କୁଚିଣ୍ଡା: ରବିବାର ସମ୍ବଲପୁର ଜିଲ୍ଲା କୁଚିଣ୍ଡାଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଯୋଗ‌ଦେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ବିଷ୍ଣୁଦେବ କହିଥିଲେ ଯେ ଜଣେ ରାଜ୍ୟର ମୁଖିଆ ଯଦି ଓଡ଼ିଆ ଜାଣିନାହାନ୍ତି ତେବେ ରାଜ୍ୟବାସୀଙ୍କ ସମସ୍ୟାକୁ କିପରି ସମାଧାନ କରୁଥିବେ, ତାହା ଚିନ୍ତା କରିବା ବିଷୟ। ଓଡ଼ିଶାର ଶାସନ କ୍ଷମତା ଅଣଓଡ଼ିଆଙ୍କ ଅକ୍ତିଆରରେ ରହିଛି। ଓଡ଼ିଶାର ବିଜେଡି ସରକାର ସବୁ ଦୃଷ୍ଟି ଫେଲ୍‌ ମାରିଛନ୍ତି। ଅନ୍ନଦାତା ଚାଷୀ ଓଡ଼ିଶାରେ ଶୋଷଣର ଶିକାର ହେଉଛନ୍ତି। ଚାଷୀମାନଙ୍କୁ ଉତ୍ପାଦିତ ଧାନ ମୂଲ୍ୟ ମିଳିପାରୁନାହିଁ।

Advertisment

ବିଜେପି କ୍ଷମତାକୁ ଆସିଲେ ଛତିଶଗଡ଼ ଭଳି ଏଠାରେ ମଧ୍ୟ ଧାନ କ୍ବିଣ୍ଟାଲ ପ୍ରତି ଏମ୍‌ଏସ୍‌ପି ୩୧୦୦ ଟଙ୍କା ପ୍ରଦାନ କରାଯିବ। ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଭାଉଚର ମହିଳାମାନଙ୍କୁ ଦିଆଯିବ। ଏହା ବ୍ୟତୀତ ମହିଳାମାନଙ୍କୁ ପ୍ରତି ମାସ ୧ ହଜାର ଟଙ୍କା ଦିଆଯିବ ବୋଲି କହିବା ସହିତ ମୋଦୀ ଗ୍ୟାରେଣ୍ଟି ଦୋହରାଇଥିଲେ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ କୁଚିଣ୍ଡା ବିଜେପି ବିଧାୟକ ପ୍ରାର୍ଥୀ ରବିନାରାୟଣ ନାଏକଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରବିବାର ମଧ୍ୟାହ୍ନରେ କୁଚିଣ୍ଡା କଲେଜ ପଡ଼ିଆକୁ ହେଲିକପ୍ଟର ଯୋଗେ ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏହିପରିପ୍ରକ୍ଷେୀରେ ସେ ଉପସ୍ଥିତ ଜନତାଙ୍କୁ ବିଜେପି ସପକ୍ଷରେ ମତ ଦେବାକୁ ନିବେଦନ କରି ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ସଭାରେ ଗିରୀଶ ପଟେଲ, ବିଜେପି ନେତା ରଞ୍ଜନ ପଟେଲ, ରୂପକୁମାରୀ ଚୌଧୁରୀ, ବୃନ୍ଦାବନ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟ ରାଜ କିସାନ ପ୍ରମୁଖ ମଂଚାସୀନ ଥିଲେ।