ବରଗଡ଼: ଓଡ଼ିଶାବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଜୁ ସ୍ବାସ୍ଥ୍ୟ ଯୋଜନାର ସ୍ମାର୍ଟକାର୍ଡକୁ ନେଇ ଛତିଶଗଡ଼ ଖେଳ ଖେଳୁଥିବା ‘ସମ୍ବାଦ’ରେ କ୍ରମାଗତ ଖବର ପ୍ରକାଶ ପାଇଛି। ବରଗଡ଼ ଜିଲ୍ଲାର ସୀମାନ୍ତ ବ୍ଲକ୍ଗୁଡ଼ିକରେ ଛତିଶଗଡ଼ର ନର୍ସିଂହୋମ୍ଗୁଡ଼ିକର ଦଲାଲ ଗାଡ଼ି ନେଇ ଆସୁଛନ୍ତି। ସ୍ମାର୍ଟ କାର୍ଡ ଥିବା ରୋଗୀଙ୍କୁ ସେଠାକାର ଅନୁବନ୍ଧିତ ଘରୋଇ ଚିକିତ୍ସାଳୟକୁ ନେଇ ଭର୍ତି କରିବା ଏବଂ ଓଡ଼ିଶା ସରକାରଙ୍କ ଠାରୁ ମୋଟା ବିଲ୍ ଆଦାୟ କରିବା ଭଳି ସମ୍ବେଦନଶୀଳ ପ୍ରସଂଗକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରଭାବରେ ଏବେ ସିଡିଏମ୍ଓ ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସୀମାନ୍ତ ବ୍ଲକ୍ଗୁଡ଼ିକର ସବୁ ଚିକିତ୍ସାଧିକାରୀଙ୍କ ପାଇଁ ଏହା ଉଦ୍ଦିଷ୍ଟ।
ଏଣିକି ଛତିଶଗଡ଼ର ଦଲାଲମାନଙ୍କୁ ସୀମାନ୍ତ ବ୍ଲକ୍ର ଚିକିତ୍ସାଧିକାରୀ, ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ଏଏନ୍ଏମ୍ ଏବଂ ଆଶାକର୍ମୀମାନେ ଜଗିବେ। ଏହା ସହିତ ସେମାନେ ପ୍ରତି ଗାଁରେ କ୍ରମାଗତ ଭାବେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବେ। ସ୍ବାସ୍ଥ୍ୟ ବିଭାଗ ସହ ଜଡ଼ିତ କର୍ମଚାରୀ ଓ ଅଧିକାରୀମାନେ ଓଡ଼ିଶାର ରୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ଜରିଆରେ ବରଗଡ଼ ଜିଲ୍ଲାରେ ଥିବା ଅନୁବନ୍ଧିତ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା କରାଇବା ପାଇଁ ସଚେତନ କରାଇବେ। ଛତିଶଗଡ଼ ତୁଳନାରେ ବରଗଡ଼ରେ ଭଲ ସ୍ବାସ୍ଥ୍ୟସେବା ସୁବିଧା ମିଳୁଥିବା ନେଇ ସେମାନେ ସ୍ବତନ୍ତ୍ର ଅଭିଯାନ କରିବେ ବୋଲି ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ବିଧାୟକ ଦେବେଶ ଆଚାର୍ଯ୍ୟ ବ୍ୟକ୍ତିଗତ ଭାବେ ସିଡିଏମ୍ଓଙ୍କ ସହ ଛତିଶଗଡ଼ର ଏହି କାରନାମା ଉପରେ ଆଲୋଚନା କରି ଉଦ୍ବେଗ ପ୍ରକାଶ କରିଛନ୍ତି। ଛତିଶଗଡ଼ର କାରସାଦିରେ ରୋକ୍ ଲଗାଇବା ପାଇଁ ଆଗକୁ ଆହୁରି କଡ଼ା ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଏହି ପ୍ରସଂଗ ନେଇ ବିଧିବଦ୍ଧ ଭାବେ ସେ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/31-14.jpg)