ଝାରସୁଗୁଡ଼ା: ମହାନଦୀ ଜଳବିବାଦ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଅବ୍ୟବହିତ ପୂର୍ବରୁ ମହାନଦୀ ଜଳ ଛାଡ଼ିବା ପ୍ରସଙ୍ଗ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ବୁଧବାର ‘ସମ୍ବାଦରେ ‘ଛତିଶଗଡ଼ର ଚାଲାଖି ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଛତିଶଗଡ଼ ସରକାରର ଅସଲ ଚେହେରା ପଦାରେ ପଡ଼ିଛି। ସେପଟେ, ଛତିଶଗଡ଼ ସରକାର ଗତକାଲି ସୁଦ୍ଧା କଲମା ବ୍ୟାରେଜ୍‌ର ୧୭ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରୁଥିବା ବେଳେ ଆଜି ଆଉ ୩ଟି ଗେଟ୍‌ ପୁଣି ଖୋଲିଛନ୍ତି। ଫଳରେ ବୁଧବାର ସନ୍ଧ୍ୟା ସୁଦ୍ଧା ମୋଟ୍‌ ୨୦ଟି ଗେଟ୍‌ ଦେଇ ମହାନଦୀକୁ ଜଳ ପଶୁଛି।

Advertisment

ହୀରାକୁଦ ବନ୍ଧ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମହାନଦୀ ଟ୍ରିବ୍ୟୁନାଲଙ୍କ ଛତିଶଗଡ଼ ଗସ୍ତ ପରଠାରୁ ଛତିଶଗଡ଼ ସରକାର ମହାନଦୀର ତଳମୁଣ୍ଡକୁ ପାଣି ଛାଡ଼ିବା ଆରମ୍ଭ କରି ଦେଇଥିଲେ। ଗତକାଲି କଲ୍‌ମାର ଗେଟ୍‌ ଖୋଲାଯାଇଛି, କିନ୍ତୁ ଏହା ପୂର୍ବରୁ ମହାନଦୀର ମୁଖ୍ୟସ୍ରୋତରେ ଉପରମୁଣ୍ଡରେ ରହିଥିବା ସିୱରି ନାରାୟଣ, ସମୋଦା, ବସନ୍ତପୁର, ମିରୋନି, ସାରାଡିହି ବ୍ୟାରେଜ୍‌ରୁ ମଧ୍ୟ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଫଳରେ ବର୍ତ୍ତମାନ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍‌ର ଜଳସ୍ତର ନିର୍ଦ୍ଧାରିତ କ୍ଷମତା ସହିତ ସମାନ ରହିଛି। ଏହି ଧାରା ଜାରି ରହିଲେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଦ୍ବିତୀୟ ପର୍ଯ୍ୟାୟ ଗସ୍ତ ଯାଏ ଅର୍ଥାତ୍‌ ଆସନ୍ତା ୨୯ ତାରିଖ ଯାଏ ଛତିଶଗଡ଼ର ସବୁ ବ୍ୟାରେଜ୍‌ର ଜଳସ୍ତର ବିପଦ ସଙ୍କେତ ତଳକୁ ରହିବ। ତେବେ ଛତିଶଗଡ଼ ସରକାର ଯେତେ ଫାଙ୍କିଲେ ବି ଏହି ସମସ୍ତ କର୍ତ୍ତୃତ୍ବ ସିଡବ୍ଲ୍ୟୁସି ନିକଟରେ ରହିଥିବା ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେପଟେ, କଲମାରୁ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ମାତ୍ର ଗେଟ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଖୋଲାଯାଇ ନାହିଁ। ପ୍ରତିଟି ଗେଟ୍‌ ୧୦ ଇଞ୍ଚ ଲେଖାଏଁ ଖୋଲି ଜଳ ନିଷ୍କାସନ କରାଯାଉଥିବାରୁ ଓଡ଼ିଶାକୁ ବି‌ଶେଷ ପାଣି ଆସି ପାରୁନଥିବା କର୍ତ୍ତୃପକ୍ଷ କହିଛନ୍ତି।

ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଆଣିଥିବା ଅଭିଯୋଗକୁ ସତ ପ୍ରମାଣିତ କରୁଛି ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳର ପରିମାଣ। ଗତ ୨୦ ତାରିଖରେ ହୀରାକୁଦ ଜଳ ଭଣ୍ଡାରକୁ ୧୦୩୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ୨୧ ତାରିଖରେ ତାହା ବୃଦ୍ଧି ପାଇ ୧୦୫୪ କ୍ୟୁସେକ୍‌, ୨୨ ତାରିଖରେ ୧୦୫୫ କ୍ୟୁସେକ୍‌, ୨୩ ତାରିଖରେ ୧୧୩୮ କ୍ୟୁସେକ୍‌, ୨୪ ତାରିଖରେ ୧୨୯୦ କ୍ୟୁସେକ୍‌, ୨୫ ତାରିଖରେ ୧୪୭୨ କ୍ୟୁସେକ୍‌ ଓ ଆଜି ୧୬୬୧ କ୍ୟୁସେକ୍ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି।