ଶୋଇଛି ବନ ବିଭାଗ: ଓଡ଼ିଶାରେ ପଶି ଶତାଧିକ ଗଛ କାଟିଦେଲେ ଛତିଶଗଡ଼ ଲୋକେ

ସୀମା ନିର୍ଦ୍ଧାରଣ ତଦନ୍ତ ପାଇଁ ସହଯୋଗ କରୁନାହାନ୍ତି ଛତିଶଗଡ଼ ସରକାର

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳର ଆନ୍ଧ୍ର ସୀମାକୁ ଲାଗି ରହିଥିବା ବହୁ ଗ୍ରାମକୁ ଆନ୍ଧ୍ର ନିଜ କବଜାକୁ ନେବା ପାଇଁ ସମସ୍ତ ସହଯୋଗ ଲୋକଙ୍କୁ କରିବା ସହ ସେମାନଙ୍କୁ ଶିକ୍ଷା, ପାନୀୟ ଜଳ, ରାସନକାର୍ଡ ସହ ବିଦ୍ୟୁତ ଯୋଗାଇ ଦେଉଛି। ଲୋକେ ମଧ୍ୟ ଓଡ଼ିଆ ବଦଳରେ ଏହି ଅଂଚଳରେ ତେଲୁଗୁ କହିବାକୁ ପସନ୍ଦ କରୁଛନ୍ତି। ଆନ୍ଧ୍ରର କବଜା ପରେ ଏବେ ଛତିଶଗଡ଼ ଧୀରେ ଧୀରେ ଓଡ଼ିଶା ଭିତରେ ପଶି କବଜା କରିବାକୁ ଚେଷ୍ଟା ଆରମ୍ଭ କରିଛି, ଯାହାର ଉଦାହରଣ ହେଉଛି ମାଥିଲି ବ୍ଲକର ସୀମାନ୍ତ ଛତିଶଗଡ଼କୁ ଲାଗି ରହିଥିବା କମାରପାଲୀ ପଞ୍ଚାୟତର ଶତାଧିକ ଗଛକୁ କାଟି ଏବେ ନିଜ ସୀମାରେ ମିଶାଇବାକୁ ଚେଷ୍ଟା ଆରମ୍ଭ କରିଛି।

ଗତ କିଛିଦିନ ହେଲା ଛତିଶଗଡ଼ର ଚିନ୍ତଲନାଡ ଅଂଚଳର ଲୋକେ ଓଡ଼ିଶା ଭିତରେ ପଶି ଶତାଧିକ ବଡ ବଡ ଗଛ କାଟି ପଦା କରିଦେଲେ। କିନ୍ତୁ ବନ ବିଭାଗ ଟେର ମଧ୍ୟ ପାଇପାରିଲା ନାହିଁ। ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ସେମାନେ ଓଡ଼ିଶା ଭିତରେ ପଶି ଆସିଲେଣି। କିନ୍ତୁ ପ୍ରଶାସନ ମଧ୍ୟ ଚୁପ ହୋଇ ବସି ରହିଛି।ବନ ବିଭାଗର ଖାମଖିଆଲି ମନଭାବ ଯୋଗୁଁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି।

ଏ ଅଂଚଳର ଜଂଗଲକୁ ତଦାରଖ କରାଯାଉନଥିବାରୁ ଏଭଳି ଅବସ୍ଥା ହୋଇଥିବା କୁହାଯାଇଛି। ଲଗାତାର ବନ ବିଭାଗର କର୍ମଚାରୀ ଏହି ଅଂଚଳକୁ ପରିଦର୍ଶନ କରି ବୁଲୁଥାନ୍ତେ। ତେବେ ଏଭଳି ଅବସ୍ଥା ହୋଇନଥାନ୍ତା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଯେତେବେଳେ କମାରପାଲୀ ପଞ୍ଚାୟତର ଲୋକେ ଛତିଶଗଡ ଲୋକଙ୍କର ଏଭଳି କାରନାମା ଦେଖିଲେ ତୁରନ୍ତ ଏହାକୁ ବନ୍ଦ କରିାବକୁ ସେମାନଙ୍କୁ ତାଗିଦ କଲେ ମଧ୍ୟ ସେମାନେ ଆମ ଅଂଚଳର ଜଂଗଲକୁ ଆମେ କାଟିଲୁ ବୋଲି ଯୁକ୍ତି ବାଢିଥିଲେ। ଯାହାକୁ ନେଇ ଏବେ ସୀମା ନିର୍ଦ୍ଧାରଣର ପ୍ରଶ୍ନ ଉଠିଛି।

ଅନ୍ୟଦିଗରେ ମାଥିଲି ତହସିଲ ପକ୍ଷରୁ ଗତକାଲି ତହସିଲଦାର ନିଜେ ଘଟଣାସ୍ଥଳରେ ଯାଇ ତଦନ୍ତ କରିଥିଲେ। ଛତିଶଗଡ଼ର ବିଭାଗୀୟ ଅଧିକାରୀ ଏବଂ ଓଡ଼ିଶାର ବିଭାଗୀୟ ଅଧିକାରୀଙ୍କ ମିଳିତ ତଦନ୍ତରେ ଏହାକୁ ସମାଧାନ କରାଯାଇପାରିବ ବୋଲି କୁହାଯାଇଛି। ତେବେ ଛତିଶଗଡର ଅଧିକାରୀମାନେ ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ସେମାନେ ଏନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବା କୁହାଯାଇଛି। ଲକ୍ଷାଧିକ ଟଂକାର ଗଛକୁ ଛତିଶଗଡ ଲୋକେ ଓଡ଼ିଶା ଭିତରେ ପଶି କାଟି ଦେଲେ ତାହାର ଖବର ବନ ବିଭାଗକୁ ପହଞ୍ଚୁ ନାହିଁ, ତାହା ଏବେ ସଂଦେହ ସୃଷ୍ଟି କରିଛି। ବନ ବିଭାଗ ବୃକ୍ଷରୋପଣରେ କେତେ ତତ୍ପରତା ଦେଖାଉଛି ତାହା ସାଧାରଣରେ ଅଗୋଚର। ଏବେ ଏତେ ସଂଖ୍ୟାକ ଗଛ କାଟି ଦିଆଗଲା ସେନେଇ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଂକ ପ୍ରତିକ୍ରିୟା ମିଳିପାରି ନାହିଁ। ତୁରନ୍ତ ଏନେଇ ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର