ଝାରସୁଗୁଡ଼ା: ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ହେଉନି। ଏବେ ପୁଣି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ୧୯ ଖଣ୍ଡ ମୌଜାର ଜୀବନରେଖା କୁହାଯାଉଥିବା କେଲୋ ନଦୀର ମଧ୍ୟ ତଣ୍ଟି ଚିପି ସାରିଲାଣି ଛତିଶଗଡ଼। ରାଜ୍ୟ ସରକାରଙ୍କ ଆଖିରେ ଧୂଳି ଦେଇ ଛତିଶଗଡ଼ ସରକାର ଓଡ଼ିଶା ସୀମାରୁ ଅଳ୍ପ ଦୂରରେ କେଲୋ ନଦୀରେ ଦୁଇ ଦୁଇଟି ପ୍ରକଳ୍ପ ନିର୍ମାଣ କରିଥିବା ବେଳେ ଚଳିତ ଗ୍ରୀଷ୍ମରୁ ରାୟଗଡ଼ ଜିଲ୍ଲା ଭାଥେନ୍ପାଲି ବ୍ୟାରେଜ୍ କାର୍ଯ୍ୟକ୍ଷମ ମଧ୍ୟ ହେଲାଣି। ଶନିବାର ଭାଥେନ୍ପାଲି ଅଞ୍ଚଳରୁ କେଲୋ ନଦୀରେ ନିର୍ମିତ ଏହି ବ୍ୟାରେଜ୍ର ଚିତ୍ର ଆସିବା ପରେ ଏହା ଉପରେ ନିର୍ଭରଶୀଳ ୫ଟି ପଞ୍ଚାୟତର ଲୋକଙ୍କର ଚିନ୍ତା ବଢ଼ିଯାଇଛି।
ଛତିଶଗଡ଼ର କେଲୋ ଡ୍ୟାମ୍ ଯୋଗୁ ଅଣମୌସୁମୀ ଋତୁରେ ଓଡ଼ିଶା ଦେଇ ପ୍ରବାହିତ କେଲୋ ନଦୀରେ ମରୁଭୂମି ଭ୍ରମ ସୃଷ୍ଟି ହେଉଛି। ଏବେ ପୁଣି ଭାଥେନପାଲି ବ୍ୟାରେଜ୍ କାର୍ଯ୍ୟକ୍ଷମ ହୋଇଯାଇଥିବାରୁ କେଲୋ ନଦୀରେ ଜଳ ପ୍ରବାହ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ନଦୀର ଗତିପଥ ମଧ୍ୟ ପରିବର୍ତ୍ତନ ହେବା ନେଇ ଆଶଙ୍କା କରିଛନ୍ତି ସୀମାନ୍ତ କନକତୋରା ପଞ୍ଚାୟତ ଲୁହାବଗାର ଲୋକେ। ସ୍ଥାନୀୟ ଭାଥେନ୍ପାଲିରେ ଗତବର୍ଷଠାରୁ ବ୍ରିଜ୍ ଓ ବ୍ୟାରେଜ୍ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଏବେ ଶେଷ ହୋଇଛି। ଏବେ ଏହି ବ୍ରିଜ୍ ରାୟଗଡ଼ ଜିଲ୍ଲା ନୂଆପାଲି ଓ ଭାଥେନପାଲିକୁ ସଂଯୋଗ କରୁଛି। ଉପରେ ଲୋକଙ୍କ ପାଇଁ ଯାତାୟାତର ବ୍ୟବସ୍ଥା କରାଯାଇଥିବା ବେଳେ ବ୍ରିଜ ତଳେ ବ୍ୟାରେଜ୍ ନିର୍ମାଣ ହୋଇଛି। ଯେଉଁଠି କେଲୋ ଡ୍ୟାମ୍ରୁ ବୋହି ଆସୁଥିବା ଜଳ ସଂରକ୍ଷଣ କରାଯାଉଛି। ନଦୀରେ ଆସୁଥିବା ପାଣିର ୮୦ ପ୍ରତିଶତ ବ୍ୟାରେଜ୍ରେ ପଶି ଯାଉଥିବା ବେଳେ ଅଳ୍ପ ପାଣି ଓଡ଼ିଶା ପଟକୁ ଆସୁଛି। ଏହି ପ୍ରକଳ୍ପରୁ ମାତ୍ର ଦେଢ଼ କିମି ଦୂରରେ ନେତନାଗରଠାରେ ଆଉ ଏକ ଜଳ ସଂରକ୍ଷଣ ପ୍ରକଳ୍ପ ତଥା ଆନିକଟ ନିର୍ମାଣ ଆରମ୍ଭ ହୋଇଛି। ୬.୮୯ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଆନିକଟ ୨୬୦ ହେକ୍ଟର ଜମିକୁ ଜଳସେଚିତ କରିବ ବୋଲି ଛତିଶଗଡ଼ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଯାନ୍ତ୍ରିକ ସମସ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ଉକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନି। ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ନେତନଗର ସମେତ ନାଭାପାଲି, ବିଞ୍ଜକୋଟ, ଏକଟାଲ, ରେଙ୍ଗାଲପାଲି ଚାଷୀଙ୍କ ସୁବିଧା ହେବ ବୋଲି କୁହାଯାଉଛି।
ଗୋଟିଏ ପଟେ ଛତିଶଗଡ଼ ସରକାର ଓଡ଼ିଶା ଦେଇ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ଉପରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଜଳ ସଂରକ୍ଷଣ କରୁଥିବାରୁ ଅଣମୌସୁମୀ ଋତୁରେ ବି ସେଠାକାର ଜଳାଶୟରେ ପାଣି ଲହଡି ଭାଙ୍ଗୁଛି। ଅନ୍ୟପଟେ ଓଡ଼ିଶା ପଟର ଚିତ୍ର ଭନ୍ନ ରହିଛି। ଏକଦା ଝାରସୁଗୁଡ଼ା ଜିଲ୍ଲା ଲୁହାବଗା, ଅମାପାଲି, ବଡ଼ଧରା,କୁଶମେଲ ପଞ୍ଚାୟତର ଜୀବନରେଖା କୁହାଯାଉଥିବା ଏହି କେଲୋ ନଦୀରେ ମରୁଭୂମି ଭ୍ରମ ସୃଷ୍ଟି ହେଉଥିବା ବେଳେ ଏହି ନଦୀ ଉପରେ ନିର୍ଭରଶୀଳ ଲୋକେ ନିଜର ଜୀବନଜୀବିକା ହରାଇ ସାରିଲେଣି। ଚାଷୀ ଚାଷ କରିବା ଛାଡ଼ି ଦେଇଥିବା ବେଳେ ମତ୍ସ୍ୟଜୀବୀମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଥିବା ସ୍ଥାନୀୟ ଲୋକେ କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/sfhsfhfhsfhsfhfh.jpg)
