ବରଗଡ଼, (ଅଂଜନ ପ୍ରଧାନ): ଛତିଶଗଡ଼ ମହାନଦୀ ଉପର ମୁଣ୍ଡ‌ରେ ମାତ୍ରାଧିକ ବ୍ୟାରେଜ୍‌ ନିର୍ମାଣ ଏବଂ ମନମୁଖୀ ଜଳ ପରିଚାଳନା କରି ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି। ପଡ଼ୋଶୀ ରାଜ୍ୟର ଏଭଳି କାରନାମା ଯୋଗୁଁ ଓଡ଼ିଶାରେ ଅଦିନିଆ ବନ୍ୟା ବି ହେଉଛି। ଏହି ପଡ଼ୋଶୀ ରାଜ୍ୟର ଏତିକିରେ ମନ ଶାନ୍ତି ହେଉନାହିଁ। ମହାନଦୀରେ ଏବେ ବିଷ ଛାଡ଼ିବାରେ ଲାଗିଛି! ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଓଡ଼ିଶାର ସ୍ବାର୍ଥକୁ ତ ସାମାନ୍ୟତମ ଧ୍ୟାନ ଦେଉନାହିଁ, ତା’ ସାଙ୍ଗକୁ ନିଜ ରାଜ୍ୟ ପ୍ରଦୂଷଣ ବୋର୍ଡ ପରାମର୍ଶକୁ ବି କର୍ଣ୍ଣପାତ କରୁନାହିଁ। ଫଳରେ; ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ ପାଇଁ ଯେଉଁ ଘୋଷଣା କରିଥିଲା, ତାହାକୁ ଶୀତଳଭଣ୍ଡା‌ରରେ ରଖିଦେଇଛି।

Advertisment

publive-image indiawaterportal.org

୮୫୧ କିଲୋମିଟର୍‌ ଦୀର୍ଘ ମହାନଦୀରୁ ଛତିଶଗଡ଼ର ଭାଗ ୩୫୭ କିଲୋମିଟର୍‌। ମହାନଦୀ ଅବବାହିକାରେ ସେଠାରେ ବହୁ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଛି। ଶିଳ୍ପାନୁଷ୍ଠାନଗୁଡ଼ିକୁ ଅହେତୁକ ଅନୁକମ୍ପା ଦେଖାଇ ଛତିଶଗଡ଼ ସରକାର ବ୍ୟାରେଜ୍‌ ନିର୍ମାଣ କରୁଛି। କେତେକ କ୍ଷେତ୍ରରେ ସେଠାକାର ସରକାର ସିଧାସଳଖ ସଂପୃକ୍ତ ଶିଳ୍ପାନୁଷ୍ଠାନକୁ ବି ସିଧାସଳଖ ବ୍ୟାରେଜ୍‌ ନିର୍ମାଣ ପାଇଁ ଅନୁମତି ଦେଉଛନ୍ତି। ଫଳରେ, ମହାନଦୀ ଉପରମୁଣ୍ଡରେ କଠିନ ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟ ଏବଂ ବାୟୋ ବର୍ଜ୍ୟବସ୍ତୁ ସିଧାସଳଖ ପଡ଼ୁଛି। କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ ଏକ ସର୍ଭେ ରିପୋର୍ଟ ଅନୁସାରେ, ଛତିଶଗଡ଼ ମହାନଦୀରେ ଦୈନିକ ୩ହଜାର କିଲୋଲିଟର୍‌ କେବଳ ଶିଳ୍ପ ବର୍ଜ୍ୟ ଛାଡ଼ୁଛି। ଅନ୍ୟ ବର୍ଜ୍ୟକୁ ଆକଳନ କଲେ ଏହା ଦୁଇଗୁଣା ହେବ। ପରିବେଶ ପ୍ରତି ନକାରାତ୍ମକ ପ୍ରଭାବ ପଡ଼ିବାରୁ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାପରେ ୨ଟି ଉଚ୍ଚକ୍ଷମତା ସଂପନ୍ନ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ଛତିଶଗଡ଼ ସରକାର ଘୋଷଣା କରିଥିଲେ। ମାତ୍ର, ଏପର୍ଯ୍ୟନ୍ତ ସୁଦ୍ଧା ଏହି ଘୋଷଣାକୁ କାର୍ଯ୍ୟକାରୀ କରିନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସେଠାକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ସରକାରଙ୍କ ଏହି ନିଷ୍ପତ୍ତି ନେଇ ଅସନ୍ତୋଷ ଝାଡ଼ିଥିଲା। ଅତିକମ୍‌ରେ ୧୦ଟି ପ୍ରକ୍ରିୟାକରଣ ପ୍ଲାଣ୍ଟ କରିବାକୁ ବୋର୍ଡ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏହି ପ୍ରସ୍ତାବର ବି କିଛି ଅଗ୍ରଗତି ଘଟୁନାହିଁ।

ଏଥିସହିତ, ଓଡ଼ିଶା ପ୍ରତି ଚିନ୍ତା ବଢ଼ାଇଛି ମହାନଦୀ ଅବବାହିକାରେ ଥିବା କୋଇଲା ଖଣି। ଦେଶର ୧୪ ପ୍ରତିଶତ କୋଇଲା ଛତିଶଗଡ଼ରୁ ମିଳିଥାଏ। କିନ୍ତୁ କୋଇଲା ଖନନ ଯୋଗୁଁ ମହାନଦୀ କୂଳରେ ଥିବା ଜଙ୍ଗଲ ନଷ୍ଟ ହେଉଛି। ମହାନଦୀ ଜଳ ଏହାଦ୍ବାରା ସର୍ବାଧିକ ପ୍ରଦୂଷିତ ହେବା ସହ ଜଳଜୀବନ ନଷ୍ଟ ହେଉଛି। କାରଣ କୋଇଲା ଗୁଣ୍ଡରେ ମାରାତ୍ମକ ‘କାର୍‌ସିନୋଜେନିକ୍‌’ ଧାତବ ପଦାର୍ଥ ରହିଥାଏ। ଯାହା କ୍ୟାନ୍‌ସର୍‌ର ମୁଖ୍ୟ କାରଣ ବୋଲି ବିଶେଷଜ୍ଞ କହୁଛନ୍ତି। ମହାନଦୀ କୂଳରେ ଥିବା ବରଗଡ଼ ଜିଲ୍ଲା କ୍ୟାନ୍‌ସର୍‌ ପ୍ରବଣ ଇଲାକା। ସମ୍ଭବତଃ, ମହାନଦୀର ପ୍ରଦୂଷଣ ବି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି।