ଭୁବନେଶ୍ୱର : ଗୋଟିଏ କି ଦୁଇଟି ନୁହେଁ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ୨୨୬୮ଟି ପ୍ରକଳ୍ପ ନିର୍ମାଣ କରି ସାରିଲେଣି। ତଥ୍ୟ କହୁଛି, ଆହୁରି ୪୪୩ଟି ପ୍ରକଳ୍ପ ନିର୍ମାଣାଧୀନ ଅବସ୍ଥାରେ ଅଛି। ସେହିଭଳି ବ୍ରାହ୍ମଣୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ୧୫ଟି ବନ୍ଧ ନିର୍ମାଣ ସରିଛି। ଆଉ ତିନିଟି ବନ୍ଧର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି।
ମହାନଦୀ, ବ୍ରାହ୍ମଣୀ ଆଦିର ଉପରମୁଣ୍ଡରେ ଛତିଶଗଡ଼, ଝାଡ଼ଖଣ୍ଡ ସରକାର ମନଇଚ୍ଛା ପ୍ରକଳ୍ପ ନିର୍ମାଣ କରୁଥିବା ନେଇ ସାରା ରାଜ୍ୟରେ ବିତର୍କ ଲାଗି ରହିଥିବା ବେଳେ ରାଜ୍ୟ ସରକାର ଆଜି ବିଧାନସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ବିଜେପି ବିଧାୟକ ଦିିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଜଣାଇଛନ୍ତି, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ୮ଟି ବୃହତ୍, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୩୭୧ଟି ଆନିକଟ ନିର୍ମାଣ କରିଥିବା ବେଳେ ୪ଟି ବୃହତ୍, ୩ଟି ମଧ୍ୟମ, ୩୦୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୨୫ଟି ଆନିକଟ୍ ଓ ୬ଟି ଶିଳ୍ପ ଭିତ୍ତିକ ବ୍ୟାରେଜ୍ ନିର୍ମାଣାଧୀନ ରହିଛି। ବର୍ତ୍ତମାନ ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମାଣ କରିଥିବା ପ୍ରକଳ୍ପଗୁଡ଼ିକର ଜଳ ବ୍ୟବହାର କ୍ଷମତା ୮.୩୧ ନିୟୁତ ଏକର ଫୁଟ ରହିଛି। ଏହା ୨୭.୪୮ ନିୟୁତ ଏକର ଫୁଟକୁ ବଢ଼ିପାରେ। ମନ୍ତ୍ରୀ ଏକଥା ବି କହିଛନ୍ତି, ଛତିଶଗଡ଼ ସରକାରଙ୍କ ଶିଳ୍ପ ଭିତ୍ତିକ ବ୍ୟାରେଜ୍ ପାଇଁ ମହାନଦୀ ଜଳକୁ ଅବରୋଧ କରିବାରୁ ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବାହ ହ୍ରାସ ପାଇଛି। ଏଥିଯୋଗୁ ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦନ, ଜଳସେଚନ, ଶିଳ୍ପଭିତ୍ତିକ ପ୍ରକଳ୍ପକୁ ଜଳଯୋଗାଣ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅସୁବିଧା ଉପୁଜିବା ସମ୍ଭାବନା ଅଧିକ।
ଅଣମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମୁଛି ବୋଲି ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଛତିଶଗଡ଼ର ଏହି ପ୍ରକଳ୍ପଗୁଡ଼ିକ ଯୋଗୁ ମହାନଦୀର ତଳମୁଣ୍ଡରେ ଥିବା ସାତକୋଶିଆ ଗଣ୍ଡ ଅଭୟାରଣ୍ୟ, ଚିଲିକା ହ୍ରଦ, ଭିତରକନିକା ହେନ୍ତାଳ ବଣ, ଗହିରମଥା ଆଦି ପ୍ରାକୃତିକ ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଶା ସରକାର ମହାନଦୀ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟରେ ଯେଉଁ ମାମଲା ରୁଜୁ କରିଥିଲେ ସେଥିରେ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଓଡ଼ିଶାରେ ପ୍ରବାହିତ କୋଲାବ (ସାବେରୀ) ନଦୀ ଆନ୍ଧ୍ରପ୍ରଦେଶରେ ଗୋଦାବରୀରେ ମିଶିଛି। ଆନ୍ଧ୍ର ସରକାର ଗୋଦାବରୀ ଉପରେ ପୋଲାଭରମ୍ ଡ୍ୟାମ୍ କାମ ଚାଲୁ ରଖିଛନ୍ତି। ଏଥିଯୋଗୁ ଓଡ଼ିଶାର ବ୍ୟାପକ କ୍ଷତି ହେବ। ଏ ସଂକ୍ରାନ୍ତରେ ବି ଓଡ଼ିଶା ସରକାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଝାଡ଼ଖଣ୍ଡରୁ ପ୍ରବାହିତ ଶଙ୍ଖ ଓ କୋଏଲ୍ ନଦୀର ମିଶ୍ରଣରେ ରାଉରକେଲା ନିକଟରେ ବ୍ରାହ୍ମଣୀ ନଦୀ ସୃଷ୍ଟି ହୋଇଛି। ଶଙ୍ଖ ଓ କୋଏଲ୍ ନଦୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ୧୫ଟି ବନ୍ଧ ନିର୍ମାଣ କରିସାରିଥିବା ବେଳେ ଆଉ ତିନୋଟିର କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି।
ଅନ୍ୟନଦୀ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ଜଣାଇଛନ୍ତି, ବଂଶଧାରା ଓ ନାଗାବଳୀ ନଦୀର ତଳମୁଣ୍ଡରେ ଆନ୍ଧ୍ରପ୍ରଦେଶ ସରକାର କେତେଗୁଡ଼ିଏ ବନ୍ଧ ନିର୍ମାଣ କରିଛନ୍ତି। ବଂଶଧାରା ଉପରେ ଆନ୍ଧ୍ର କରିଥିବା ଗୋଟା ବ୍ୟାରେଜ୍ ଯୋଗୁ ଉପରମୁଣ୍ଡରେ ପଟୁମାଟି ଜମିବା ଫଳରେ ଓଡ଼ିଶାର କାଶୀନଗର ବ୍ଲକ୍ ଓ ଗୁଣପୁର ସହର ପ୍ରତି ବନ୍ୟା ଆଶଙ୍କା ରହିଛି। ନେରେଡି ବ୍ୟାରେଜ୍ ଯୋଗୁ ମଧ୍ୟ ଓଡ଼ିଶାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ଗୁଣପୁର ପ୍ରତି ବନ୍ୟା ଆଶଙ୍କା ବଢ଼ିବ। ଆନ୍ଧ୍ରପ୍ରଦେଶର କାଟ୍ରାଗୁଡ଼ାଠାରେ ନିର୍ମାଣାଧିନ ବନ୍ଧ ଯୋଗୁ ବି ସମସ୍ୟା ଉପୁଜିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ମହେନ୍ଦ୍ରତନୟା ଉପରେ ଆନ୍ଧ୍ର ଚାପ୍ରାଠାରେ ଯେଉଁ ବନ୍ଧ ନିର୍ମାଣ କରୁଛି ସେଥିଯୋଗୁ ପାରଳାଖେମୁଣ୍ଡି ସହରକୁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସଙ୍କଟ ଉପୁଜିବା ସମ୍ଭାବନା ରହିଛି। ନାଗାବଳୀର ଉପନଦୀ ଝଞ୍ଜାବତୀ ଉପରେ ଆନ୍ଧ୍ର ବନ୍ଧ ନିର୍ମାଣ କଲେ ରାୟଗଡ଼ା ଜିଲ୍ଲାର କେତେକ ଗ୍ରାମ ଜଳମଗ୍ନ ହୋଇପାରେ। ସେହିପରି ପାର୍ବତୀପୁରମ୍ ନିକଟରେ ନାଗାବଳୀ ଉପରେ ଛୋଟାପଲ୍ଲୀ ବ୍ୟାରେଜ୍ ପ୍ରଭାବ ଯୋଗୁ ରାୟଗଡ଼ା ଜିଲ୍ଲାରେ ବନ୍ୟା ଆଶଙ୍କା ବଢ଼ିବ। ବଂଶଧାରା ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗତ ସେପ୍ଟେମ୍ବର ମାସରେ ଦେଇଥିବା ରାୟ ବିରୋଧରେ ସରକାର ଏକ ରିଭ୍ୟୁ ପିଟିସନ୍ ଦାଖଲ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଜଣାଇଛନ୍ତି।
ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକ ମଧ୍ୟରୁ କାହାର ଉପରମୁଣ୍ଡରେ ଓ ତଳମୁଣ୍ଡରେ କେଉଁଠାରେ କେଉଁ କେଉଁ ରାଜ୍ୟ ସରକାର ବନ୍ଧ ବାନ୍ଧିଛନ୍ତି ଓ ଆଉ କେଉଁଠି ବନ୍ଧ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛନ୍ତି ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ସରକାରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ଏହା ଦ୍ୱାରା ଓଡ଼ିଶାରେ ପ୍ରବାହିତ ନଦୀଗୁଡ଼ିକ ଉପରେ କ’ଣ ପ୍ରଭାବ ପଡ଼ୁଛି ସେ ସଂକ୍ରାନ୍ତରେ ମଧ୍ୟ ସରକାରଙ୍କ ଠାରୁ ଉତ୍ତର ଲୋଡ଼ାଯାଇଥିଲା।