ବରଗଡ଼ : ମହାନଦୀକୁ ନେଇ ଛତିଶଗଡ଼ ଖେଳ ଖେଳି ଚାଲିଛି। ମନମାନି ଜଳ ପରିଚାଳନା କରୁଥିବା ଛତିଶଗଡ଼ ମହାନଦୀକୁ ସର୍ବାଧିକ ପ୍ରଦୂଷିତ କରୁଥିବା ଜଣାପଡ଼ିଛି। ଯାହାର କୁପରିଣାମ ଏବେ ସିଧାସଳଖ ଚାଷୀମାନେ ଭୋଗୁଛନ୍ତି।
ସମୁଦାୟ ମହାନଦୀ ଅବବାହିକା ୧୪୧୫୮୯ ବର୍ଗ କିଲୋମିଟର ରହିଛି। ଏଥିରୁ ଛତିଶଗଡ଼ର ଅ˚ଶ ୭୪୯୯୭ ବର୍ଗ କିମି ଏବ˚ ଓଡ଼ିଶାର ଅ˚ଶ ରହିଛି ୬୫୫୮୦ ବର୍ଗ କିମି। ଛତିଶଗଡ଼ ପଟେ କେବଳ ମହାନଦୀ ଅବବାହିକାରେ ୨ ହଜାରରୁ ଅଧିକ ରାଇସ୍ ମିଲ୍ ରହିଛି। ଏସବୁ ରାଇସ୍ ମିଲ୍ଗୁଡ଼ିକରୁ ଦୈନିକ ୫ହଜାର କିଲୋଲିଟର୍ ବର୍ଜ୍ୟବସ୍ତୁ ମହାନଦୀରେ ସିଧାସଳଖ ପଡ଼ୁଛି। ଏହି ବର୍ଜ୍ୟ ଉଭୟ କଠିନ ଓ ତରଳ ରସାୟନଯୁକ୍ତ।
ଏହାବାଦ୍ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ ଏକ ସର୍ଭେ ରିପୋର୍ଟ ଅନୁସାରେ, ଛତିଶଗଡ଼ ମହାନଦୀରେ ଦୈନିକ ୩ହଜାର କିଲୋଲିଟର୍ ବିଭିନ୍ନ ବଡ଼ କଳକାରଖାନାରୁ ବର୍ଜ୍ୟ ଛାଡ଼ୁଛି। ଅର୍ଥାତ୍ ଶିଳ୍ପ ବର୍ଜ୍ୟ ତୁଳନାରେ ରାଇସ୍ ମିଲ୍ରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁର ମାତ୍ରା ବେଶି। ସେହିପରି, ମହାନଦୀ ଅବବାହିକାରେ କୋଇଲା ଖଣି ଆହୁରି ଚିନ୍ତା ବଢ଼ାଇଛି। ଦେଶର ୧୪ ପ୍ରତିଶତ କୋଇଲା ଛତିଶଗଡ଼ରୁ ମିଳିଥାଏ। କୋଇଲା ଗୁଣ୍ଡରେ ମାରାତ୍ମକ ‘କାର୍ସିନୋଜେନିକ୍’ ଧାତବ ପଦାର୍ଥ ମହାନଦୀର ପ୍ରଦୂଷଣ ବଢ଼ାଉଛି। ଉପରମୁଣ୍ଡରେ ମହାନଦୀ ମାତ୍ରାଧିକ ପ୍ରଦୂଷଣ ନେଇ ହୀରାକୁଦ ଜଳଭଣ୍ଡାରରେ ଗଚ୍ଛିତ ରଖୁଛି। ଏସବୁ ବର୍ଜ୍ୟବସ୍ତୁ କେନାଲ୍ ଜରିଆରେ ଚାଷଜମିକୁ ପହଞ୍ଚୁଛି।
ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି। ପୂର୍ବରୁ ବରଗଡ଼ କେନାଲ୍ ତଳମୁଣ୍ଡରେ ପରିବେଶବିତ୍ମାନେ ଏକ ସର୍ଭେ କରିଥିଲେ। ତଳମୁଣ୍ଡରେ ବିଶେଷତଃ ବରଗଡ଼ ଜିଲ୍ଲାର ଭେଡ଼େନ ବ୍ଲକ୍ ଅଞ୍ଚଳରେ ଥିବା ଚାଷଜମିରୁ ପାରଦର ପରିମାଣ ମାତ୍ରାଧିକ ଥିବା ଜଣାପଡ଼ିଥିଲା। ପାରଦ ସହ ବିଭିନ୍ନ କୀଟନାଶକ ମିଶି ଆଖପାଖର ଜଳସ୍ରୋତ ଏବଂ ଚାଷଜମିକୁ ଆହୁରି ବିଷାକ୍ତ କରି ଦେଉଛି। ଏହାଦ୍ବାରା ଜମିର ଉର୍ବରତା ତ କମୁଛି, ଲୋକେ ମାରାତ୍ମକ ରୋଗର ଶିକାର ବି ହେଉଛନ୍ତି।
ମହାନଦୀର ପ୍ରଦୂଷିତ ଓ ରାସାୟନଯୁକ୍ତ ଜଳ ଦ୍ବାରା ଏସବୁ ଜିଲ୍ଲାରେ ଚାଷବାସ ପ୍ରଭାବିତ ହେଉଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।