ତାଳଦଣ୍ଡା କେନାଲ ଉଭୟ ପାର୍ଶ୍ବ ସଂପ୍ରସାରଣ ଯୋଜନା : ଉଠିଯିବ ଛତ୍ରବଜାର

ଉଠିବେ ୭ ଶହ ବ୍ୟବସାୟୀ, ୬ ବସ୍ତିର ୧୩ ଶହ ପରିବାର

କଟକ : ଛତ୍ରବଜାରରେ ଥିବା ସର୍ବବୃହତ ପରିବା ବଜାର ଆଉ ପୂର୍ବ ଭଳି ସେଠାରେ ରହିବ ନାହିଁ। ତାଳଦଣ୍ଡା କେନାଲ ରାସ୍ତାର ଦ୍ବିତୀୟ ପର୍ଯ୍ୟାୟ ସଂପ୍ରସାରଣରେ ଛତ୍ରବଜାର ପରିବା ବଜାର ସହିତ ୬ଟି ବସ୍ତି ଉଚ୍ଛେଦ ହେବ। ଛତ୍ରବଜାରକୁ ସହରର ଅନ୍ୟ କେଉଁ ସ୍ଥାନକୁ ସ୍ଥାନାନ୍ତର କରାଯିବ ତାହାକୁ ନେଇ ପ୍ରଶାସନ ପକ୍ଷରୁ ଏଯାଏ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସେପଟେ ମାଲଗୋଦାମ ନିକଟରେ ଛାତ୍ରବଜାରକୁ ରଖିବା ପାଇଁ ଛତ୍ରବଜାର ବ୍ୟବସାୟ ସଂଘ ପକ୍ଷରୁ ପ୍ରଶାସନ ନିକଟରେ ଦାବି କରାଯାଇଛି। ୮ବର୍ଷ ତଳେ ତାଳଦଣ୍ଡା କେନାଳ ଉପରେ ଖୁଚୁରା ପରିବା ବେପାରିଙ୍କୁ ବସାଇବାକୁ ହୋଇଥିବା ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ଛତ୍ରବଜାର ବ୍ୟବସାୟୀ ସଂଘ ତରଫରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି।

ଏସସିବି ମେଡିକାଲ ସଂପ୍ରସାରଣ ସହିତ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ତାଳଦଣ୍ଡା କେନାଲ ରାସ୍ତାର ସଂପ୍ରସାରଣ କାମ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ତାଳଦଣ୍ଡା କେନାଲର ଯୋବ୍ରା ବ୍ୟାରେଜରୁ ରାଣୀହାଟ ‌‌ପୋଲ ରାସ୍ତାକୁ ଚଉଡା କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ରାଣୀହାଟ ପୋଲରୁ ମାତୃଭବନ ପର୍ଯ୍ୟନ୍ତ କେନାଲ ପାର୍ଶ୍ବ ରାସ୍ତା ସଂପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିରେ ଛତ୍ରବଜାର ପରିବା ବଜାର ସହିତ କେନାଲ ବନ୍ଧରେ ଥିବା ୬ଟି ବସ୍ତି ତଥା ପିଲିଗ୍ରିମ ରୋଡ ଦାସସାହି, ଛତ୍ରବଜାର ବେହେରାସାହି, ମାଲଗୋଦାମ ତେଲଗୁସାହି, ମାଲଗୋଦାମ ବେହେରାସାହି, ମାଲଗୋଦାମ ନୂଆସାହି ଓ ନୂଆ ନିମସାହି ବସ୍ତିକୁ ଉଠାଯିବ। ଛାତ୍ରବଜାରରେ ୭ଶହରୁ ଅଧିକ ବ୍ୟବସାୟୀଙ୍କ ସହିତ ୬ଟି ବସ୍ତିର ୧୨ଶହରୁ ଅଧିକ ପରିବାରକୁ କେନାଲ କଡ଼ରୁ ଉଚ୍ଛେଦ କରାଯିବ। ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ଜଗତପୁରର ଅନ୍ଧାରୀ ଓ ନୂଆସାହି ଅଞ୍ଚଳକୁ ଯୋଜନା ମଧ୍ୟରେ ରଖାଯାଇଛି। ମାତ୍ର ଏହାକୁ ବସ୍ତି ବାସିନ୍ଦା ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ସେମାନଙ୍କୁ ସହର‌ ମଧ୍ୟରେ ଥିବା ସରକାରୀ ଜମିରେ ଥଇଥାନ କରିବାକୁ ଦାବି କରିଛନ୍ତି।

ସେପଟେ ଛତ୍ରବଜାର ବ୍ୟବସାୟୀଙ୍କୁ କେଉଁ ସ୍ଥାନକୁ ସ୍ଥାନାନ୍ତର କରାଯିବ ତାହା ପ୍ରଶାସନ ସ୍ଥିର କରିନାହିଁ। ତେବେ ଲୋକଙ୍କ ସୁବିଧା ପାଇଁ ମାଲଗୋଦାମ ନିକଟରେ ଛତ୍ରବଜାରକୁ ରଖିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ହୋଇଛି। ତାଳଦଣ୍ଡା କେନାଲ ଉପରେ ବ୍ରିଜ୍‌ କରି ତା ଉପରେ ଖୁଚୁରା ପରିବା ବ୍ୟବସାୟୀଙ୍କୁ ବସାଇବାକୁ ସଂଘ ପକ୍ଷରୁ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି। ୮ବର୍ଷ ପୂର୍ବେ ଏପରି ଏକ ଯୋଜନା କରାଯାଇଥିଲା। ଯାହାର ଭିତ୍ତିପ୍ରସ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସ୍ଥାପନ କରାଯାଇଛି। ଛତ୍ରବଜାର ପରିବା ମାର୍କେଟକୁ ମାଲଗୋଦାମ ନିକଟରେ ରଖାଯାଉ। ରାସ୍ତା ନିର୍ମାଣ ପରେ ବ୍ୟବସାୟୀଙ୍କ ପାଇଁ କେତେ ସ୍ଥାନ ରହିବ ତାହା ଜଣାପଡୁନାହିଁ। ତାଳଦଣ୍ଡା କେନାଲ ଉପରେ ବ୍ରିଜ ଭଳି ବଡ ବଡ ସ୍ଲାବ୍‌ କରି ଖୁଚୁରା ବ୍ୟବସାୟୀଙ୍କୁ ବସାଇବାକୁ ୮ବର୍ଷ ପୂର୍ବେ ଯୋଜନା ହେଇଥିଲା। ଏବେ ପ୍ରଶାସନ ‌ଉକ୍ତ ଯୋଜନା ପ୍ରତି ଧ୍ୟାନ ଦେବାକୁ ଛତ୍ରବଜାର ବ୍ୟବସାୟୀ ସଂଘର ସଭାପତି ଦେବେନ୍ଦ୍ର ନାଥ ସାହୁ କହିଛନ୍ତି। ଛାତ୍ରବଜାର ପରିବା ମାର୍କେଟର ସ୍ଥାନାନ୍ତର ପାଇଁ କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ଚୟନ କରାଯାଇ ନାହିଁ। ଯେଉଁ ଅଞ୍ଚଳରେ ଗମନାଗମନ ସହିତ ଅନ୍ୟାନ୍ୟ ସୁବିଧା ଥିବ ସେପରି ସ୍ଥାନ ଦେଖାଯାଉଛି ବୋଲି ସିଏମସି କମିସନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର