିଲେ।

ସମ୍ବନ୍ଧିତ ଖବର