କଟକ: ଜାତୀୟ ରାଜନୀତିରେ ପ୍ରଭାବ ରଖୁଥିବା ଛତିଶଗଡର ପ୍ରଭାଶାଳୀ ପରିବାରର ଦୁଇ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ବେଳେ କଟକ ଆରପିଏଫ୍ ଥାନା ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ଉଭୟଙ୍କୁ ଛତିଶଗଡ଼ ପୁଲିସ ଜିମା ଦେଇଥିବା ଖବର ମିଳିଛି। ଛତିଶଗଡ଼ ବିଳାସପୁର ଜିଲ୍ଲା ସରକଣ୍ଡା ଥାନା ଅଞ୍ଚଳରେ ଗତକାଲି ସକାଳ ପ୍ରାୟ ୭ଟା ୧୫ରେ ଦୁଇ ଜଣ ନାବାଳିକା ନିଖୋଜ ହୋଇଯାଇଥିଲେ। ଲଏଲା ସ୍କୁଲରେ ଏହି ଦୁଇ ଛାତ୍ରୀ ଅଷ୍ଟମ ଶ୍ରେଣୀରେ ପଢ଼ନ୍ତି। ସେମାନେ ସ୍କୁଲ ଯିବା ରାସ୍ତାରେ ନିଖୋଜ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ସରକଣ୍ଡା ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା। ଛତିଶଗଡ଼ରୁ ପୁରୀ ଆଡ଼କୁ ଆସୁଥିବା ଟ୍ରେନରେ ଏହି ଦୁଇ ଜଣ ଆସିଥିବା ସେଠାକାର ପୁଲିସ ସନ୍ଦେହ କରିଥିଲା।
ଏହି ଆଧାରରେ ସରକଣ୍ଡା ପୁଲିସ କଟକ ଆରପିଏଫ୍ ଥାନାକୁ ଖବର ଦେଇଥିଲା। ପୁଲିସ ନାବାଳିକାଙ୍କ ନିକଟରେ ଥିବା ମୋବାଇଲ୍ ନମ୍ବରର ଲୋକେସନ୍ ଠାବ କରିବାକୁ ଉଦ୍ୟମ କରିଥିଲା। ମୋବାଇଲ୍ ପ୍ରଥମେ ସୁଇଚ ଅଫ୍ ଥିଲା। କିନ୍ତୁ ଯାଜପୁର ନିକଟରେ ସେମାନେ ମୋବାଇଲ ସୁଇଚ ଅନ୍ କରିବାରୁ ସେମାନଙ୍କୁ ପୁଲିସ ଠାବ କରିଥିଲା। ଏହି ଦୁଇ ନାବାଳିକାଙ୍କୁ ଉତ୍କଳ ଏକ୍ସପ୍ରେସରେ କଟକ ଅଣାଯାଉଥିଲା। ଟ୍ରେନ୍ କଟକ ଷ୍ଟେସନରେ ପହଞ୍ଚିବା ପରେ ପୂରା ଟ୍ରେନକୁ ଆରପିଏଫ୍ କର୍ମଚାରୀ ଯାଞ୍ଚ କରିଥିଲେ। କୋଚ ନଂ ଏସ-୮ରେ ଏହି ଦୁଇ ନାବାଳିକା ଥିବା ଦେଖିବାକୁ ମିଳିଥିଲା। ଶେଷରେ ଦୁଇ ନାବାଳିକାଙ୍କୁ ଟ୍ରେନରୁ ଉଦ୍ଧାର କରି ଆରପିଏଫର ମହିଳା ଓ ଶିଶୁ ଡେସ୍କକୁ ଅଣାଯାଇଥିଲା। ଏ ସଂକ୍ରାନ୍ତରେ ସରକଣ୍ଡା ଥାନା ପୁଲିସକୁ ଆରପିଏଫ୍ ଆଇଆଇସି ଅନିଲ ସିଂହ ସୂଚନା ଦେଇଥିଲେ। ସେମାନେ ପହଞ୍ଚିବା ପରେ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ ନାବାଳିକା ଦୁଇ ଜଣଙ୍କୁ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଠାବ କରାଯାଇ ପାରିନାହିଁ। ଅପହରଣ ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ବିଳାସପୁର ରେଳ ଷ୍ଟେସନରେ ସିସି କ୍ୟାମେରା ଯାଞ୍ଚ ପରେ ଅଧିକ ତଥ୍ୟ ସାମନାକୁ ଆସିପାରିବ ବୋଲି କୁହାଯାଉଛି।