ରାଇଘର : ଛତିଶଗଡ଼ରେ ଗତକାଲି ମାଓବାଦୀଙ୍କ ସହ ଗୁଳି ବିନିମୟ ପରେ ଦୁଇଜଣ ଯୁବକଙ୍କୁ ଓଡ଼ିଶା ପୁଲିସ ଉଠାଇ ଆଣିଥିବା ସୂଚନା ମିଳିଛି। ମାଓବାଦୀ ସନ୍ଦେହରେ ପୁଣି ଆଣିବା ପରେ ସେମାନଙ୍କୁ ଗୁପ୍ତ ଠିକଣାରେ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି। ଆଜି ଛତିଶଗଡ଼ର ୮ଟି ପଞ୍ଚାୟତର ୪ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ଓଡ଼ିଶା ଆସିଛନ୍ତି। ରାଇଘର ଥାନାରେ ପହଞ୍ଚି ପ୍ରବଳ ହୋ’ହଲ୍ଲା କରିଛନ୍ତି। ପୁଲିସ ଆଦୌ ମୁହଁ ଖୋଲୁନଥିବା ବେଳେ ଯୁବକ ଦ୍ବୟ ମୋତିପାଣି ଗ୍ରାମର ହେମଲାଲ୍ ନାଗେଶ (୩୧) ଓ ଭୂତବେଡ଼ା ଗ୍ରାମର ପ୍ରକାଶ ମାର୍କମ (୨୦) ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଗତକାଲି ଛତିଶଗଡ଼ ଗୋରିଆବନ୍ଧ ଜିଲ୍ଲାର ସାଇବାନି ଜଙ୍ଗଲରେ ମାଓବାଦୀ ରହିଥିବା ସୂଚନା ମିଳିଥିଲା। ଓଡ଼ିଶା ପୁଲିସ ତତ୍ପରତା ପ୍ରକାଶ କରି ଏସ୍ଓଜି ଯବାନଙ୍କୁ ପଠାଇଥିଲା। ମାଓବାଦୀଙ୍କ କ୍ୟାମ୍ପ ନିକଟରେ ଯବାନମାନେ ପହଞ୍ଚିବା ପରେ ଅଧଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଶେଷରେ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ ମାଓବାଦୀ। ତେବେ ଯବାନମାନେ ଅପରେସନ ସାରି ଫେରିବା ସମୟରେ ଦୁଇ ଜଣ ଯୁବକଙ୍କ ସନ୍ଦିଗ୍ଧ ଗତିବିଧି ନଜରକୁ ଆସିଥିଲା। ତେଣୁ ଉଭୟଙ୍କୁ ସେଠାରୁ ଉଠାଇ ଆଣି ରାଇଘର ବ୍ଲକ୍ ଫୁଟାନଡ଼ା ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ରାଇଘର ଥାନା ଏବଂ ସେଠାରୁ ପୁଣି ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଖବର ପାଇବା ଆଜି ଛତିଶଗଡ଼ର ୮ଟି ପଞ୍ଚାୟତର ୪ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ପ୍ରଥମେ ଫୁଟାନଡ଼ା କ୍ୟାମ୍ପରେ ପହଞ୍ଚି ପ୍ରତିବାଦ କରିଥିଲେ। ତେବେ ଦୁଇ ଯୁବକଙ୍କୁ ରାଇଘର ପୁଲିସ ନବରଙ୍ଗପୁର ପଠାଇ ଦେଇଥିବା ଜାଣିବା ପରେ ରାଇଘର ଥାନାରେ ପ୍ରବଳ ହୋ’ହଲ୍ଲା କରିଥିଲେ। ଯୁବକ ଦ୍ବୟ ଜଙ୍ଗଲକୁ ଶିଆଳି ଦଉଡ଼ି ଆଣିବାକୁ ଯାଇଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରିଛନ୍ତି। ଉଭୟେ ନିର୍ଦ୍ଦୋଷ ହୋଇଥିବାରୁ ତୁରନ୍ତ ଛାଡ଼ି ଦେବାକୁ ଦାବି କରିଥିଲେ। ନଚେତ୍ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।