ଫୁଲବାଣୀ: ଛତିଶଗଡ଼ ଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ ଲାଲ୍ବାହିନୀ ବଡ଼ ହିଂସା ଘଟାଇବାକୁ ଯୋଜନା କରିଥିଲେ। ହେଲେ ପୁଲିସ ବଡ଼ଧରଣର ସର୍ଚ୍ଚ ଅପରେସନ୍ ହାତକୁ ନେଇ ହିଂସାକୁ ପଣ୍ଡ କରିବାରେ ସଫଳ ହେବା ସହ ଦୁଇଟି ଆଇଇଡି ବୋମାକୁ ନିଷ୍କ୍ରିୟ କରିଛି। ଶିବିରକୁ ଧ୍ବଂସ କରାଯିବା ସହ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। କନ୍ଧମାଳ ଏସ୍ପି ହରିଶ ବି.ସି. ଆଜି ସନ୍ଧ୍ୟାରେ ଅପରେସନ୍ର ସଫଳତା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କନ୍ଧମାଳ-କଳାହାଣ୍ଡି ସୀମାନ୍ତ ବାଲିଗୁଡ଼ା, ତୁମୁଡ଼ିବନ୍ଧ ଏବଂ ଏମ୍.ରାମପୁର ଅଞ୍ଚଳରେ ପୁଲିସ, ସିଆର୍ପିଏଫ୍, ଏସ୍ଓଜି ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍କୁ ଜୋର୍ଦାର କରାଯାଇଥିଲା। ବାଲିଗୁଡ଼ା ଥାନା ଅନ୍ତର୍ଗତ ମାର୍ଦୁଲି ନିକଟରୁ ଏକ ମାଓ ଶିବିରକୁ ଠାବ କରାଯାଇଥିଲା।
ବିକେଶ ନେତୃତ୍ବାଧୀନ କ୍ୟାମ୍ପରୁ ବିପୁଳ ନକ୍ସଲ ସାମଗ୍ରୀ ଜବତ
ଏହି ସମୟରେ ମାଓବାଦୀମାନେ ଶିବିର ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ମାର୍ଦୁଲି ଗାଁ ନିକଟ ରାସ୍ତା ତଳେ ଦୁଇଟି ଆଇଇଡି ବୋମା ଖଞ୍ଜା ଯାଇଥିବା ଜଣାପଡ଼ିବା ପରେ ଏହାକୁ ନିଷ୍କ୍ରିୟ କରାଯାଇଥିଲା। ପରେ ଶିବିର ଉପରେ ଚଢ଼ଉ କରାଯାଇ ଗୋଟିଏ ଦେଶୀ ବନ୍ଧୁକ, ହାଭରସାକ୍, ସୋଲାର୍ ପ୍ଲେଟ୍, ମାଓବାଦୀଙ୍କ ୟୁନିଫର୍ମ, କମ୍ବଳ, ଚପଲ, ବିଦ୍ୟୁତ୍ ତାର, ଛତା, ଚାଉଳ, ରନ୍ଧନ ସାମଗ୍ରୀ, ଚିନି, ପନିପରିବା, ତେଲ, ପ୍ଲାଷ୍ଟିକ୍ ବ୍ୟାଗ୍, ବାଲ୍ଟି, ତାର୍ପୋଲିନ୍, ପାଣିପାତ୍ର, ଆଳୁ ପିଆଜ ଆଦି ଜବତ କରାଯାଇଥିବା ଏସ୍ପି କହିଛନ୍ତି। କେକେବିଏନ୍ ଡିଭିଜନ୍ର ଅଷ୍ଟମ କମ୍ପାନି ମାଓନେତା ବିକେଶ ନେତୃତ୍ବରେ ଶିବିର ପରିଚାଳିତ ହେଉଥିଲା ବୋଲି ଏସ୍ପି ସୂଚନା ଦେଇଛନ୍ତି। ପ୍ରକାଶଥାଉକି, ମାଓନେତ୍ରୀ ମମତା ନେତୃତ୍ବରେ କେକେବିଏନ୍ ମାଓ ଡିଭିଜନ୍ ଏବେ ୪ଟି ପ୍ରମୁଖ ଏରିଆ କମିଟିରେ ବିଭକ୍ତ ହୋଇ ସେମାନଙ୍କ ନେଟ୍ୱର୍କକୁ ସଶକ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ମମତା ଏହି ୪ଟି ଏରିଆ କମିଟିର ସର୍ବୋଚ୍ଚ ନେତ୍ରୀ ଭାବେ ସଂଗଠନକୁ ବଢ଼ାଉଛନ୍ତି। ବାଘନଦୀ ଏରିଆ କମିଟି, ରାହୁଲ ନଦୀ ଏରିଆ କମିଟି, କାଡ଼ାଙ୍ଗ ଏରିଆ କମିଟି ଏବଂ ମହାନଦୀ ଏରିଆ କମିଟି ଏବେ କନ୍ଧମାଳ-ବୌଦ୍ଧ-କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ରହିଛି। ଏହା ଏବେ ପୁଲିସ ପାଇଁ ବଡ଼ ଆହ୍ବାନ ପାଲଟିଛି। ଛତିଶଗଡ଼ରେ ମାଓ ହମଲା ପରେ କେମିତି କନ୍ଧମାଳରେ ମାଓ ଗତିବିଧି ରହିଛି, ସେ ସଂପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ କନ୍ଧମାଳ ପୁଲିସ ଅଧିକ ତତ୍ପର ହୋଇଉଠିଛି।