ଧୋକା ଦେଲା ଛତିଶଗଡ଼; ଓଡ଼ିଶାକୁ ବୁଡ଼ାଇବ

ଉଛୁଳୁଛି ଛତିଶଗଡ଼ର ସବୁ ଡ୍ୟାମ୍‌

ଭୁବନେଶ୍ୱର: ଯାହା ଆଶଙ୍କା କରାଯାଉଥିଲା, ତାହା ସତ୍ୟରେ ପରିଣତ ହୋଇଛି। ଉପରମୁଣ୍ଡରେ ଏକାଧିକ ବ୍ୟାରେଜ୍‌, ଡ୍ୟାମ୍‌ ନିର୍ମାଣ କରି ମହାନଦୀ ଜଳକୁ ଆଡ଼ ପକାଇ ରଖିଥିଲା ଛତିଶଗଡ଼। ପରିଣାମ ହେଲା, ଅଣମୌସୁମୀ ଋତୁରେ ମହାନଦୀ ଓ ତାର ଶାଖା ନଦୀ ଶୁଖିଗଲା। କଷ୍ଟ ଭୋଗିଲା ଅଧା ଓଡ଼ିଶା। ଏବେ ଲଘୁଚାପ ଜନିତ ଗୋଟିଏ ବଡ଼ ବର୍ଷା ଛତିଶଗଡ ସ୍ଥିତି ଅସମ୍ଭାଳ କରିଦେଇଛି। ରାଜ୍ୟର ଅଧିକାଂଶ ବ଼ଡ଼ ଡ୍ୟାମ ସ୍ଥିତି ଗମ୍ଭୀର। କର୍ତ୍ତୃପକ୍ଷ ଆଖିବୁଜା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ବିଭିନ୍ନ ଡ୍ୟାମ୍‌ରେ ଗେଟ୍‌ ଖୋଲାଯାଇଛି। ଯାହା ଆକଳନ କରାଯାଉଛି, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପାଖାପାଖି ୫ଲକ୍ଷ ୫୦ ହଜାର କ୍ୟୁସେକ୍‌ ପର୍ଯ୍ୟନ୍ତ ବନ୍ୟା ଜଳ ହୀରାକୁଦ ଆଡକୁ ମାଡି ଆସିବ। ଯଦିଓ ଦିନେ ପରେ ପରିମାଣ କମିବ, ତେବେ ହୀରାକୁଦ ଉପରେ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଚାପ ରହିପାରେ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ମହାନଦୀରେ ବଡ଼ ବନ୍ୟାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ଆଜି କଠୋର ପଦକ୍ଷେପ ନେଇଛନ୍ତି। ହୀରାକୁଦ ଗେଟ୍‌ ନିୟନ୍ତ୍ରଣ କରି ସ୍ଥିତିକୁ ସମ୍ଭାଳିବା ପାଇଁ ଯୋଜନା ହୋଇଛି। ହୀରାକୁଦରେ ସର୍ବାଧିକ ଜଳ ପହଞ୍ଚିବା ପୂର୍ବରୁ ପାଣିସ୍ତର ୬୨୦ ଫୁଟକୁ କମାଇବା ପାଇଁ ସ୍ଥିର ହୋଇଛି। ତେବେ ଆକଳନ କରାଯାଉଛି, ୨୫ଟି ଗେଟ୍‌ ଆସନ୍ତା ଦୁଇରୁ ତିନି ଦିନ ଖୋଲା ରହିଲେ ବି ମହାନଦୀର ଜଳସ୍ତର ୬୨୫ ଫୁଟ୍‌ ପର୍ଯ୍ୟନ୍ତ ପହଞ୍ଚିଯାଇପାରେ।
ଛତିଶଗ଼ଡ଼ର ପ୍ରାୟ ସମସ୍ତ ଡ୍ୟାମ୍‌ରେ ଏବେ ପାଣି ଭର୍ତି ହୋଇ ଉଚ୍ଛୁଳୁଛି। ନିଜକୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଏଗୁଡ଼ିକୁ ଆଖିବୁଜା ଖୋଲିବା ଆରମ୍ଭ କରିଦେଇଛନ୍ତି। ସେଠାର ଜଳସଂପଦ ବିଭାଗର ତଥ୍ୟ ସୂଚାଉଛି, କର୍ତୃପକ୍ଷ ରବି ଶଙ୍କର ଡ୍ୟାମ୍‌ରୁ ସେକେଣ୍ଡ ପ୍ରତି ୧ଲକ୍ଷ ୪୦ ହଜାର କ୍ୟୁସେକ୍‌ ଜଳ ଛାଡିଛନ୍ତି। ସେହିଭଳି ସୀକାସାର ଓ ସୋନ୍ଦୁରରୁ ୬୦ ହଜାର କ୍ୟୁସେକ୍‌ ଲେଖାଏଁ ଜଳ ଛଡାଯାଇଛି। ସ୍ଥିତି କିନ୍ତୁ ତଥାପି ଗମ୍ଭୀର ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆଜି ରାତି ୮ଟା ବେଳେ ସିଓରି ନାରାୟଣ ପୋଲ ଉପରେ ସେକେଣ୍ଡ ପ୍ରତି ୪ଲକ୍ଷ ୨୫ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି। ସଂପୃକ୍ତ ପୋଲ ବୁଡି ଉପରେ ପାଣି ଚାଲିଛି।

ଡ୍ୟାମ୍‌ ପୂର୍ଣ୍ଣ କରି ରଖିଥିଲେ, ଓଡ଼ିଶା ସତର୍କ କରିଥିଲା
ବର୍ଷା ସ୍ଥିତି ସମ୍ଭାଳି ନପାରି ଗେଟ୍‌ ଖୋଲିଦେଲେ

ମିଳିଥିବା ରିପୋପର୍ଟ ଅନୁସାରେ ମହାନଦୀରେ ପଡିଥିବା ରବିଶଙ୍କର ସାଗର ଡ୍ୟାମରେ ୯୭.୫୩% ପାଣି ମହଜୁଦ ରହିଛି। ତନ୍ଦୁଲା ଡ୍ୟାମ୍‌ରେ ଏହାର ପରିମାଣ ୯୯.୦୯%, ଦୁଧଓ୍ଵାରେ ୧୦୦% ଓ ସୀକାସାରରେ ୯୪.୩୨% ଜଳଭଣ୍ଡାର ପୂର୍ଣ୍ଣ ରହିଛି। ଏହାବ୍ୟତୀତ ସବୁ ଛୋଟ ଜଳସେଚନ ପ୍ରକଳ୍ପରେ ମଧ୍ୟ ପାଣି ଭର୍ତି ହୋଇ ରହିଛି। ଆଜି ବର୍ଷା କମିଥିଲେ ହେଁ, ବିଭିନ୍ନ ଅଞ୍ଚଳରୁ ଜଳ ପହଞ୍ଚିବା ପରେ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ ବୋଲି ଅନୁମାନ କରାଯାଉଛି। ସବୁଠାରୁ ବଡ଼ କଥା ହେଉଛି, ଆସନ୍ତା ୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେଉଛି। ଏହାର ପ୍ରଭାବ ଉତ୍ତର ଓ ପଶ୍ଚିମ ଓଡ଼ିଶା ଉପରେ ଅଧିକ ରହିପାରେ। ଏଣୁ ଉଭୟ ଛତିଶଗଡ ଓ ଓଡ଼ିଶା ବେଶୀ ବିପଦ ମୁଣ୍ଡାଇବାକୁ ଚାହିଁବେ ନାହିଁ। ଏଭଳି ପରିସ୍ଥିତିରେ ଉଭୟ ଅଧିକ ଜଳ ନିଷ୍କାସନ କରିପାରନ୍ତି।

ଉଲ୍ଲେଖଯୋଗ୍ୟ, ଚାରି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଛତିଶଗଡକୁ ସତର୍କ କରାଯାଇଥିଲା। ସବୁ ଡ୍ୟାମ୍‌ର ବେକେ ଯାଏ, ଅର୍ଥାତ୍‌ ହାରାହାରି ୯୭% ପାଣି ଭର୍ତ୍ତି କରି ରଖିଥିବା ଜାଣି ଓଡ଼ିଶା ଆପତ୍ତି ଉଠାଇଥିଲା। ଏହା ସତ୍ତ୍ୱେ ମଧ୍ୟ କର୍ତୃପକ୍ଷ ଚେତିଲେ ନାହିଁ। ଆଉ ଏବେ ଲଘୁଚାପ ଜନିତ ଗୋଟିଏ ବର୍ଷା ସ୍ଥିତି ଓଡ଼ିଶାର ଭୟକୁ ବାସ୍ତର ରୂପ ଦେଇଛି। ଯଦି ଆକଳନଠାରୁ ଅଧିକ ପାଣି ଛତିଶଗ଼ଡ ଛାଡେ, ତେବେ ମହାନଦୀରେ ବଡ଼ ବନ୍ୟା ହେବା ଆଶଙ୍କାକୁ ଏ଼ଡାଇ ଦେଇ ହେବନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ଛତିଶଗ଼ଡ ସରକାରଙ୍କ ଏଭଳି ଖେଳ ଏବେ ରାଜ୍ୟ ସରକାରଙ୍କ ମୁଣ୍ଡ ଗୋଳମାଳ କରିଦେଲାଣି। ଡ୍ୟାମ୍‌ ପରିଚାଳନାରେ ତ୍ରୁଟି କାରଣରୁ କେରଳ ଏବେ ଏକ ଭୟଙ୍କର ବିପର୍ଯ୍ୟୟ ସାମ୍ନା କଲା। ସମଗ୍ର ରାଜ୍ୟର ୧୧ଜିଲ୍ଲା ପାଣି ଘେରକୁ ଚାଲିଗଲା। ଏବେ ଓଡ଼ିଶା କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ରାଜ୍ୟ ସରକାର ଭୟଭୀତ ହୋଇପଡିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଛତିଶଗଡ ସରକାର ଏକାଧିକ ଡ୍ୟାମ୍‌ ନିର୍ମାଣ କରିଚାଲିଥିଲେ ହେଁ, ଏଯାଏ ଡ୍ୟାମ୍‌ ପରିଚାଳନା ନିୟମ , ରୁଲ୍‌ସ୍‌ କର୍ଭ ସଂପର୍କରେ ଠୋସ୍‌ ତଥ୍ୟ ଦେଇନାହାନ୍ତି। କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟ ମଧ୍ୟ ଏ ନେଇ ତାଗିଦ୍‌ କରିନାହାନ୍ତି। ଏଣୁ ରାଜ୍ୟ ସରକାର ଏ ସଂପର୍କରେ କେନ୍ଦ୍ର ନିକଟରେ ଆପତ୍ତି କରିବେ ବୋଲି ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର