କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ମାଓବାଦୀପ୍ରବଣ ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଈଙ୍କ ପ୍ରସିଦ୍ଧ ଛତର ଯାତ୍ରା କୁମାର ପୂର୍ଣ୍ଣିମା ଅବସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ସଦର ମହକୁମାରୁ ୪୦ କିମି ଦୂରରେ ବଣ ପାହାଡ଼ ମଧ୍ୟରେ ମା’ ସୁନାଦେଈ ପୂଜା ପାଇ ଆସୁଛନ୍ତି। ଯାତ୍ରା ପାଇଁ ପଶୁପକ୍ଷୀଙ୍କ ବଳିରେ ମା’ଙ୍କ ପୀଠ ରକ୍ତରଞ୍ଜିତ ହୋଇଥିଲା। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାରହଜାର ମାନସିକଧାରୀ ଓ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା।

Advertisment

ଦେବୀଙ୍କ କାଳିଶି ସହ ଛତର ମନ୍ଦିରରୁ ବାହାରି ସର୍ବସାଧାରଣଙ୍କୁ ଦର୍ଶନ ଦେଇ ଲିଙ୍ଗଭଟାକୁ ଯାଇଥିଲେ। ସେଠାରେ ପୂଜା ସରିଲା ପରେ ପୁଣି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ସମୟର ବାଟରେ ମାନସିକଧାରୀ ବୋଦା, କୁକୁଡ଼ା ଓ ପାରା ଆଦି ବଳି ଦେଇଥିଲେ। ଅଞ୍ଚଳରେ ବସବାସ କରୁଥିବା ଦୁଇଟି ପଞ୍ଚାୟତର ୫୨ ଗାଁରେ ଅଧିକାଂଶ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକେ ରହନ୍ତି। ସେମାନଙ୍କ ବେଶଭୂଷା ସହ ଏଠିକାର ପରିବେଶ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ। ଏହି ଅଞ୍ଚଳ କିଛି ବର୍ଷ ହେଲା ଲାଲବାହିନୀ କବଜାରେ ଥିବାରୁ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି।