କଟକ : ଦୁଇ ଜଣଙ୍କ ଜୀବନ ଚାଲିଗଲା। ଜଣେ ଗୁରୁତର ଆହତ ହେଲେ। ମୁଖ୍ୟମନ୍ତ୍ରୀ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଲେ। ହେଲେ ଘଟଣାର ୨୪ ଘଣ୍ଟା ପରେ ବି କେବଳ ରିପୋର୍ଟ ତଲବରେ ଅଟକିଛି କାର୍ଯ୍ୟାନୁଷ୍ଠାନ। ଛତ୍ରବଜାର ପୋଲ ପାଚେରି ଭୁଶୁଡିବା ଘଟଣାରେ ପ୍ରଶାସନର ଏଭଳି ଶିଥିଳ ପଦକ୍ଷେପକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସେଠାରେ କାମ ଚାଲିଥିବା ବେଳେ ଆବଶ୍ୟକ ସୁରକ୍ଷା ପଦକ୍ଷେପ ନିଆଯାଇଥିଲା କି? ସବୁକିଛି ସ୍ପଷ୍ଟ ଧରାପଡ଼ି ଯାଉଥିଲେ ବି ପ୍ରଶାସନ କାହାକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି ବୋଲି ଏବେ ପ୍ରଶ୍ନବାଚୀ ଉଙ୍କି ମାରିଛି।

Advertisment

ତଥ୍ୟ ଅନୁଯାୟୀ ଛତ୍ରବଜାର ବ୍ରିଟିସ୍ ଅମଳର ପୋଲକୁ ଲାଗି ଆଉ ଏକ ବକ୍ସ କଲଭର୍ଟ ନିର୍ମାଣ ଦାୟିତ୍ବ ନେଇଥିଲା ଭୁବନେଶ୍ବରର ଶିବଜ୍ୟୋତି କନଷ୍ଟ୍ରକ୍ସନ କମ୍ପାନି। ଗତକାଲି ରାତିର ଦୁର୍ଘଟଣାକୁ ନେଇ ଆରଡିସି ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ କେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଏ ପ୍ରସଙ୍ଗରେ କଟକ ଜିଲ୍ଲାପାଳଙ୍କୁ ଏକ ପ୍ରାଥମିକ ରିପୋର୍ଟ ଦେବାକୁ କହିଛନ୍ତି। ସମାନ୍ତରାଳ ଭାବେ ଜିଲ୍ଲାପାଳ ଆରଆଣ୍ଡବି ନିକଟରୁ ଏକ ଟେକନିକାଲ୍ ରିପୋର୍ଟ ମାଗିଛନ୍ତି। ଘଟଣା ଘଟିବାର ୨୪ ଘଣ୍ଟା ଭିତରେ ପରସ୍ପର ଭିତରେ କେବଳ ରିପୋର୍ଟ ତଲବ‌ରେ ଅଟକିଛି କାର୍ଯ୍ୟାନୁଷ୍ଠାନ। ଏହାରି ଭିତରେ କନଷ୍ଟ୍ରକ୍ସନ କମ୍ପାନି ମାଲିକ ଅଭୟ କୁମାର ସାହୁ ଫେରାର ହୋଇଯାଇଥିବା କୁହାଯାଉଛି। ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁ ନଥିବା ବେଳେ ପୋଲ ପାଚେରି ଭୁଶୁଡ଼ିବା ଘଟଣାରେ ଭାରିଯାନ ଚଳାଚଳକୁ ଦୋଷ ଦେଇ ଜିଲ୍ଲାପାଳ ଖସିଯାଇଛନ୍ତି।

କେନ୍ଦ୍ରାଞ୍ଚଳ ଆରଡିସି ଦାୟିତ୍ବରେ ଥିବା ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି ଯେ କଟକ ଜିଲ୍ଲାପାଳଙ୍କ ସହିତ ଏକ ସମ୍ପର୍କରେ ଆଲୋଚନା କରାଯାଇଛି। ପ୍ରାଥମିକ ରିପୋର୍ଟ ଜିଲ୍ଲାପାଳଙ୍କୁ ମଗାଯାଇଛି। ରିପୋର୍ଟ ଆସିଲେ ଏହାର ତଦନ୍ତ କରାଯିବ। ତଦନ୍ତରେ ଏହା ଏକ ଦୁର୍ଘଟଣା ନା ଅବହେଳା, ଏଥିପାଇଁ ଦାୟୀ କିଏ, ଏଭଳି ଅଘଟଣ ଯେଭଳି ନଘଟେ ସେଥିପ୍ରତି କି ପ୍ରକାର ପ୍ରତିକାର ନିଆଯାଇପାରିବ, ସେ ଦିଗରେ ଦୃଷ୍ଟି ଦିଆଯିବ।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ବ୍ରିଜ ନିକଟରେ ଏକ ବେଆଇନ କୋଠା ଥିଲା। ପୁରୁଣା ବ୍ରିଜରେ ଯାନବାହାନ ଚଳାଚଳ ଦ୍ବାରା ଭାଇବ୍ରେସନ୍ ଯୋଗୁଁ କୋଠା ସହିତ କୋଠା ଉପରେ ଥିବା ଏକ ପାଣି ଟାଙ୍କି ଭୁଶୁଡ଼ି ପଡ଼ିଛି। ଆରଆଣ୍ଡବିକୁ ଏକ ଟେକନିକାଲ୍ ରିପୋର୍ଟ ମଗାଯାଇଛି। ଆମେ ଆରଡିସିଙ୍କୁ ବି ଦିନେ ଦୁଇ ଦିନ ଭିତରେ ରିପୋର୍ଟ ଦେବୁ। ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଇଥିବା ଶ୍ରୀ ଚୟନୀ କହିଛନ୍ତି।