ଝାରସୁଗୁଡ଼ା : ଚଳିତ ମୌସୁମୀ ଋତୁରେ ଛତିଶଗଡ଼ ପ୍ରଥମ କରି ମଙ୍ଗଳବାର ମହାନଦୀକୁ ଜଳ ଛାଡ଼ିଛି। ସ୍ବଳ୍ପ ବୃଷ୍ଟିପାତ ସାଙ୍ଗକୁ ଛତିଶଗଡ଼ର ମନମୁଖି କାର୍ଯ୍ୟ ଯୋଗୁ ମହାନଦୀର ଓଡ଼ିଶା ପାର୍ଶ୍ବ ଟାଙ୍ଗରା ଭୂଇଁ ପାଲଟିଥିଲା। ତେବେ ଅଚାନକ ଗତକାଲିଠାରୁ ଛତିଶଗଡ଼ ସରକାର କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ କରୁଛନ୍ତି। ଦୀର୍ଘଦିନ ଧରି ଶୁଖିଲା ପଡ଼ିଥିବା ମହାନଦୀର ଲଖନପୁର ବ୍ଲକ ଶୁଖାସୋଢ଼ା ଓ ଶରଧା ଘାଟ ଆଦି ସ୍ଥାନରେ ବୁଧବାର ସକାଳୁ ପ୍ରାୟ ଅଣ୍ଟାଏ ପାଣି ପ୍ରବାହିତ ହେଉଛି। କଲମା ବ୍ୟାରେଜ୍ ସହ କେଲୋ ନଦୀର ଲାଖାଠାରେ ଥିବା କେଲୋ ଡ୍ୟାମ୍ରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଫଳରେ ଛତିଶଗଡ଼-ଓଡ଼ିଶା ସୀମାନ୍ତ ଦେଇ ପ୍ରବାହିତ କେଲୋ ନଦୀ କୂଳର ଲୋକେ ଆଶ୍ବସ୍ତି ଅନୁଭବ କରିଛନ୍ତି। ଗୋଟିଏ ପଟେ ଛତିଶଗଡ଼ରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ହୋଇ ନଥିବା ବେଳେ ଆଉ ଗୋଟିଏ ପଟେ ବନ୍ଧ ବାନ୍ଧି ପାଣିକୁ ଅଟକାଇ ରଖିଥିବା ଛତିଶଗଡ଼ ସରକାର ପାଣି ଛାଡ଼ି ଦେଇଛନ୍ତି। ଯାହାକୁ ନେଇ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଏବେ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରେ ଛତିଶଗଡ଼ କଲମା ବ୍ୟାରେଜରୁ ପାଣି ଛାଡ଼ିବା ଘଟଣା ସମ୍ପର୍କରେ ଅବଗତ ଥିବା ନେଇ କହୁଥିବା ବେଳେ ମୌସୁମୀ ବର୍ଷାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଉତ୍ତର ରଖିଛନ୍ତି।
ଗତବର୍ଷ ତୁଳନାରେ ଚଳିତ ଜୁନ୍ରେ ଛତିଶଗଡ଼ରେ ୯୬ ପ୍ରତିଶତ କମ୍ ବୃଷ୍ଟିପାତ ରେକର୍ଡ ହୋଇଛି। ଏହାବାଦ୍ ଆଜିକାର ସ୍ଥିତି ଅନୁସାରେ, ଛତିଶଗଡ଼ର ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରିରହିଛି। ଏଭଳି ସ୍ଥିତିରେ ଜୁନ୍ ୨୫ ସୁଦ୍ଧା ଛତିଶଗଡ଼କୁ ମୌସୁମୀ ପହଞ୍ଚିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମଙ୍ଗଳବାରଠାରୁ ମହାନଦୀ ଉପରମୁଣ୍ଡରେ ବର୍ଷା ଆରମ୍ଭ ହୋଇଛି। ବୁଧବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ମହାନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ୩.୭୫ ମିମି ବର୍ଷା ରେକର୍ଡ କରାଯାଇଛି।
ଛତିଶଗଡ଼ର କିଛି ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୬ରୁ କଲମା ବ୍ୟାରେଜ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ହେବା ନେଇ ସେଠାକାର ସରକାର ସୂଚନା ଦେଇଥିଲେ। ତେବେ ଠିକ୍ ସମୟରେ ମୌସୁମୀ ନପହଞ୍ଚିବାରୁ ୧୬ ତାରିଖରେ ଗେଟ୍ ଖୋଲା ଯାଇନଥିଲା। ଏହାପରେ ଛତିଶଗଡ଼ ସରକାର ଏକାସାଙ୍ଗରେ କଲମା ବ୍ୟାରେଜର ୧୦ଟି ଗେଟ୍ ଖୋଲି ଦେଇଥିବା ବେଳେ ପୁଣି କିଛି ସମୟ ଭିତରେ ୫ଟି ଗେଟ୍ ବନ୍ଦ କରି ଦେଇଥିଲେ। ବର୍ତ୍ତମାନ କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ସେହିଭଳି କେଲୋ ଡ୍ୟାମ୍ର ମଧ୍ୟ ୨ଟି ଗେଟ୍ ଦେଇ ପାଣି ଛଡ଼ାଯାଇଥିବା ନେଇ ସୂଚନା ମିଳିଛି। ଅପରପକ୍ଷେ, କଲମା ବ୍ୟାରେଜ୍ର ଉପରମୁଣ୍ଡ ଓ ତଳମୁଣ୍ଡରେ ଦୁଇଟି ସ୍ଥାନରେ ଛତିଶଗଡ଼ ସରକାର ଇନ୍ଟେକ୍ ୱେଲ୍ କରିଛନ୍ତି। ଯେଉଁଠୁ ପାଣି ସିଧାସଳଖ ଏକ କମ୍ପାନିକୁ ଯାଇଥାଏ। ତେବେ କମ୍ପାନିର କୌଣସି ଅଧିକ ଆବଶ୍ୟକତାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାର ପାଣି ଛାଡ଼ିଥାଇ ପାରନ୍ତି ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ କହିଛନ୍ତି।
ମହାନଦୀରେ ପାଣି ଆସିବାକୁ ଇତିମଧ୍ୟରେ ୨୪ ଘଣ୍ଟା ହେବାକୁ ଯାଉଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହା ହୀରାକୁଦ ଜଳଭଣ୍ଡାରର ଜଳସ୍ତରରେ କୌଣସି ପ୍ରଭାବ ପଡ଼ିନି। ବୁଧବାର ସକାଳୁ ବନ୍ଧ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁସାରେ, ଜଳଭଣ୍ଡାରର ଜଳସ୍ତର ୬୦୦.୪୧ ଫୁଟ୍ ରହିଥିବା ବେଳେ ଜଳଭଣ୍ଡାରକୁ ମାତ୍ର ୩୫୦ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଦୀର୍ଘଦିନ ପରେ ଉଭୟ ମହାନଦୀ ଓ କେଲୋ ନଦୀରେ ପାଣି ଆସିବା ପରେ କୂଳରେ ଥିବା ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରାୟ ୧ ମାସ ହେବ କୂଳରେ ବନ୍ଧା ହୋଇଥିବା ମାଛଧରା ଡଙ୍ଗା ଆଜି ପୁଣିଥରେ ପାଣିକୁ ଓହ୍ଲାଇଛି। ସେପଟେ, ତଟସ୍ଥିତ ଗାଁଗୁଡ଼ିକର ଲୋକେ ଗାଧୋଇବା ସହିତ ଅନ୍ୟାନ୍ୟ କାମ ପାଇଁ ନଦୀ କୂଳରେ ଭିଡ଼ ଲଗାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ମହାନଦୀ ପାଣି ତଥା କେଲୋ ନଦୀର ପାଣି ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀ ବି ବିହନ ବୁଣିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।