ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆପୋସ ସମାଧାନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବ ଉପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଉତ୍ତର ରଖିଛନ୍ତି। ଏନେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଏହି ଆପୋସ ଆଲୋଚନା ପାଇଁ କେଉଁ କେଉଁ ଦିଗରେ ଆଲୋଚନା ହେବ ତାହା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଶ୍ରୀ ମିଶ୍ର କହିଛନ୍ତି ଯେ ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀର ଉପର ମୁଣ୍ଡରେ ଯେପରି ଭାବେ ଅନେକଗୁଡ଼ିଏ ବ୍ୟାରେଜ ନିର୍ମାଣ କରିବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିବାଦ କରାଯାଇଥିଲା। ହେଲେ ସେତେବେଳର ଛତିଶଗଡ଼ର ରମଣ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାର କର୍ଣ୍ଣପାତ କରିନଥିଲେ।

Advertisment

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିପଲ୍‌ ଇଞ୍ଜିନ୍‌ ସରକାରର ଆନ୍ତରିକତା ନାହିଁ

ପରେ ୨୦୧୬ ମସିହାରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ମଧ୍ୟସ୍ଥତାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରମଣ ସିଂହ ଓ ଉଭୟ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଆପୋସ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ, ପରବର୍ତ୍ତୀ ସମୟରେ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଓ ଛତିଶଗଡ଼ ସରକାରଙ୍କ ସହଯୋଗ ନମିଳିବାରୁ, ଏହି ଜଳ ବିବାଦର ସମାଧାନ ଦିଗରେ ବିଶେଷ ଅଗ୍ରଗତି ହୋଇନଥିଲା। ଏହାପରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନି‌େର୍ଦ୍ଦଶକ୍ରମେ ଏକ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ସେବେଠାରୁ ଏହି ମାମଲା ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି।

ଏବେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଆପୋସ ଆଲୋଚନା ମାଧ୍ୟମରେ ଏହି ଜଳ ବିବାଦର ସମାଧାନ ସମ୍ଭବ ହେବ ବୋଲି ପୁଣିଥରେ ଏହାର ଆଲୋଚନା ଆରମ୍ଭ ହୋଇଛି। ଅପରପକ୍ଷରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗତ ଜୁଲାଇ ୨୪ରେ ଏହି ପ୍ରସ୍ତାବିତ ଆପୋସ ଆଲୋଚନାରେ କେଉଁ କେଉଁ ବିନ୍ଦୁରେ ଏହି ବିବାଦର ସମାଧାନ ପାଇଁ ଆଲୋଚନା କରାଯାଉଛି, ତାହା ରାଜ୍ୟର ସ୍ୱାର୍ଥର ପରିପନ୍ଥୀ ନୁହେଁ ତ ବୋଲି ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଜୁଲାଇ ୨୫ରେ  ଆପୋସ ଆଲୋଚନା ପାଇଁ ଲେଖାଯାଇଥିବା ଚିଠିର ଉତ୍ତର ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଏହି ଚିଠିରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ କେବଳ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଚିଠି ତାଙ୍କର ହସ୍ତଗତ ହୋଇଛି ଓ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆପୋସ ଆଲୋଚନା ପ୍ରସ୍ତାବ ବିଚାରାଧୀନ ରହିଛି ବୋଲି ଲେଖିଛନ୍ତି। କିନ୍ତୁ ଏହି ସ ଆଲୋଚନା ପ୍ରସ୍ତାବକୁ ସେ ସ୍ୱୀକାର କରୁଛନ୍ତି କି ନାହିଁ, ସେନେଇ ସେ କୌଣସି ସ୍ପଷ୍ଟୋକ୍ତି କରିନାହାନ୍ତି। ତେଣୁ ଏ ବିଷୟରେ ପ୍ରଥମେ ସ୍ପଷ୍ଟୋକ୍ତି ଆସିବା ଦରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି।