ଛତିଶଗଡ଼ ଜଗିଛି, ଓଡ଼ିଶା ସୀମା ମୁକୁଳା

କୋଟପାଡ଼: ଛତିଶଗଡ଼-ଓଡ଼ିଶା ସୀମାରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍‌ ଅନ୍ତର୍ଗତ ଚାନ୍ଦିଲି ଠାରେ ଓଡ଼ିଶା ପକ୍ଷରୁ ବିନା ଯାଞ୍ଚରେ ଗାଡ଼ି ଚଳାଚଳ କରୁଛି। କିଏ ଆସୁଛି, କିଏ ଯାଉଛି ତାହାର କୌଣସି ତଥ୍ୟ ରହୁନି। ଓଡ଼ିଶା ସୀମାକୁ ଅତିକ୍ରମ କରିବା ପାଇଁ କୌଣସି ପ୍ରତିବନ୍ଧନ ନାହିଁ। ଯେ କେହି ବି ଯେତେବେଳେ ଚାହିବ ଅବାଧରେ ପଶିବ।

ଅନ୍ୟପଟେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୀମାନ୍ତରେ ଥିବା ଧନପୁଞ୍ଜିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଛତିଶଗଡ଼ ପକ୍ଷରୁ ସୀମାରେ ଚେକ୍‌ ପୋଷ୍ଟ କରାଯାଇଛି। ପୁଲିସ, ବନ ବିଭାଗ ସମେତ ଅନ୍ୟ କିଛି ବିଭାଗର କର୍ମଚାରୀ ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିଛି। କିନ୍ତୁ ଓଡ଼ିଶାର ଚାନ୍ଦିଲି ଠାରେ ସୀମା ସମ୍ପୂର୍ଣ୍ଣ ଭାବେ ମୁକୁଳା ପଡ଼ିଛି।

ଗତ ଦିନର ଯଅଁରା ନଦୀ ଜଳ ବିବାଦ ବର୍ତ୍ତମାନ ବି ଲୋକଙ୍କ ମନରୁ ଲିଭିନି। ଛତିଶଗଡ଼ ସରକାର ଜୋରଜବରଦସ୍ତ ଯଅଁରା ମୁହାଣରେ ଚେକ୍‌ ପୋଷ୍ଟ କରି ଇନ୍ଦ୍ରାବତୀ ନଦୀ ଜଳକୁ ନେଇ ଯିବାକୁ ବସିଥିଲେ। ଏପରିକି ଓଡ଼ିଶା ସୀମାରେ ପଶି ଛତିଗଶଡ଼ ସରକାର ରାସ୍ତା ନିର୍ମାଣ କରିବା ସହ ଏହି ଅଞ୍ଚଳ ଛତିଶଗଡ଼ର ବୋଲି ସୂଚନା ଫଳକ ଲଗାଇଥିଲେ।

ଏଥିସହ ଚାନ୍ଦିଲିରେ ଜୋରଜବରଦସ୍ତ ପଶି ଲୋକଙ୍କୁ ବିଏସ୍‌ଏନ୍‌ଏଲ୍‌ ସେବା ଯୋଗାଇବା ସହ ଛତିଶଗଡ଼ ବୁଥ ବୋଲି ମଧ୍ୟ ସୂଚନା ଫଳକ ଲଗା ଯାଇଥିଲା। ଏହାକୁ ଯଅଁରା ବଞ୍ଚାଅ ସଂଘର୍ଷ ସମିତି ବିରୋଧ କରିବା ସହ ଆନ୍ଦୋଳନ କରିବା ପରେ ଏହି ମୁହାଣରେ ଥିବା ଜଳ ଓଡ଼ିଶା ଓ ଛତିଶଗଡ଼ ସମାନ ଭାଗରେ ବାଣ୍ଟିବାକୁ କେନ୍ଦ୍ରୀୟ ଜଳ କମିସନ ନିଷ୍ପତ୍ତି ନେଇଥିଲେ। ଏହାପରେ ଛତିଶଗଡ଼ ସରକାର ବାଧ୍ୟ ହୋଇ ପଛଘୁଞ୍ଚା ଦେଇଥିଲେ। ପୂର୍ବରୁ ଛତିଶଗଡ଼ ସରକାର ଓଡ଼ିଶାର ସୀମାନ୍ତରେ ଥିବା ବିଭିନ୍ନ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରୟାସ କରିଥିବା ବେଳେ ସୀମାକୁ ଖୋଲାମେଲା ଛାଡ଼ିଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର