ସରଫଗଡ ଡ୍ୟାମ୍ ବନ୍ଧ ଉପରେ ଛତିଶଗଡ଼ ଯୁବକଙ୍କୁ ହତ୍ୟା!

ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଡ୍ୟାମ୍‌ର ମୁଖ୍ୟବନ୍ଧ ରାସ୍ତା ଉପରେ ଜଣେ ଅଜଣା ଯୁବକଙ୍କ ରକ୍ତାକ୍ତ  ଶବ ପଡ଼ିଥିବା ଅବସ୍ଥାରେ ଗତକାଲି ରାତିରେ ପୁଲିସ ଉଦ୍ଧାର କରିଥିଲା। ଲେଫ୍ରିପଡ଼ା ପୁଲିସ, ଲେଫ୍ରିପଡ଼ା ଅତିରିକ୍ତ ତହସିଲଦାର ମନୋଜ କେର୍କେଟା, ସୁନ୍ଦରଗଡ ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ସୁନ୍ଦରଗଡ଼ ମର୍ଗରେ ସଂରକ୍ଷିତ ରଖାଯାଇଥିଲା। ଯୁବକଜଣକୁ ସୁପରିକଳ୍ପିତ ଭାବେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଯୁବକର ନାକରୁ ରକ୍ତସ୍ରାବ ହୋଇଥିବା ବେଳେ ବେକରେ କ୍ଷତ ଚିହ୍ନ ମିଳଛି। ତେବେ ମୃତ ଯୁବକ ଜଣକ ପଡ଼ୋଶୀ ଛତିଶଗଡ଼ର ଲଇଲୁଙ୍ଗା ଥାନା ଅନ୍ତର୍ଗତ ଛତାସର୍ଗି ଗ୍ରାମର ସ୍ବର୍ଗତ ବେଦରାମ ପଟେଲଙ୍କ ପୁଅ ଦୀପକ ପଟେଲ(୨୧) ବୋଲି ଜଣାପଡିଛି। ଶବ ନିକଟରେ ଏକ ଖାଲି ମଦ ବୋତଲ ଏବଂ ପାଣି ବୋତଲ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି।

ଦୀପକ କେତେକ ସାଙ୍ଗଙ୍କ ସହିତ ଘରୁ ମୋଟରସାଇକେଲରେ ଆସିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। କିନ୍ତୁ ସାଙ୍ଗମାନଙ୍କ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି। ଲଇଲୁଙ୍ଗା ଥାନାରେ ପରିବାର ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ବେଳେ ଖବରପାଇ ଆଜି ତାଙ୍କ ପରିବାରବର୍ଗ ଥାନାରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ କରି ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଲେଫ୍ରିପଡ଼ା ଆଇଆଇସି ହେମାଙ୍ଗିନୀ ଗର୍ଡିଆ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ହତ୍ୟାକାରୀମାନଙ୍କ ସଂପର୍କରେ ଏ ଯାବତ୍‌ କୌଣସି ସୁରାକ ମିଳି ନ ଥିବା ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଏଠାରେ ନିୟମିତ ଭାବେ ଅସାମାଜିକ ତତ୍ତ୍ୱମାନଙ୍କ ଆସର ଜମୁଥିବା ତଥା ଏଠାରେ ଆବଶ୍ୟକୀୟ ଆଲୋକୀକରଣ ଏବଂ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ମଦମାଂସ ଓ ଜୁଆର ଆସର ଚାଲୁଥିବା ବେଳେ ସ୍ଥାନୀୟ ଇକୋ-ଟୁରିଜମକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ନିଜକୁ ନିରାପଦ ମଣୁନାହାନ୍ତି। ଏ ନେଇ ‘ସମ୍ବାଦ’ରେ ନିୟମିତ ଖବର ପ୍ରକାଶ ପରେ ସୁ୍ଦ୍ଧା କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଏଭଳି ଘଟଣାମାନ ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର