ଗତ ୨୦ ଦିନ ମଧ୍ୟରେ ୬ ଦିନ ଆସିନି
ସୁଖାସୋଡ଼ାରେ ଶୁଖିଗଲାଣି ମହାନଦୀ
ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ
ସମ୍ବଲପୁର/ ଝାରସୁଗୁଡା : ମହାନଦୀ ପ୍ରସଙ୍ଗ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଓଡ଼ିଶା ସରକାର ନିଜ ସପକ୍ଷରେ ଏଯାଏ କୌଣସି ରାୟ ଆଣିପାରିନାହାନ୍ତି। ଏପରିକି ଛତିଶଗଡ ବେଆଇନ ନିର୍ମାଣ ଉପରେ ମଧ୍ୟ ରୋକ୍ ଲାଗିନାହିଁ। ଏହାର ସୁଯୋଗ ନେଇ ଛତିଶଗଡ ସରକାର ଯେଉଁ ଖେଳ ଖେଳୁଛନ୍ତି, ତାହା ଓଡ଼ିଶା ପାଇଁ କାଳ ହେଲାଣି। ଧୀରେ ଧୀରେ ସ୍ଥିତି ଗମ୍ଭୀର ହେବା ଆରମ୍ଭ କରିଛି। ଛତିଶଗଡ ସରକାର ବର୍ଷା ଦିନ ପରେ ଗେଟ୍ ବନ୍ଦ କରିଦେଉଛନ୍ତି। ପରିଣାମରେ ଅଣ ମୌସୁମୀ ସମୟରେ ବା ତିରୋଟ ସମୟରେ ଓଡ଼ିଶାର ନଦୀ ଜଳାଭାବ ଭିତରକୁ ଠେଲି ହୋଇଯାଉଛି। ଆଉ ଯେବେ ଭୀଷଣ ବର୍ଷା କାରଣରୁ ଜୁଲାଇରେ ଛତିଶଗଡ ବୁଡିବା ସ୍ଥିତି ଉପୁଜୁଛି, ସେବେ ସବୁ ଗେଟ୍ ଏକାଠି ଖୋଲୁଛି ଓ ଓଡ଼ିଶା ବନ୍ୟା ମୁହଁକୁ ଠେଲି ହୋଇଯାଉଛି।
୨୦୨୧ ମସିହାର ଜଳପ୍ରବେଶ ପରିସଂଖ୍ୟାନକୁ ଦେଖିଲେ, ଯେ କେହି ଚକିତ ହେବ। ପାଖାପାଖି ୨୬ ପ୍ରତିଶତ ଜଳପ୍ରବାହ କମିଥିବା ସୂଚନା ମିଳିଛି। ରାଜ୍ୟ ସରକାର ଏହା ଉପରେ ଯେଭଳି ପ୍ରତିକ୍ରିୟା ରଖିବା କଥା ତାହା ଏଯାଏ ପରିଲକ୍ଷିତ ହୋଇନାହିଁ। ଏଥିରେ ସାହସ ପାଇ ଛତିଶଗ଼ଡ ସରକାର ଏବର୍ଷ ଆରମ୍ଭରୁ ଓଡ଼ିଶାର ମହାନଦୀ ଏବଂ ସଂଲଗ୍ନ ନଦୀ ବିରୋଧରେ ଭୀଷଣ ଷଡ୍ଯନ୍ତ୍ର ରଚନା କରିଛି। ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ କ୍ରମଶଃ ହ୍ରାସ ପାଇବାରେ ଲାଗିଲାଣି। ଗତ ୨୦ ଦିନ ମଧ୍ୟରେ ୬ ଦିନ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ କରିନଥିବା ଜଣାପଡ଼ିଛି। ସରକାରଙ୍କ ରେକର୍ଡ ଏହା କହୁଛି। ଏହାର ପ୍ରମାଣ ଏବେ ମହାନଦୀର ପ୍ରବେଶ ପଥ ସୁଖାସୋଡାରେ ଦେଖିବାକୁ ମିଳିଲାଣି। ସୁଖାସୋଡା ଶୁଖିଯାଇଛି।
ରିପୋର୍ଟ ଅନୁସାରେ, ହୀରାକୁଦ ଜଳଭଣ୍ଡାର କ୍ୟାଚ୍ମେଣ୍ଟ ଏରିଆର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ ଅନ୍ତର୍ଗତ। ବାକି ଅଞ୍ଚଳ ଓଡ଼ିଶାରେ ରହିଛି। ହୀରାକୁଦ ଜଳଭଣ୍ଡାରର ଠିକ୍ ଉପରେ ଅର୍ଥାତ୍ ମହାନଦୀରେ ଯେବେଠାରୁ କଲ୍ମା ବ୍ୟାରେଜ ନିମାର୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେଲାଣି, ସେବେଠାରୁ ଓଡ଼ିଶା ପ୍ରତି ବିପଦ ବଢ଼ିଛି। ଯେତେବେଳେ ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର- ଓଡ଼ିଶା ସରକାର ଏବଂ ଛତିଶଗଡ ସରକାର ମୁହାଁମୁହିଁ ହୋଇ ରହିଥିଲେ, ସେବେ ଛତିଶଗଡ ସରକାର ବେଫିକର ଭାବେ ୨୦୧୭ ମସିହା ୫ ଅକେ୍ଟାବରରେ ଗୋଟିଏ ସାଂଘାତିକ କାଣ୍ଡ କରି ବସିଲେ। ହଠାତ୍ ଏହାର ୬୬ଟି ଗେଟ୍ରୁ ୨୦ଟି ବନ୍ଦ କରିଦିଆଗଲା। ଏତିକିରେ ସଂପୃକ୍ତ ସରକାର ଚୁପ୍ ବସିଲେନି। ମାତ୍ର ଦୁଇ ସପ୍ତାହ ପରେ ଅର୍ଥାତ୍ ସେହିବର୍ଷ ଅକ୍ଟୋବର ୨୧ ତାରିଖ ଦିନ ଆଉ ୪୪ଟି ଗେଟ୍ ବନ୍ଦ କରିଦେଲେ। ଏହିଭଳି ମୋଟ ୬୬ରୁ ୬୪ ଗେଟ୍ ବନ୍ଦ କରିଦିଆଗଲା। ସେତେବେଳେ କଲ୍ମାର ଜଳସ୍ତର ୧୯୫.୧୦୦ ମିଟର ରହିଥିଲା। ହେଲେ ସଂପୃକ୍ତ କର୍ତ୍ତୃପକ୍ଷ ଓଡ଼ିଶାର ପାଣି ପ୍ରବାହକୁ ରୋକିବାକୁ ଯାଇ ଏହି ବ୍ୟାରେଜର ୩୦ ଓ ୩୧ ନମ୍ବର ଗେଟ୍ ଦେଇ ଅଳ୍ପ ପାଣି ଛାଡ଼ିଲେ।
ରେକର୍ଡ କହୁଛି, ୨୦୧୮ ମାର୍ଚ ୩୧ ତାରିଖ ଦିନ ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୯୮ କ୍ୟୁସେକ ପାଣି ପ୍ରବେଶ କରିଥିଲା। ସେହି ବର୍ଷ ଏପ୍ରିଲ ପହିଲା ଦିନ କିନ୍ତୁ ଟିକିଏ ଅଧିକ ପାଣି ଆସିଥିଲା। ଏପ୍ରିଲ ୨ ତାରିଖ ଦିନ ଆଦୌ ପାଣି ପ୍ରବେଶ କରିନଥିଲା। ଏତେ ବଡ ଦୁଃସାହସିକ କାର୍ଯ୍ୟ ସେମାନେ କରିବସିଥିଲେ ହେଁ, ତାଙ୍କ ଉପରେ ନା ରାଜ୍ୟ ସରକାର ଚାପ ସୃଷ୍ଟି କରିପାରିଲେ ନା କେନ୍ଦ୍ର କିଛି ହସ୍ତକ୍ଷେପ କଲା। ଏଥିରେ ଉତ୍ସାହିତ ହୋଇ ସେମାନେ ଏହାକୁ ଗୋଟିଏ ନିୟମିତ ଅଭ୍ୟାସରେ ପରିଣତ କରିଦେଲେ। ଗୋଟିଏ ଚିତ୍ର ସ୍ପଷ୍ଟ ହୋଇଗଲା ଯେ ବର୍ଷା ଋତୁ ପରେ ପରବର୍ତ୍ତୀ ମୌସୁମୀ ବର୍ଷା ପର୍ଯ୍ୟନ୍ତ ସେମାନେ ପାଣି ଛାଡ଼ିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି। ଏହାର ପ୍ରଭାବରେ ଓଡ଼ିଶାର ମହାନଦୀ ଓ ସଂଲଗ୍ନ ନଦୀ ବର୍ଷାର ଅର୍ଧାଧିକ ଦିନ ଶୁଖିଲା ପଡ଼ିଲା।
ଚଳିତବର୍ଷ ଏହି ସ୍ଥିତି ଆହୁରି ଉତ୍କଟ ହେବା ଆରମ୍ଭ କରିଛି। ଗତ ମାର୍ଚ୍ଚ ମାସରେ ଅନେକ ଦିନ ଧରି ଛତିଶଗଡ ସରକାର ମହାନଦୀରେ ପାଣି ଛାଡ଼ିନାହାନ୍ତି। ଏହି ରେକର୍ଡକୁ ବିଶ୍ବାସ କରାଗଲେ, ମାର୍ଚ୍ଚ ମାସରେ ଶେଷ ୧୯ ଦିନ ମଧ୍ୟରୁ ୬ ଦିନ ହୀରାକୁଦ ଜଳଭଣ୍ଡାରକୁ ଆଦୌ ପାଣି ପ୍ରବେଶ କରିନାହିଁ। ଏହି ଦିନଗୁଡିକ ହେଲା ୧୫ ତାରିଖ, ୧୬ ତାରିଖ, ୧୮ ତାରଖ, ୨୧ ତାରିଖ, ୨୩ ତାରିଖ ଓ ୨୬ ତାରିଖ। ୧୩ ତାରିଖରେ ମାତ୍ର ୭୦୯ କ୍ୟୁସେକ,୧୯ ତାରିଖ ଦିନ ୬୦ କ୍ୟୁସେକ, ୨୦ ତାରିଖ ଦିନ ୬୨୧.୩୧ କ୍ୟୁସେକ ଓ ୨୫ ତାରିଖ ଦିନ ୩୮୧ କ୍ୟୁସେକ ଜଳ ପ୍ରବେଶ କରିଛି। ଆଗାମୀ ଦିନରେ ଜଳପ୍ରବାହ ଆହୁରି ହ୍ରାସ ପାଇବ ବୋଲି ଅତି ବିଶ୍ବସ୍ତ ସୂତ୍ରରୁ ଜଣାପଡିଲାଣି।
ଏପଟେ ଝାରସୁଗୁଡାରୁ ଅତି ଭୟାନକ ଚିତ୍ର ଆସୁଛି। ଗ୍ରୀଷ୍ମ ଋତୁ ଆସିବା ସହିତ ନଦୀକୂଳିଆ ଗାଁଗୁଡ଼ିକରେ ଜଳକଷ୍ଟ ଉଗ୍ର ହେବାରେ ଲାଗିଲାଣି। ଗୋଟିଏ ପଟେ ଆକାଶରୁ ଅଗ୍ନିବର୍ଷା ହେଉଛି ଓ ଆଗକୁ ଏହା ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ଅନ୍ୟପଟେ ନଦୀଶଯ୍ୟାର ବାଲି ଅଙ୍ଗାର ଭଳି ହୋଇ ଯାଉଛି। କିଛି ମାସ ଆଗରୁ ବନ୍ୟାପାଣି କୂଳ ଛୁଉଁଥିବା ବେଳେ ଏବେ ଏଠାରେ ପାଣି ଟୋପାଏ ମିଳୁନି। ଏକପ୍ରକାର ମରୁଭୂମିର ଭ୍ରମ ସୃ୍ଷ୍ଟି କରୁଛି। ଏଭଳି ସମସ୍ୟା ଦେଖା ଦେଇଛି ଓଡ଼ିଶାର ଜୀବନଧାରା ମହାନଦୀ ଶଯ୍ୟାରେ। ମହାନଦୀର ପ୍ରବେଶପଥ ସୁଖାସୋଡ଼ାର ଚିତ୍ର ସତର୍କ କରାଇ ଦେଲାଣି, ଆଗକୁ ସ୍ଥିତି କେତେ ଭୀଷଣ ହେବାକୁ ଯାଉଛି।
ଝାରସୁଗୁଡ଼ା ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗି ରହିଥିବା ଗାଁ ସୁଖାସୋଡ଼ା ଠାରେ ମହାନଦୀ ଓଡ଼ିଶାକୁ ପ୍ରବେଶ କରିଥାଏ। ଓଡ଼ିଶା ସୀମାରେ ପ୍ରବେଶ କରିଥିବା ମହାନଦୀର ଧାର ଶୁଖିଯାଇଛି। ହୀରାକୁଦ ଜଳଭଣ୍ଡାର ପଛୁଆ ପାଣି ସୀମାନ୍ତ ଗ୍ରାମ ସୁଖାସୋଡା ନିକଟ ପର୍ଯ୍ୟନ୍ତ କିଛି ବାଟ ଲମ୍ବିଛି। ସେତିକି ଭାଗ ଛାଡ଼ିଦେଲେ ବାକି ଅଂଶ ଶୁଖି ଯାଇଥିବା ଦେଖା ଯାଇଛି। ମଣିଷଠାରୁ ଗୋରୁ ପର୍ଯ୍ୟନ୍ତ ଡହଳ ବିକଳ ହେଉଛନ୍ତି। ଚାଷ କାର୍ଯ୍ୟ ଠପ୍ ହୋଇଯାଇଛି। ହେଲେ ଛତିଶଗଡ଼ ପଟେ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ସାହାଯ୍ୟରେ ଦୁଇଟି ଶିଳ୍ପ କାରଖାନାକୁ ଅହରହ ଜଳ ଯୋଗାଣ ହେଉଛି। ମହାନଦୀର ଗୋଟିଏ ପଟେ ବିଶାଳ ଜଳରାଶି (ଛତିଶଗଡ ପାର୍ଶ୍ବରେ) ଲହଡ଼ି ମାରୁଥିବା ବେଳେ ଆଉ ଗୋଟିଏ ପଟେ (ଓଡ଼ିଶା ପଟେ) ବିରାଟ କ୍ଷେତ୍ର ମରୁଭୂମି ହେବାକୁ ଯାଉଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନ ପୂର୍ବରୁ ଏଠାରୁ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ଦ୍ବିତୀୟ ପର୍ଯ୍ୟୟ ଅଭିଯାନ ସୁଖାସୋଡ଼ାରୁ ଆରମ୍ଭ ହୋଇଥିଲା। ଏବେ ସେହି ନଦୀ, ସେହି କଲ୍ମା ବ୍ୟାରେଜ ଏବଂ ସେହି ପାଣି ସମସ୍ୟା ରହିଛି; ମାତ୍ର ଓଡ଼ିଶାରେ ରାଜନୈତିକ ଦୃଷ୍ଟିଭଙ୍ଗୀ ବଦଳି ଯାଇଥିବା ଲକ୍ଷ୍ୟ କରାଯାଉଛି। ଏହି ପ୍ରସଙ୍ଗ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି ସତ, ଅର୍ଥାତ୍ ନିର୍ବାଚନ ପରେ କିନ୍ତୁ ମହାନଦୀ ପ୍ରସଙ୍ଗଟି ରାଜନୈତିକ ସମାଧି ଲାଭ କରିଛି।
ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍। ମୌସୁମୀ ଋତୁରେ (ଜୁନ୍ରୁ ଅକ୍ଟୋବର ମାସ)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ)ରେ ତାଠାରୁ ଯଥେଷ୍ଟ କମ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଥାଏ। ମହାନଦୀର ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିବା ବେଳେ ଛତିଶଗଡ଼ ସରକାର ମହାନଦୀ ଓ ଏହାର ଉପନଦୀମାନଙ୍କରେ ଥିବା ବିଭିନ୍ନ ଡ୍ୟାମ୍କୁ ସଂଯୋଗ କରିବା ପାଇଁ କାମ କରୁଛି। ଏଭଳି ହେଲେ ଓଡ଼ିଶାର ଜୀବନରେଖା ମହାନଦୀ ଆଗାମୀ ଦିନରେ ବର୍ଷା ଋତୁରେ ବି ଶୁଖିଲା ରହିବ। ଆଉ ଓଡ଼ିଶାବାସୀଙ୍କୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।