ସିନ୍ଧେକେଲା : ଛତିଶଗଡ଼ରେ ବଲାଙ୍ଗୀରର ୪ଜଣ ଦାଦନ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ, ଏହି ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ୍ ତଥା ସିନ୍ଧେକେଲା ଥାନା ଅନ୍ତର୍ଗତ ଦେଢ଼ଗାଁ ପଞ୍ଚାୟତ ଡେଙ୍ଗପଦର ଗ୍ରାମର ଭୋଳାନାଥ ଯାଦବ (୩୪ବର୍ଷ) , ତାଙ୍କ ସ୍ତ୍ରୀ ନୈନା ଯାଦବ (୩୦ବର୍ଷ), ଝିଅ ମୁକ୍ତା (୭ବର୍ଷ) ଓ ପୁଅ ପ୍ରମୋଦ (୧୨ବର୍ଷ)।
ସୂଚନା ଅନୁସାରେ, ଭୋଳାନାଥ କିଛିବର୍ଷ ତଳେ ପରିବାର ସହ ଛତିଶଗଡ଼ ରାଜ୍ୟର ଭିଲାଇସ୍ଥିତ ଓକାଲା ନିକଟରେ ଥିବା ଏକ ବାଡ଼ିରେ କାମ କରିବାକୁ ଯାଇଥିଲେ। ବୁଧବାର ରାତିରେ କୌଣସି କାରଣରୁ ଦୁର୍ବୃତ୍ତମାନେ ପରିବାରର ଚାରିଜଣଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ଏହି ଘଟଣା ବିଭିନ୍ନ ସୋସିଆଲ ମିଡିଆରୁ ଜଣାପଡ଼ିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଏ ବିଷୟରେ ଛତିଶଗଡ଼ ପୁଲିସଠାରୁ କିଛି ଖବର ଆସି ନାହିଁ ବୋଲି ସିନ୍ଧେକେଲା ଥାନାଧିକାରୀ ଆଲୋକ ବେହେରା କହିଛନ୍ତି। ତେବେ, କେତେକ ଜାତୀୟ ଗଣମାଧ୍ୟମରେ ଏସମ୍ପର୍କରେ ଖବର ପ୍ରକାଶ ପାଇଛି। ଖବର ଅନୁସାରେ, ସେମାନେ କାର୍ଯ୍ୟ କରୁଥିବା ଫାର୍ମ ବାହାରେ ଉଭୟ ଭୋଳାନାଥ ଓ ନୈନାଙ୍କ ମୃତଦେହ ପଡ଼ିଥିବା ବେଳେ ଘର ଭିତରେ ଦୁଇ ନାବାଳକ ପୁଅଝିଅଙ୍କ ମୃତଦେହ ପଡ଼ିଥିଲା। ସ୍ଥାନୀୟ ପୁଲିସ୍ ସେଠାରୁ ଏକ କୁରାଢ଼ି ଜବତ କରିଛି. ଯାହାକୁ ଭିତ୍ତିକରି ଏହା ଏକ ହତ୍ୟାକାଣ୍ଡ ବୋଲି ଅନମୁାନ କରାଯାଉଛି। ଦୁର୍ଗର ପୁଲିସ ଏସ୍ପି ଅଭିଷେକ ପଲ୍ଲାଭାଙ୍କ କହିବାନୁସାରେ, କିଛି ସ୍ଥାନୀୟ ଲୋଙ୍କଠାରୁ ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ମୃତକଙ୍କୁ ଜାଣିଥିବା କେହି ଏହିଭଳି ଅପରାଧ ଘଟାଇଥାଇ ପାରନ୍ତି। ‘ଆମେ ଉଭୟ ଶତ୍ରୁତା ଓ ଆର୍ଥିକ ଦିଗକୁ ଅନୁଧ୍ୟାନ କରୁଛନ୍ତି। ଅାମେ ମଧ୍ୟ ମୃତକଙ୍କ ସମ୍ପର୍କୀଙ୍କଠାରୁ ୫ଲକ୍ଷ ଟଙ୍କା ଜବତ କରିଛୁ। ମାତ୍ର, ତଦନ୍ତ ଦୃଷ୍ଟିରୁ ସମ୍ପର୍କୀୟଙ୍କ ନାମ ପ୍ରକାଶ କରିନାହୁଁ,’ ବୋଲି ଏସ୍ପି କହିଛନ୍ତି। ଏସ୍ପି ଆହୁରି ମଧ୍ୟ କହିଛନ୍ତି ଯେ ଗତକାଲି ସଂଧ୍ୟାରେ ମୃତ ଭୋଳାନାଥଙ୍କ ଜଣେ ସାନଭାଇ ଓ ତାଙ୍କ ସାଙ୍ଗସାଥୀ ମଦପିଇଥିବା ପୁଲିସ ଜାଣିବାକୁ ପାଇଛି। ଏହାପରେ ସାନଭାଇ ଜଣକ ଓଡ଼ିଶା ପଳାଇଛନ୍ତି। ଶବଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।