ଅଟକାଇଲେ ମହାନଦୀ ପାଣି

କଲ୍‌ମାର ୬୫ ଗେଟ୍‌ ବନ୍ଦ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ଛତିଶଗଡ଼ ସରକାର ମହାନଦୀ ଉପରେ ନିର୍ମିତ କଲ୍‌ମା ବ୍ୟାରେଜରୁ ଏବେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଛି। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛତିଶଗଡ଼ ଅକ୍ଟୋବର ମାସରୁ କଲ୍‌ମାର ଗେଟ୍‌ ପକାଇବା ଆରମ୍ଭ କରିଥିଲା। ଗତ ୫ ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଗେଟ୍‌ ବନ୍ଦ କରିଥିଲା। ଆଉ ଧୀରେ ଧୀରେ ଗେଟ୍‌ ପକାଇବା ଜାରି ରଖିଥିଲା। ଗତ ୪ ଦିନ ହେଲା ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଥିବା ଜଣାପଡ଼ିଛି। କଲମା ବ୍ୟାରେଜର ୬୬ଟି ଗେଟ୍‌ ମଧ୍ୟରୁ ୬୫ଟି ବନ୍ଦ ରହିଛି। ମହାନଦୀରେ ଓଡ଼ିଶା ପାଇଁ ଗୋଟିଏ ଗେଟ୍‌ ଦେଇ ହାରାହାରି ୧୫୩୭ କ୍ୟୁସେକ ପାଣି ଛଡ଼ାଯାଇଛି। ଅପରପକ୍ଷରେ ମହାନଦୀରେ ଯେତିକି ପାଣି ଆସୁଛି, ସେତିକି ଛାଡ଼ି ଦିଆଯାଉଛି ବୋଲି ଛତିଶଗଡ଼ ଜଳ ସଂପଦ ବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀ କହିଛନ୍ତି। ଏଣୁ ବିଗତ କିଛି ବର୍ଷ ଭଳି ଏଥର ବି ଅଣମୌସୁମୀ ଋତୁରେ ମହାନଦୀରେ ଓଡ଼ିଶାକୁ ଜଳ ପ୍ରବାହ ସାଂଘାତିକ ଭାବେ ହ୍ରାସ ପାଇବ ବୋଲି କୁହାଯାଇଛି।

ମହାନଦୀ ଓ ଏହାର ଉପନଦୀଗୁଡ଼ିକ ଉପରେ ନିର୍ଭର କରିଥାଏ। ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଏରିଆ ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ମୌସୁମୀ ଋତୁ(୧ଜୁନ୍‌ରୁ ୩୧ଅକ୍ଟୋବର)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ’)ରେ ତା’ଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରିିଥାଏ। ଏହାକୁ ଦୃଷ୍ଟିରେ ରଖି ଗତ ସେପ୍‌ଟେମ୍ବର ମାସରେ କଲ୍‌ମା ବ୍ୟାରେଜର ଗେଟ୍‌ ବନ୍ଦ ନରଖିବାକୁ ଛତିଶଗଡ଼ ଜଳ ସଂପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀଙ୍କୁ ଓଡ଼ିଶା ଜଳ ସଂପଦ ବିଭାଗ ପତ୍ର ଲେଖିଥିଲା।

ମାତ୍ର ଛତିଶଗଡ଼ ସରକାର ଏହାକୁ ଅଣଦେଖା କରି ନିଜ ପୂର୍ବ ଯୋଜନା ମୁତାବକ ଅକ୍ଟୋବର ପ୍ରଥମ ସପ୍ତାହରୁ ହିଁ କଲ୍‌ମା ଗେଟ୍‌ ପକାଇବା ଆରମ୍ଭ କରି ଦେଇଥିଲେ। ହୀରାକୁଦ ଜଳଭଣ୍ଡାରର ଠିକ୍‌ ଉପରେ ମହାନଦୀରେ ଥିବା କଲ୍‌ମା ବ୍ୟାରେଜ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ୨୦୧୬ ଅକ୍ଟୋବରରେ ଛତିଶଗଡ଼ ଏହାର ଗେଟ୍‌ ପକାଇ ଥିଲା। ଏଥର ବି ଏହି ନୀତି ଆପଣେଇଛି। ଗତ କିଛି ବର୍ଷ ହେଲା ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା କମି କମି ଯାଉଛି। ୨୦୧୬ ମସିହାରେ ଅଣମୌସୁମୀରେ ୭୯ ପ୍ରତିଶତ ଜଳ ପ୍ରବେଶ କମିଥିଲା। ୨୦୧୭ ମସିହା ମୌସୁମୀ ଋତୁରେ ୧୧.୮୭୧ ନିୟୁତ ଫୁଟ୍‌ ପାଣି ଛତିଶଗଡ଼ ସରକାର ମହାନଦୀରେ ଓଡ଼ିଶା ପାଇଁ ଛାଡ଼ିଛନ୍ତି। ଯାହାକି ୨୦୧୬ ମସିହା ତୁଳନାରେ ୪.୮୦୧ ନିୟୁତ ଏକର ଫୁଟ ଏବଂ ୨୦୧୪ ତୁଳନାରେ ୧୪.୬୮୪ ନିୟୁତ ଏକର ଫୁଟ୍‌ କମ୍‌ ଅଟେ। ଛତିଶଗଡ଼ ପ୍ରସ୍ତାବିତ ମହାନଦୀ ଓ ଏହାର ଉପନଦୀମାନଙ୍କରେ ଥିବା ବିଭିନ୍ନ ଡ୍ୟାମ୍‌କୁ ସଂଯୋଗ କରାଗଲେ ଓଡ଼ିଶାର ଜୀବନରେଖା ମହାନଦୀ ଶୁଖିଲା ରହିବା ସହ ରାଜ୍ୟବାସୀଙ୍କ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର