ଝାରସୁଗୁଡ଼ା : ମହାନଦୀ ପରେ ଏବେ କେଲୋନଦୀ ଉପରେ ଛତିଶଗଡ଼ ସରକାରଙ୍କ ଆଖି ପଡ଼ିଛି। କଲ୍‌ମାଠାରେ ମହାନଦୀ ଉପରେ ବ୍ୟା‌ରେଜ ନିର୍ମାଣ କରି ପାଣି ଅଟକାଇ ରଖିଥିବା ଘଟଣା ଗତ ୪ ବର୍ଷ ହେଲା ଟ୍ରିବ୍ୟୁନାଲରେ ବିଚାରାଧୀନ ଥିବା ବେଳେ ଏବେ କେଲୋନଦୀ ଉପରେ ଛତିଶଗଡ଼ ସରକାର ବିରାଟ ଆନିକଟ ନିର୍ମାଣ କରୁଛି। ଏହା ଫଳରେ ଝାରସୁଗୁଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଏକାଧିକ ପଞ୍ଚାୟତବାସୀ ପ୍ରଭାବିତ ହେବା ଜଳଜଳ ଦେଖାଯାଉଛି। ଏକଦା ରାଜ୍ୟ ରାଜନୀତିରେ ମୁଖ୍ୟ ପ୍ରସଙ୍ଗ ପାଲଟିଥିବା ଛତିଶଗଡ଼ ମହାନଦୀ ପ୍ରସଙ୍ଗ ଶିଥିଳ ପଡ଼ିଯାଇଛି। ଓଡ଼ିଶାର କୌଣସି ରାଜନୈତିକ ଦଳ ଏହା ଉପରେ ଏବେ ଆଉ ମୁହଁ ଖୋଲୁନଥିବା ବେଳେ ଛତିଶଗଡ଼ ସରକାର
ଓଡ଼ିଶାକୁ ପ୍ରବାହିତ ଆଉ ଏକ ନଦୀକୁ ଅଟକାଇବା ପାଇଁ ସଂପୂର୍ଣ୍ଣ ଯୋଜନା କରିଛି। ଏଥିପାଇଁ କାମ ମଧ୍ୟ ଆରମ୍ଭ କରି ଦେଇଛି।

Advertisment

publive-image

ଝାରସୁଗୁଡ଼ା ସୀମାନ୍ତ ଲଖନପୁର ବ୍ଲକ୍‌କୁ ଲାଗି ରହିଥିବା ଛତିଶଗଡ଼ ରାୟଗଡ଼ ଜିଲ୍ଲାର ପୁସୋର ବ୍ଲକର ଏକତାଲ ଓ ନେତନାଗର ମଧ୍ୟରେ ବୋହି ଆସିଥିବା କେଲୋନଦୀ ଉପରେ ଛତିଶଗଡ଼ ସରକାର ଏହି ଆନିକଟ ନିର୍ମାଣ କରୁଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଗତ ବର୍ଷ ଜୁନ୍‌ ୧୪ ତାରିଖ ଦିନ ଭର୍ଚୁଆଲ ମୋଡରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ଗତ ଡିସେମ୍ବରରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଆନିକଟ ନିର୍ମାଣ ହେଲେ ଓଡ଼ିଶାକୁ ଆସିଥିବା ଚିରସ୍ରୋତା କେଲୋନଦୀରେ ଜଳ ପ୍ରବାହ କମିଯିବ। ଏବଂ କ୍ରମଶଃ ଏହି ନଦୀର ମୃତ୍ୟୁ ହେବ ବୋଲି କ୍ଷତିଗ୍ରସ୍ତ ହେବାକୁ ଥିବା ଲଖନପୁର ବ୍ଲକର କନକତୋରା, ବାଦିମାଲ ଓ ପିଥିଣ୍ଡା ପଞ୍ଚୟତବାସୀ ଅଭିଯୋଗ କରୁଛନ୍ତି।

publive-image

ଅପରପକ୍ଷରେ ଛତିଶଗଡ଼ ସରକାର ନେତନାଗର ଓ ଏକତାଲ ଗ୍ରାମର ଜଳସେଚନ ପାଇଁ ଏହି ପ୍ରକଳ୍ପ ଆରମ୍ଭ କରିଥିବା ସେହି ଗ୍ରାମର ଅଧିବାସୀ କହିଛନ୍ତି। ନେତନାଗର ଅଞ୍ଚଳର ଚାଷୀ କହିଛନ୍ତି ଯେ, ଜଳସେଚନ ଅଭାବ ଯୋଗୁଁ ସେମାନଙ୍କ ଚାଷବାସ ପ୍ରଭାବିତ ହେଉଥିବା ନେଇ ‌ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଛତିଶଗଡ଼ ରାଜ୍ୟର ଉପରୋକ୍ତ ଉଭୟ ଗ୍ରାମର ୨୬୦ ହେକ୍ଟର ଜମିକୁ ଜଳସେଚନ ହୋଇ ପାରିବ ଫଳରେ ଏହି ଗ୍ରାମ ଗୁଡ଼ିକରେ ଖରାଦିନରେ ମଧ୍ୟ ଚାଷ କରିବା ସମ୍ଭବ ହେବ ବୋଲି ସେଠାକାର ଚାଷୀ କହୁଛନ୍ତି। ଛତିଶଗଡ଼ରୁ ବାହାରିଥିବା ଏହି କେଲୋନଦୀ ଝାରସୁଗୁଡ଼ା ଜିଲ୍ଲାର କନକତୋରା, ବାଦିମାଲ ଓ ପିଥିଣ୍ଡା ପଞ୍ଚାୟତ ଦେଇ ମହାନଦୀରେ ମିଶିଛି। ଏହି ନଦୀରେ ଛତିଶଗଡ଼ ସରକାରଙ୍କ ଆନିକଟ ହେଲେ ତଳମୁଣ୍ଡରେ ଥିବା ଝାରସୁଗୁଡ଼ା ଜିଲ୍ଲାର ଉପରୋକ୍ତ ତିନି ପଞ୍ଚାୟତର ବହୁ ଚାଷୀ କ୍ଷତିଗ୍ରସ୍ତ ହେବ‌େ ବୋଲି ଆଶଙ୍କା ପ୍ରକଟ କରିଛନ୍ତି।

publive-image
ମହାନଦୀରେ ବ୍ୟାରେଜ ପ୍ରଭାବରେ ଏହି ପଞ୍ଚାୟତରେ ଜଳକଷ୍ଟ ଉଗ୍ର ହୋଇଥିବା ବେଳେ ଭୂତଳ ଜଳ କମି ଯାଇଥିବାରୁ ବହୁ ଉଠା ଜଳସେଚନ ପ‌ଏଣ୍ଟ ଅଚଳ ହୋଇ ପଡ଼ିଛି। ମହାନଦୀରେ ପାଣି ଶୁଖି ଯାଇଥିବାରୁ ଏହି ଅଞ୍ଚଳର ହଜାର ହଜାର ମତ୍ସ୍ୟଜୀବୀ ବହୁ ଦିନରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏବେ କେଲୋନଦୀ ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ମଧ୍ୟ ଏଥିଯୋଗୁଁ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖା ଦେଇଛି। କେଲୋନଦୀରେ ଆନିକଟ ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ବେଳେ ଏହା ଉପରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।