ନୂଆପଡ଼ା: ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନ କଲେ, କିନ୍ତୁ ଓଡ଼ିଆ କହିପାରିଲେ ନାହିଁ। ଯିଏ ଓଡ଼ିଆ କହିପାରିଲେନି କି ଶିଖିପାରିଲେନି ସେ କ’ଣ ଓଡ଼ିଶାବାସୀଙ୍କ କଥା ବୁଝିବେ? ଶେଷ ନିଃଶ୍ୱାସ ଥିବା ଯାଏଁ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଜେଡି ପାଇଁ କାର୍ଯ୍ୟ କଲେ, ଅଥଚ ନିଜ ଦଳର ସହଯୋଗୀଙ୍କ ସୁଖଦୁଃଖର ସାଥୀ ହୋଇପାରିଲେ ନାହିଁ ନବୀନ ପଟ୍ଟନାୟକ। ଏପରିକି ସ୍ୱର୍ଗତ ଢୋଲକିଆଙ୍କ ଶେଷ ସମୟରେ ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ମଧ୍ୟ ଚିନ୍ତା କଲେ ନାହିଁ। ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କହିଛନ୍ତି।

Advertisment

ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବାକୁ ଆସି ଗୁରୁବାର ନୂଆପଡ଼ା ବ୍ଲକ୍‌ ପଞ୍ଚମପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ସାଏ କହିଥିଲେ ଯେ କଂଗ୍ରେସ ପରିବାରବାଦକୁ ଛାଡ଼ି ପାରିନି। ୫୦ ବର୍ଷର ନିଜ ଶାସନ ସମୟରେ କଂଗ୍ରେସ ଦଳ ଓଡ଼ିଶାକୁ ଅବହେଳା କରିବା ସହିତ ଲୁଟିଛି। ଉଭୟ ବିଜେଡି ଓ କଂଗ୍ରେସ ପାରିବାରିକ ଦଳ। କେବଳ ଭୋଟ ପାଇଁ ଏହି ଦୁଇଦଳ ଓଡ଼ିଶାବାସୀଙ୍କୁ ବ୍ୟବହାର କରିଛନ୍ତି। ବର୍ତ୍ତମାନ ବିଜେଡି ଓ କଂଗ୍ରେସ ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇସାରିଛନ୍ତି।

ବିଜେପିର ଅନ୍ୟ ନାମ ବିକାଶ। ବିଜେପିରେ ଲୋକତନ୍ତ୍ର, ନୀତି, ସିଦ୍ଧାନ୍ତ, ବିଚାରଧାରା ରହିଛି। ସାମାନ୍ୟ ଓ ଗରିବ ପରିବାରରୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ଶାସନକୁ ଆସିବା ପରେ ଶୌଚାଳୟ, ପକ୍କାଘର, ମାଗଣା ରାସନ, ବିଜୁଳି ଭଳି ମୈାଳିକ ସମସ୍ୟାର ସମାଧାନ କରିପାରିଛନ୍ତି। ଆଦିବାସୀଙ୍କୁ ସମ୍ମାନ ଦେବା ସହିତ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ସାଏ କହିଥିଲେ। ସମାବେଶରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ, ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସାଂସଦ ମାଳବିକା ଦେଓ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସମୀର ମହାନ୍ତି, ରାୟପୁର ବିଧାୟକ ପୁରନ୍ଦର ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।