ବରଗଡ଼ : ଉପର ମୁଣ୍ଡରେ ମନଇଚ୍ଛା ବ୍ୟାରେଜ୍ ନିର୍ମାଣ କରିଥିବା ଛତିଶଗଡ଼ ଯୋଗୁ ଏବେ ଆଉ ଏକ ସମସ୍ୟା ସୃଷ୍ଟି ହୋଇଛି। ଛତିଶଗଡ଼ ଏବେ ମୌସୁମୀ ଋତୁରେ ବ୍ୟାରେଜ ଗୁଡ଼ିକର ସବୁତକ ଗେଟ ଖୋଲି ଦେଇଛି। ଏଭଳି ମନମୁଖୀ ଜଳନିୟନ୍ତ୍ରଣର ପ୍ରଭାବ ଯୋଗୁ ସେଠାକାର ମତ୍ସ୍ୟଜୀବୀ ଭଲ ରୋଜଗାର କରୁଥିବାବେଳେ ଏଠାକାର ମତ୍ସ୍ୟଜୀବୀ ମୁଣ୍ଡରେ ହାତ ଦେଇଛନ୍ତି।
ମହାନଦୀ ସୀମା ଓଡ଼ିଶା ଅବବାହିକାରେ ୧୧୬୦ ଜଣ ପଞ୍ଜୀକୃତ ମତ୍ସ୍ୟଜୀବୀ ଅଛନ୍ତି। ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ପୂର୍ବରୁ ଏହି ସମିତି ଅଣଋତୁରେ ମତ୍ସ୍ୟଜୀବୀମାଦେ ଦୈନିକ ଗୋଟିଏ ଟନ୍ ମାଛ ସଂଗ୍ରହ କରୁଥିଲେ। ମାଛ ପ୍ରଜନନ ସରିବା ପରେ ଦୈନିକ ୭/୮ ଟନ୍ ମାଛ ଧରାଯାଉଥିଲା। ଏବେ ସ୍ଥିତି ସଂପୂର୍ଣ୍ଣ ଅଲଗା। ଏବେ ଅଣଋତୁରେ କାଁଭାଁ ଗୋଟିଏ ଟନ୍ ଏବଂ ବଳକା ସମୟରେ ପାଖାପାଖି ୨ଟନ୍ ମାଛ ଲାଗୁଛନ୍ତି। ମୌସୁମି ଆଗମନ ସହ ମାଛମାନେ ପ୍ରଜନନ ଆରମ୍ଭ କରିଥାନ୍ତି। ତେବେ ମୌସୁମୀରେ ଛତିଶଗଡ଼ ସବୁ ବ୍ୟାରେଜ୍ର ଗେଟ୍ ଖୋଲି ଦେଉଛି। ଓଡ଼ିଶା ପଟେ ଗଭୀର ପାଣି ଭରି ଯାଉଛି। ଅନ୍ୟପକ୍ଷରେ ଛତିଶଗଡ଼ ଅଂଚଳରେ ପାଣି କମ୍ ରହୁଥିବାରୁ ମାଛମାନେ ପ୍ରଜନନ ପାଇଁ ଉପରମୁଣ୍ଡକୁ ପଳାଉଛନ୍ତି। ଫଳରେ ଓଡ଼ିଶା ଭାଗରେ ମାଛ ପଡ଼ୁ ନାହାନ୍ତି। ଏପଟର ମତ୍ସ୍ୟଜୀବୀମାନେ ପ୍ରଜନନ ସମୟରେ ମାଛ ମାରୁନଥିବା ବେଳେ ଛତିଶଗଡ଼ରେ ଏଭଳି କିଛି କଟକଣା ନାହିଁ। ପ୍ରଜନନ ସମୟରେ ଉପରମୁଣ୍ଡରେ ଡୁଲୁଂଗି ଜାଲ ବ୍ୟବହାର କରି ଛତିଶଗଡ଼ର ମତ୍ସ୍ୟଜୀବୀ ଏବଂ ମାଫିଆମାନେ ଅବୈଧ ଭାବେ ମାଛ ମାରୁଛନ୍ତି। ଯଦ୍ୱାରା ଓଡ଼ିଶାର ମହାନଦୀ ଅବବାହିକାରେ ମାଛର ବିବିଧତା ମଧ୍ୟ କମି ଯାଉଛି। ବରଗଡ଼ ଜିଲ୍ଲାରେ ଗତବର୍ଷ ୨୦୧୭-୧୮ରେ ୨୮,୬୯୦ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହୋଇଥିଲା। ଏହାବାଦ୍ ବାର୍ଷିକ ଆନ୍ଧ୍ର ପ୍ରଦେଶରୁ ହାରାହାରି ୧୫ଟନ୍ ମାଛ ଏଠାକୁ ପହଂଚି ଥାଏ। ଏତିକି ଆମଦାନି ହେଉଥିଲେ ହେଁ ମାଛ ନିଅଣ୍ଟ ପଡ଼ୁଛି।