ବରଗଡ଼: ରବି ଧାନକିଣା ଆରମ୍ଭ ହୋଇଥିବା ବେଳେ ହାତଗଣତି କିଛିଟା ମଣ୍ଡି ଖୋଲିଛି। ଏହା ଭିତରେ ପ୍ରତିଦିନ ସୀମା ପାର ହୋଇ ଛତିଶଗଡ଼ରୁ ଟ୍ରକ୍ ଟ୍ରକ୍ ଧାନ ବରଗଡ଼କୁ ଆସୁଛି। ଆଜି ୩ଟି ଟ୍ରକ୍ରେ ଛତିଶଗଡ଼ରୁ ଧାନ ବୋଝେଇ ହୋଇ ଆସୁଥିବା ସମୟରେ ପ୍ରଶାସନିକ ଟିମ୍ ଚଢ଼ଉ କରିଥିଲା। ୨ଟି ଟ୍ରକ୍ ଖସି ପଳାଇଥିବା ବେଳେ ବରଗଡ଼ ହଳଦୀପାଲି ନିକଟରେ ଗୋଟିଏ ଟ୍ରକ୍କୁ ଜବତ କରାଯାଇଛି। ଟ୍ରକ୍ରେ ୩୯୦ ପ୍ୟାକେଟ୍ ଧାନ (୧୬୪ କ୍ବିଣ୍ଟାଲ) ରହିଥିଲା। ଯାହାକୁ ବରଗଡ଼ ନିକଟ ଶ୍ୟାମଜୀ ରାଇସ୍ ମିଲ୍ର ଜିମା ଦିଆଯାଇଛି।
ଗୁରୁବାର ଅପରାହ୍ଣ ପ୍ରାୟ ୩ଟା ସମୟରେ ସୋହେଲା ପଟୁ ବରଗଡ଼କୁ ଆସୁଥିଲା ଏହି ଧାନ ବୋଝେଇ ଟ୍ରକ୍ (ସିଜି୧୨ସି-୪୦୧୮)। ଏହି ସମୟରେ ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେଙ୍କ ନେତୃତ୍ୱରେ ଚଢ଼ଉ କରାଯାଇଥିଲା। ଚଢ଼ଉ ଟିମ୍ରେ ଏସିଏସ୍ଓ ବ୍ୟୋମକେଶ ମାଝୀ, ଯୋଗାଣ ନିରୀକ୍ଷକ କବିରାଜ ଧରୁଆ, ଅମ୍ବାଭୋନା ଯୋଗାଣ ନିରୀକ୍ଷକ ପ୍ରଭାତ ପ୍ରଦୀପ୍ତ ପ୍ରମୁଖ ରହିଥିଲେ। ଟ୍ରକ୍ ଡ୍ରାଇଭର ଗାଡ଼ିରେ ଗହମ ବୋଝେଇ ହୋଇଥିବା କହିଥିବା ବେଳେ ଅଧିକାରୀମାନେ ଯାଞ୍ଚ କରିବାରୁ ସବୁ ବସ୍ତାରେ ଧାନ ଥିବା ଜଣାପଡ଼ିଥିଲା। ଏପରିକି ଧାନ କେଉଁଠୁ ଆସୁଛି, କାହା ପାଖକୁ ଯାଉଛି, ଟ୍ରକ୍ର ମାଲିକ କିଏ, ସେ ସଂପର୍କରେ ଗାଡ଼ି ଚାଳକ କିଛି ସୂଚନା ଦେଇନଥିଲେ। ଧାନ ଚାଲାଣ ସଂକ୍ରାନ୍ତୀୟ କୌଣସି କାଗଜପତ୍ର ମଧ୍ୟ ଦେଖାଇ ପାରି ନଥିଲେ। ଫଳରେ ଅଧିକାରୀମାନେ ଗାଡ଼ିକୁ ଜବତ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ପାଣ୍ଡେ କହିଛନ୍ତି, ବେଆଇନ ଭାବରେ ଧାନ ଆସୁଥିବା ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରାଯାଇଥିଲା। ପୂର୍ବରୁ ମଧ୍ୟ ଆଉ ଏକ ଗାଡ଼ି ଜବତ କରାଯାଇଥିଲା। ଏହାର ତଦନ୍ତ ସାଙ୍ଗକୁ ଥାନାରେ ଏତଲା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ଛତିଶଗଡ଼ରେ ରବିଧାନ କିଣା ହେଉନାହିଁ। ଏଣୁ ସେଠାକାର ଚାଷୀ ଅମଳ କରିଥିବା ଧାନ ବେପାରୀମାନଙ୍କୁ ବିକ୍ରି କରୁଛନ୍ତି। ଏପଟେ ବରଗଡ଼ ଜିଲ୍ଲାରେ ଗତ ଖରିଫରେ ମିଲର୍ମାନେ ଯେତେ ଧାନ ଉଠାଇଥିଲେ, ସେହି ବାବଦକୁ ଚାଉଳର ୩୧ ପ୍ରତିଶତ ମାତ୍ର ଫେରାଇଛନ୍ତି। ଉଠାଇଥିବା ଧାନକୁ ମିଲିଂ କରି କିଛି ମିଲର୍ସ ବଜାରକୁ ଚାଉଳ ବିକ୍ରି କରିଥିବା କୁହାଯାଉଛି। ଏବେ ସେହି ଚାଉଳ ପୁଣି ଭରଣା କରିବାକୁ ବେଆଇନ ଭାବରେ ଧାନ କିଣୁଛନ୍ତି। ମିଲ୍ଗୁଡ଼ିକର ଷ୍ଟକ୍ ଯାଞ୍ଚ କଲେ ଏହି କଳା କାରନାମାରେ କେଉଁ ମିଲର୍ସ ଅଛନ୍ତି, ତାହା ଅଚିରେ ଜଣାପଡ଼ିଯିବ। ଅନ୍ୟପକ୍ଷରେ ଛତିଶଗଡ଼ ପଟୁ ବରଗଡ଼, ସମ୍ବଲପୁର, ସୋନପୁର ଅଞ୍ଚଳକୁ ବେଆଇନ ଭାବରେ ଧାନ ଚାଲାଣ ହେଉଛି। ସୀମାରେ ସିସିଟିଭି ଲାଗିଥିବା ଜିଲ୍ଲା ପ୍ରଶାସନ କହୁଛି। କିନ୍ତୁ ସିସିଟିଭି ଓ ଚଢ଼ଉ ଟିମ୍ ଆଖିରେ ଧୂଳି ଦେଇ ପ୍ରତ୍ୟହ ଧାନ ଗାଡ଼ି ଛତିଶଗଡ଼ରୁ ଆସୁଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୩ଟି ଧାନ ଗାଡ଼ି ଜବତ ହୋଇଛି। ବାସ୍ତବ ସ୍ଥିତି ଦେଖିଲେ ଧାନ ବୋଝେଇ ଟ୍ରକ ଅହରହ ଏଠାକୁ ଆସୁଛି। ଏ ନେଇ ଉପଜିଲ୍ଲାପାଳ କହିଛନ୍ତି, ଛତିଶଗଡ଼ରେ ଧାନମଣ୍ଡି ଖୋଲୁନାହିଁ। ଏଣୁ ସେଠାକାର ଚାଷୀ ଧାନ ବିକ୍ରି କରିବା ପରେ ଏପଟକୁ ଆସୁଛି ବୋଲି ସେ ସ୍ୱୀକାର କରିଛନ୍ତି।