ବନ୍ଦ ହେଲା କଲ୍‌ମାର ୨୦ଟି ଗେଟ୍‌ 

ସମ୍ବଲପୁର : ଗୁରୁବାର ଛତିଶଗଡ଼ ସରକାର ମହାନଦୀ ଉପରେ ନର୍ମିତ କଲ୍‌ମା ବ୍ୟାରେଜର ୨୦ଟି ଗେଟ୍‌ ବନ୍ଦ କରି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏତିକି ଗେଟ୍‌ ବନ୍ଦ କରିଥିବା ବେଳେ ଆଗକୁ ଆହୁରି ଗେଟ୍‌ ବନ୍ଦ କରାଯିବ। ମହାନଦୀରେ ଜଳପ୍ରବେଶ ହ୍ରାସ ପାଇବା କାରଣରୁ କଲ୍‌ମାର ଗେଟ୍‌ ବନ୍ଦ କରାଯାଇଥିବା ଛତିଶଗଡ଼ ସରକାରଙ୍କ ଜଳସଂପଦ ବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଅପରପକ୍ଷରେ ଗେଟ୍‌ ବନ୍ଦ ହେବା ପରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ମଧ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି।  ହୀରାକୁଦ ଜଳଭଣ୍ଡାରକୁ ୨୬,୦୩୫ କ୍ୟୁସେକ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଛି। ଗୁରୁବାର ରାତି ୯ଟାରେ ହୀରାକୁଦର  ଜଳସ୍ତର ୬୩୦.୩୯ ଫୁଟ୍‌ ରହିଛି।

ମହାନଦୀ ଶଯ୍ୟା(ବେଡ୍‌ ଲେବଲ) ସମୁଦ୍ର ପତ୍ତନରୁ ୫୦୦ ଫୁଟ୍‌ ଉଚ୍ଚତାରେ ରହିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ହୋଇଥିବାରୁ ଏଥିରେ ସର୍ବାଧିକ ୧୩୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ପାଣି ରହିପାରିବ। ୧୯୮୮ ମସିହାର ରୁଲ୍‌କର୍ଭ ଅନୁଯାୟୀ ୩୦ ସେପ୍‌ଟେମ୍ବରରେ ହୀରାକୁଦର ଜଳସ୍ତର ଏହାର ସର୍ବୋଚ୍ଚ ସ୍ତର ୬୩୦ ଫୁଟ୍‌ ରଖାଯାଇଥାଏ। ଚଳିତ ବର୍ଷ ଜୁଲାଇ ୨୩ ତାରିଖରେ ହୀରାକୁଦର ବନ୍ୟାଜଳ ନିଷ୍କାସନ କରାଯାଇଥିଲା।

ମହାନଦୀରେ ଜଳ ପ୍ରବାହ କମିବା କାରଣରୁ ଜୁଲାଇ ପରେ ଆଉ ହୀରାକୁଦର ଗେଟ୍‌ ଖୋଲାଯାଇନଥିଲା। ତେବେ ଛତିଶଗଡ଼ ଅଚାନକ ନିଜ ବ୍ୟାରେଜଗୁଡ଼ିକର ଗେଟ୍‌ ଖୋଲି ଜଳ ନିଷ୍କାସନ କରିବାରୁ ଧାର୍ଯ୍ୟ ତାରିଖ ପୂର୍ବରୁ ହୀରାକୁଦର ଜଳସ୍ତର ଏହାର ସର୍ବୋଚ୍ଚ ସ୍ତରରେ ପହଂଚି ଯାଇଥିଲା। ଏଭଳି  ସ୍ଥିତିରେ ହୀରାକୁଦ ଗେଟ୍‌ ଖୋଲି ଜଳ ନିଷ୍କାସନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାର କଲ୍‌ମା ବ୍ୟାରେଜର ଗେଟ୍‌ ବନ୍ଦ ନକରିବାକୁ ଛତିଶଗଡ଼ ଜଳ ସଂପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ।ମାତ୍ର ଛତିଶଗଡ଼ ସରକାର ଏହାକୁ ଅଣଦେଖା କରି ନିଜ ପୂର୍ବ ଯୋଜନା ମୁତାବକ ଅକ୍ଟୋବର ପ୍ରଥମ ସପ୍ତାହରୁ କଲ୍‌ମା ଗେଟ୍‌ ପକାଇବାକୁ ଆରମ୍ଭ କରିଛି। ହୀରାକୁଦ ଜଳଭଣ୍ଡାରର ଠିକ୍‌ ଉପରେ ମହାନଦୀରେ ଥିବା କଲ୍‌ମା ବ୍ୟାରେଜ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ୨୦୧୬ ଅକ୍ଟୋବରରେ  ଛତିଶଗଡ଼ ଏହାର ଗେଟ୍‌ ପକାଇ ଥିଲା। ୬୬ଟି ଗେଟ୍‌ ମଧ୍ୟରୁ ନାମକୁମାତ୍ର ୧/୨ଟି ଗେଟ୍‌ ସାମାନ୍ୟ ଖୋଲାଯାଇଥିଲା। ଏଭଳି ସ୍ଥିତିରେ ଅଣମୌସୁମୀ  ଋତୁରେ ଏହି ବର୍ଷ ହୀରାକୁଦକୁ ସ୍ୱାଭାବିକ ଜଳପ୍ରବେଶ ମାତ୍ରଠାରୁ ୭୮ ପ୍ରତିଶତ କମି ଯାଇଥିଲା।

ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଏରିଆ ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ମୌସୁମୀ ଋତୁରେ(ଜୁନ୍‌ରୁ ଅକ୍ଟୋବର ମାସ)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ’)ରେ ତା’ଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରିିଥାଏ। ଗତ ୪ ବର୍ଷର ପରିସଂଖ୍ୟାନ ଦେଖିଲେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା କମି କମିଯାଉଛି।

୨୦୧୩-୧୪ ମସିହାରେ ଅଣମୌସୁମୀ ଋତୁରେ ୧.୪୫୦ ନିୟୁତ ଏକର ଫୁଟ୍‌,  ୨୦୧୪ -୧୫ମସିହାରେ ୧.୩୫୫ ନିୟୁତ ଏକର ଫୁଟ୍‌ ଏବଂ ୨୦୧୫-୧୬ ଅଣମୌସୁମୀ ଋତୁରେ ମାତ୍ର ୦.୯୦୭ ନିୟୁତ ଏକର ଫୁଟ୍‌ ପାଣି ପ୍ରବେଶ ଜଳଭଣ୍ଡାରକୁ ପ୍ରବେଶ କରିଥିଲା। ଏଭଳି ସ୍ଥିତିରେ ଏଥର ବି ସେଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର