ରାୟଗଡ଼: ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମୁଖା ଖୋଲିଛି ଛତିଶଗଡ଼ ପୁଲିସ। ଅନୁପ ସାଏ  ପରକୀୟା ପ୍ରୀତିରେ ଲିପ୍ତ ହେବା ତା’ପରେ ଉକ୍ତ ମହିଳା ଓ ତାଙ୍କ ଝିଅକୁ ଛତିଶଗଡ଼ ନେଇ ହତ୍ୟା କରିଥିବା ପ୍ରମାଣ ସହ ଉପସ୍ଥାପନ କରିଛି ପୁଲିସ। ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପଚରାଉଚରା ସମୟରେ ଅନୁପ ତାଙ୍କର  ଦୋଷ ସ୍ବୀକାର କରିଛନ୍ତି। ଯଦିଓ କାଲି ଠାରୁ ଏହି ହତ୍ୟାକାଣ୍ଡରେ  ତାଙ୍କର ସଂପୃକ୍ତି ସ୍ପଷ୍ଟ ହୋଇଥିଲା, କିନ୍ତୁ କିଭଳି ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଥିଲା ଓ ଅନୁପ ସାଏ ଏଥିରେ କିପରି ଭୂମିକା ନିଭାଇ ଥିଲେ ତାହା ଜଣାପଡ଼ିନଥିଲା। ଆଜି ଛତିଶଗଡ଼ ପୁଲିସ ପୂରା ଘଟଣା ଉପରୁ ପରଦା ହଟାଇଛି।

Advertisment

ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ନେଇ ଛତିଶଗଡ଼ ରାୟଗଡ଼ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମା’ ଓ ଝିଅ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ୨୦୧୬ ମେ ୭ରେ ମା’ କଳ୍ପନା ଦାସ ଓ ଝିଅ ବବଲିଙ୍କର ମୃତଦେହ ମିଳିଥିଲା। ଅନୁପଙ୍କ ଡ୍ରାଇଭର୍ ବର୍ମନ୍ ଟପୋ ଲୁହାଛଡ଼ରେ ୨ ଜଣଙ୍କୁ ହତ୍ୟା କରିଥିଲା ଏବଂ ଏହାକୁ ଦୁର୍ଘଟଣା ରୂପ ଦେବା ଲାଗି ଅନୁପ ନିଜେ ଦୁଇ ମୃତଦେହ ଉପରେ  ବୋଲେରୋ ଚଢ଼ାଇ ଦେଇଥିଲେ।

୨୦୦୫ ମସିହାରେ ମୃତ କଳ୍ପନାଙ୍କୁ ତାଙ୍କ ସ୍ୱାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିଲେ । ଏହାପରେ କଳ୍ପନାଙ୍କ ସମ୍ପର୍କରେ ଆସିଥିଲେ ଅନୁପ ସାଏ । ୨୦୧୧  ମସିହାରୁ ଭୁବନେଶ୍ୱରର ସୁନ୍ଦରପଦାରେ ଅନୁପ ସାଏଙ୍କର ଏକ ଫ୍ଲାଟରେ ରହୁଥିଲେ କଳ୍ପନା । ସେ ଦୁହେଁ ପ୍ରାୟ ଲିଭ୍ ଇନରେ ରହୁଥିଲେ। ଖାଲି ସେତିକି ନୁହେଁ, ଦୁହେଁ ସାଙ୍ଗ ହୋଇ ବିଶାଖାପଟନମ୍, ହାଇଦ୍ରାବାଦ, ଦିଲ୍ଲୀ ଏବଂ ଗୋଆ ଆଦି ସ୍ଥାନକୁ ବୁଲିବାକୁ ଯାଇଥିଲେ। କିନ୍ତୁ ସମୟ ସମୟରେ ବିବାହ ପାଇଁ ଅନୁପଙ୍କ ଉପରେ କଳ୍ପନା ଚାପ ପକାଇଥିଲେ। ଖାଲି ସେତିକି ନୁହେଁ ଅନୁପ ସାଏ ତାଙ୍କର କେତେକ ସଂପତ୍ତି ତାଙ୍କ ନାଆଁରେ କରନ୍ତୁ ବୋଲି ବି ଦାବି କରୁଥିଲେ କଳ୍ପନା ।

publive-image

ଏହାପରେ ଅନୁପ ସାଏ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ହତ୍ୟା କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ। ତାହା ଅନୁଯାୟୀ, ରାୟଗଡ଼ରେ ବାହା ହେବାର ମିଛ ବାହାନା ଦେଖାଇ ହମୀରପୁରରେ ଥିବା ନିଜର ଜନୈକ ସଂପର୍କୀୟଙ୍କ ଘରକୁ ଯିବାକୁ କହି ନିକାଞ୍ଚନ ସ୍ଥାନକୁ ନେଇ ଯାଇଥିଲେ ।  ସେ ହମୀରପୁର ନିକଟରେ ଥିବା ଏକ ଜଙ୍ଗଲରେ କଳ୍ପନା ଦାସ ଓ ଝିଅ ବବଲିଙ୍କୁ ଲୁହାରଡରେ ପିଟି ହତ୍ୟା କରିଥିଲେ। ମୃତଦେହ ଜବତ ହେବା ପରେ ପରିଚୟ ନ ପାଇ  ଛତିଶଗଡ଼ ପୁଲିସ୍ ମୃତ କଳ୍ପନା ଓ ଝିଅ ବବଲିଙ୍କର ଫଟୋ ବିଭିନ୍ନ ପୁଲିସ୍ ଥାନାରେ ମାରିଥିଲା। କଳ୍ପନାଙ୍କର ଜଣେ ସଂପର୍କୀୟ ଭାଇ କନେଷ୍ଟବଳ ସରୋଜ ଦାସ ପ୍ରଥମେ ଫଟୋରୁ କଳ୍ପନା ଦାସଙ୍କୁ ଚିହ୍ନଟ କରିଥିଲେ। ଏହାପରେ ପୁଲିସ ତଦନ୍ତ ଜୋରଦାର ହୋଇଥିଲା। ଅନୁପ ସାଏ ସନ୍ଦେହ ଘେରକୁ ଆସିଥିଲେ। ମୃତକଙ୍କ ଫୋନ ନମ୍ବର ପାଇବା ପ‌ରେ କଲ୍ ରେକର୍ଡରୁ ଅନୁପଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା।

ହତ୍ୟାକାଣ୍ଡ ଦିନ ଭୁବନେଶ୍ବରରୁ ରାୟଗଡ଼ ଯିବା ସମୟରେ କଳ୍ପନା ଓ ଅନୁପଙ୍କୁ ଢାବା କର୍ମଚାରୀ ଦେଖିଥିଲେ । ମହିଳାଙ୍କ ନିଖୋଜ ନେଇ ଅନୁପ ସାଏ କୌଣସି ଏତଲା ଦେଇ ନ ଥିଲେ । ୨୦୧୧ରୁ ୨୦୧୬ ରେ ସାଙ୍ଗରେ ରହୁଥିଲେ ବି ଅନୁପ ଏ ନେଇ ଏତଲା ନଦେବା ପୁଲିସର ସନ୍ଦେହ ବଢ଼ାଇଥିଲା। ଏହାପରେ ବହୁଥର ଅନୁପଙ୍କୁ ଛତିଶଗଡ଼ ପୁଲିସ୍ ପକ୍ଷରୁ ନୋଟିସ୍‌ ହୋଇଥିଲା, ମାତ୍ର ସେ ସହଯୋଗ କରି ନ ଥିଲେ। କେବଳ ‘ପ୍ରମାଣ କ’ଣ’ ବୋଲି ଓଲଟା ପୁଲିସକୁ କହିଆସୁଥିଲେ ଅନୁପ। ଏହି ଘଟଣାରେ ଛଅଟି ରାଜ୍ୟର ପୁଲିସ୍ ସହ ଯୋଗାଯୋଗ କରିଥିଲା ଏବଂ ପ୍ରାୟ ୭୦୦ ଲୋକଙ୍କୁ ପଚରାଉଚରା କରିଥିଲା ଛତିଶଗଡ଼ ପୁଲିସ୍।

publive-image
ଛତିଶଗଡ଼ ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ ସିଂହଙ୍କ ସୂଚନା ଅନୁଯାୟୀ ଅନୁପ ସାଏଙ୍କ ନାର୍କୋଟେଷ୍ଟ କରାଯିବ। ତା’ଛଡ଼ା ଘଟଣାସ୍ଥଳରୁ ସଂଗ୍ରହ କରାଯାଇଥିବା ଫିଙ୍ଗରପ୍ରିଣ୍ଟ୍ ବି ମେଳ କରାଯିବ ଏବଂ ଅନୁପଙ୍କ ଡିଏନଏ ଟେଷ୍ଟ୍ ମଧ୍ୟ ହେବ। ଡ୍ରାଇଭରକୁ ଧରିବାଲାଗି ପୁଲିସ୍ ଉଦ୍ୟମ କରୁଥିବା ସେ କହିଛନ୍ତି। ଏହି ହତ୍ୟାକାଣ୍ଡରେ ଅନ୍ୟମାନଙ୍କ ସଂପୃକ୍ତ ଥିବା ସନ୍ଦେହ ପ୍ରକାଶ କରିଛନ୍ତି ରାୟଗଡ଼ର ଆରକ୍ଷୀ ଅଧୀକ୍ଷକ ।