ବରଗଡ଼ : ମହାନଦୀ ଉପରମୁଣ୍ତରେ ଛତିଶଗଡ଼ର ମନମାନୀ ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଚାଲିଛି। ଉଭୟ ରାଜ୍ୟ ମଧ୍ୟରେ ମହାନଦୀ ଜଳବିବାଦକୁ ନେଇ ତିକ୍ତ ସ˚ପର୍କ ରହିଛି। ମାମଲା ସୁପ୍ରିମକୋର୍ଟ ଯାଏଁ ମଧ୍ୟ ପହଞ୍ଚିଛି। ହେଲେ ଏହି ଜଳ ବିବାଦର କିଛି ସମାଧାନର ବାଟ ଖୋଲିନାହିଁ। ଏହାର ସୁଯୋଗ ନେଇ ଛତିଶଗଡ଼ ଜଳ ପରିଚାଳନାରେ ମନମାନୀରେ ଚଳାଇଛି। ଯାହାର ପରିଣାମ ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡ଼ୁଛି। ମହାନଦୀର ଉପର ମୁଣ୍ଡରେ ଥିବା ବ୍ୟାରେଜ୍‌ ଛତିଶଗଡ଼ ବର୍ଷତମାମ ବନ୍ଦ ରଖୁଛି। କିନ୍ତୁ ମହାନଦୀ ଉପରମୁଣ୍ଡରେ ବର୍ଷା ହେଲେ ବନ୍ୟାଜଳ ଛାଡ଼ି ଦେଉଛି। ଯଦ୍ବାରା ଓଡ଼ିଶା ଭାଗରେ ବର୍ଷତମାମ ମହାନଦୀ ଶୁଖିଲା ପଡ଼ୁଛି ଏବଂ ଅବେଳାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଅଚାନକ ବନ୍ୟାଜଳ ନିଷ୍କାସନ କରିବା ପୂର୍ବରୁ ଛତିଶଗଡ଼ ସୀମାନ୍ତବର୍ତୀ ଓଡ଼ିଶାର ଜିଲ୍ଲା ପ୍ରଶାସନକୁ ସୂଚନା ବି ଦେଉନାହିଁ। ଫଳରେ ମହାନଦୀ କୂଳରେ ଥିବା ଅଂଚଳ ପାଣି ଘେରାକୁ ଚାଲି ଯାଉଛି।

Advertisment

publive-image hindi.newsclick.in

ଛତିଶଗଡ଼ର କଲ୍‌ମା, ସାରାଡିହି ବ୍ୟାରେଜ୍‌ ସମେତ ଗଂଗରେଲ୍‌ ଜଳଭଣ୍ଡାରରୁ ଅଚାନକ ଜଳ ନିଷ୍କାସନ ଆଗକୁ ଓଡ଼ିଶା ପାଇଁ ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି। ସବୁଠୁ ବିବାଦୀୟ କଲ୍‌ମା ବ୍ୟାରେଜ୍‌ କଥା ଉଦାହରଣ ଭାବେ ନିଆଯାଇପାରେ। ଓଡ଼ିଶା ସୀମା ଡେଇଁଲେ ୧୮୨.୦୩ କୋଟି ଟଙ୍କାରେ ନିର୍ମିତ ଏହି ବୃହତ୍‌ ବ୍ୟାରେଜ୍‌ରେ ୬୫ଟି ଗେଟ୍‌ ରହିଛି। ଲମ୍ବ ହେଲା ୧.୯୮ କିଲୋମିଟର୍‌। ଏଠାକାର ସବୁ ଗେଟ୍‌ କେବଳ ଜୁନ୍‌ ୧୬ରୁ ଅକ୍ଟୋବର ୩୦ ଯାଏଁ ଗେଟ୍‌ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିବା ଛତିଶଗଡ଼ କହୁଛି। କିନ୍ତୁ ବର୍ଷସାରା ଗେଟ୍‌ଗୁଡ଼ିକ ବନ୍ଦ ରହୁଛି। କେବଳ ଦୋଷ ଘୋଡ଼ାଇବାକୁ ଗୋଟିଏ କିମ୍ବା ଦୁଇଟି ଗେଟ୍‌ ଆଂଶିକ ଭାବେ ଖୋଲା ରହୁଛି। କିନ୍ତୁ ମହାନଦୀ ଜଳସ୍ତର ବଢ଼ିଲେ, ସବୁ ଗେଟ୍‌ ସଂପୂର୍ଣ୍ଣ ଖୋଲା କରାଯାଉଛି। ଯଦ୍ବାରା ମହାନଦୀରେ ଓଡ଼ିଶା ଭାଗକୁ ଅଚାନକ ବନ୍ୟାପାଣି ମାଡ଼ି ଆସୁଛି। ନିକଟବର୍ତୀ ଅଂଚଳରେ ବନ୍ୟା ପାଇଁ ପ୍ରାକ୍‌ ପ୍ରସ୍ତୁତିର ବି ସୁଯୋଗ ନାହିଁ।

ଅନ୍ୟପକ୍ଷରେ ଆଗକୁ ପୁଣି ମହାନଦୀ ଉପରେ ଛତିଶଗଡ଼ ବିଭିନ୍ନ ପ୍ରକଳ୍ପ କରିବାକୁ ଯୋଜନା ରଖିଛି। ୨୦୨୦-୨୧ ଆର୍ଥିକ ବର୍ଷରେ କେତେକ ପ୍ରକଳ୍ପ ପାଇଁ ଅର୍ଥ ବରାଦ ବି ହୋଇସାରିଛି। ଏଥିରେ ପାଇରି ଡ୍ୟାମ୍‌ର ଉନ୍ନତିକରଣ ପାଇଁ ୨୦ କୋଟି ଏବଂ ପିଆରି- ମହାନଦୀ କେନାଲ ସଂଯୋଗୀକରଣ ପାଇଁ ୨୦ କୋଟି ଟଙ୍କା ମଂଜୁର ହୋଇଥିବା ଜଣାପଡ଼ିଛି। ସେହିପରି ମହାନଦୀରେ ୨୩୭ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଏବଂ ଆନିକଟ ପାଇଁ ଆହୁରି ୧୭୩ କୋଟି ଟଙ୍କା ବି ରହିଛି। ମାତ୍ରାଧିକ ବ୍ୟାରେଜ୍‌ ଯୋଗୁଁ ଓଡ଼ିଶା ପଟ ମହାନଦୀ ଶୁଖିଲା ପଡ଼ୁଛି। ଆହୁରି ଆନିକଟ୍‌ ଏବଂ ପ୍ରକଳ୍ପ ହେଲେ ମହାନଦୀରେ ଜଳସ୍ରୋତ ଖୁବ୍‌ କମିଯିବା ଆଶଂକା ରହିଛି।