ନୂଆପଡ଼ା/ ଭୁବନେଶ୍ବର: ଓଡ଼ିଆରେ ଗୋଟିଏ ଢଗ ଅଛି, ପାଗ ଭିଡୁ ଭିଡୁ କଚେରି ବରଖାସ୍ତ। ଏବେ ଧାନ କିଣା କ୍ଷେତ୍ରରେ ସେମିତି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲାଣି। ଛତିଶଗଡ଼ରୁ ଓଡ଼ିଶାକୁ ଧାନ ଆସି ଚାଲି ଆସିବ ବୋଲି ଆଶଙ୍କା ବ୍ୟକ୍ତ କରି ରାଜ୍ୟ ସରକାର ଗତକାଲି ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରିଥିଲେ। ଜଗିବାକୁ ନିର୍ଦେଶ ଦିଆଯାଇଥିଲା। ହେଲେ ସରକାରଙ୍କ ନିର୍ଦେଶ ପୂର୍ବରୁ ପଶ୍ଚିମ ଓଡ଼ିଶାର ଅସାଧୁ ବ୍ୟବସାୟୀମାନଙ୍କ ଗୋଦାମରେ ଛତିଶଗଡ଼ ଧାନ ଭର୍ତ୍ତି ହୋଇଗଲାଣି। ବରଗଡ଼ କି ସମ୍ବଲପୁର ନୁହେଁ, ନୂଆପଡ଼ା ଭଳି ଛୋଟ ଜିଲ୍ଲାରେ ବି ଏଭଳି ଚିତ୍ର ସାମ୍ନାକୁ ଆସିଛି। ଏଥିରୁ ଧାନ ଉତ୍ପାଦନ ହେଉଥିବା ବଡ଼ ଜିଲ୍ଲା ସ୍ଥିତି କଣ ହୋଇଥିବ, ତାହା ବେଶ୍ ଅନୁମେୟ। ମିଳିଥିବା ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାରେ ବୁଧବାର ମଣ୍ଡି ଆରମ୍ଭ ହେବ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହା ଜାଣିବା ପରେ ଜିଲ୍ଲାର ଧାନ ଦଲାଲମାନେ ସକ୍ରିୟ ହୋଇଯାଇଛନ୍ତି। ଅସାଧୁ ବ୍ୟବସାୟୀମାନେ ଛତିଶଗଡ଼ ସୀମାନ୍ତରେ ଥିବା ଗାଁର ଚାଷୀଙ୍କଠାରୁ କମ୍‌ ଦାମ୍‌ରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ କିଣି ସେମାନଙ୍କର ଗୋଦାମରେ ଭର୍ତ୍ତି କରୁଛନ୍ତି। ଆଜି ଚାଷୀମାନେ ଏ ଅଭିଯୋଗ କରିଛନ୍ତି।

Advertisment

ଧାନ ଦଲାଲମାନେ ପଞ୍ଜୀକୃତ ଚାଷୀଙ୍କୁ ଟଙ୍କା ପ୍ରଲୋଭନ ଦେଖାଉଛନ୍ତି। ସେମାନଙ୍କ ଟୋକନ୍‌ରେ ଛତିଶଗଡ଼ ଧାନକୁ ମଣ୍ଡିରେ ବିକ୍ରି କରିବା ପାଇଁ ଚାଷୀ ଖୋଜା ଆରମ୍ଭ କରିଛନ୍ତି। ସେହିପରି ନୂଆପଡ଼ା ଜିଲ୍ଲା ସଦର ବ୍ଳକ୍‌ ଧରମବନ୍ଧା, ସାରାବଙ୍ଗ, ମୋଟା ନୂଆପଡ଼ା, ଆମାନେରା, ବେଲଟୁକୁରୀ ମଣ୍ଡିରେ ବହୁ ଚାଷୀଙ୍କ ନାମରେ ଜାଲ ପଞ୍ଜୀକୃତ କରି ହଜାର ହଜାର କ୍ବିଣ୍ଟାଲ୍‌ ଧାନ ମଣ୍ଡିରେ ବିକ୍ରି କରିଥାନ୍ତି। ଏଥିରେ ସ୍ଥାନୀୟ ପ୍ୟାକ୍ସ କର୍ମଚାରୀଙ୍କ ସହଯୋଗ ରହିଥାଏ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଏହା ଉପରେ ତଦାରଖ ନ କଲେ ପୁଣି ଅସାଧୁ ବ୍ୟବସାୟୀ ମାଲାମାଲ୍‌ ହେବେ ବୋଲି ଚାଷୀମାନେ କହିଛନ୍ତି। ଏପଟେ ବିଜେପି ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି। ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଆଜି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି, କେନ୍ଦ୍ର ସରକାର ନୂତନ କୃଷି ଆଇନ ପ୍ରଣୟନ କଲେ। ଚାଷୀ ତାର ଉତ୍ପାଦନ ଏମ୍‌ଏସ୍‌ପି ଦରରେ ଯେ କୌଣସି ମଣ୍ଡିରେ ବିକ୍ରି କରିପାରିବ ତାର ବ୍ୟବସ୍ଥା କରିଛନ୍ତି। ଅଥଚ ରାଜ୍ୟ ସରକାର ମଧ୍ୟସ୍ଥି ଜରିଆରେ ଚାଷୀଙ୍କୁ ଅଭାବୀ ବିକ୍ରିର ଶିକାର ହେବାକୁ ନୂଆ ବାଟ ଖୋଲିଛନ୍ତି। ସେ କହିଛନ୍ତି ଯେ ଗତବର୍ଷ ଯେଉଁ ମିଲ ମାଲିକ ଧାନ ଉଠାଇଥିଲେ ତାହା ବଦଳରେ ଯେତିକି ଚାଉଳ ଦେବା କଥା, ସେଥିରୁ ଅନେକ ଏଥିରେ ଖିଲାପ କରିଛନ୍ତି। ଏହାସତ୍ତ୍ବେ ପୁଣି ସେମାନଙ୍କୁ ଧାନ କିଣିବା ପାଇଁ ଟାର୍ଗେଟ୍‌ ଦିଆଯାଇଛି। ଏଥିରୁ ସ୍ପଷ୍ଟ ହେଉଛି କି ଏହା ପଛରେ ଏକ ବଡ଼ କିକ୍‌ବ୍ୟାକ୍‌ର ଯୋଜନା ଅଛି।

ଶ୍ରୀ ପୁରୋହିତ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟରୁ କମ ଦରରେ ଧାନ କିଣୁଥିବା ବ୍ୟବସାୟୀମାନଙ୍କ ବିରୋଧରେ ଫୌଜଦାରି ମକଦ୍ଦମା କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଏହା କେବଳ ଧର୍ମକୁ ଆଖିଠାର ମାରିବା ଭଳି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲମ୍ବା ଶାସନରେ ପ୍ରତି ମଣ୍ଡିରୁ ଚାଷୀଙ୍କ ଧାନରୁ କ୍ବିଣ୍ଟାଲ ପିଛା ୩ରୁ ୪ କିଲୋ ଧାନ କଟନି ଛଟନି ହେଉଛି। ଗ୍ରାମାଞ୍ଚଳରେ ଧାନ କ୍ବିଣ୍ଟାଲ ୧୨୦୦ରୁ ୧୪୦୦ ଟଙ୍କାରେ ମଧ୍ୟସ୍ଥି ଜରିଆରେ ଚାଷୀଙ୍କଠାରୁ କିଣାଯାଉଛି। ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟସ୍ଥି କିମ୍ବା ଅସାଧୁ ମିଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ନଜିର ନାହିଁ। ଖରିଫ୍‌ ଧାନ ଅମଳ ପରେ ଓଡ଼ିଶାରେ ଅଭାବୀ ବିକ୍ରିର ଶିକାର ହେଉଥିବା ଚାଷୀମାନେ ଛତିଶଗଡ଼ରେ ଅଧିକ ଦରରେ ଧାନ ବିକ୍ରି କରିବାକୁ ପସନ୍ଦ କରୁଛନ୍ତି। ଅନ୍ୟପଟେ ଛତିଶଗଡ଼ ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିବାର ଉଦାହରଣ ନାହିଁ। ଏଭଳି ସ୍ଥିତିରେ ଛତିଶଗଡ଼ ଧାନ ଓଡ଼ିଶା ପ୍ରବେଶ କରାଇ ନ ଦେବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେବା ହାସ୍ୟାସ୍ପଦ କଥା। ବରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୯ ତାରିଖରୁ ମଣ୍ଡି ଖୋଲାଯାଇଛି। ଏସବୁ ଅଞ୍ଚଳରେ ପ୍ରାୟ ୮୦% ଧାନ ଅମଳ ସରିଲାଣି। ଟୋକନ୍‌ ମିଳୁ ନ ଥିବାରୁ ଚାଷୀ ହାତ ବାନ୍ଧି ବସିଛନ୍ତି। ଏହାର ସୁଯୋଗରେ ଦଲାଲ୍‌ ଓ ମିଲ ମାଲିକ ସକ୍ରିୟ ହୋଇଉଠିଛନ୍ତି। ଏବର୍ଷ ଜିଲ୍ଲାରେ ୪୪ ଲକ୍ଷ ୭୫ ହଜାର କ୍ବିଣ୍ଟାଲ୍‌ ଧାନ ଚାଷୀଙ୍କ ଠାରୁ ସଂଗ୍ରହ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ମାତ୍ର ୭୯ ହଜାର କ୍ବିଣ୍ଟାଲ୍‌ ଧାନ ଖରିଦ କରିଛନ୍ତି। କେବଳ ବରଗଡ଼ ଜିଲ୍ଲା ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ସ୍ଥିତି ଏପରି ରହିଛି।