ଝାରସୁଗୁଡ଼ା: ମହାନଦୀ ଜଳବିବାଦର ସମାଧାନ ଏଯାଏଁ ହୋଇନାହିଁ। ଏବେ ପୁଣି ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ଲଖନପୁର ବ୍ଲକ୍‌ର ୧୯ ଖଣ୍ଡ ମୌଜାର ଜୀବନରେଖା କୁହାଯାଉଥିବା କେଲୋ ନଦୀର ମଧ୍ୟ ତଣ୍ଟି ଚିପି ସାରିଲାଣି ଛତିଶଗଡ଼। ରାଜ୍ୟ ସରକାରଙ୍କ ଆଖିରେ ଧୂଳି ଦେଇ ଛତିଶଗଡ଼ ସରକାର ଓଡ଼ିଶା ସୀମାରୁ ଅଳ୍ପ ଦୂର କେଲୋ ନଦୀରେ ଦୁଇଟି ପ୍ରକଳ୍ପ ନିର୍ମାଣ କରିଛନ୍ତି। ଗତ ଗ୍ରୀଷ୍ମରୁ ରାୟଗଡ଼ ଜିଲ୍ଲା ଭାଥେନ୍‌ପାଲି ବ୍ୟାରେଜ୍‌ ମଧ୍ୟ କାର୍ଯ୍ୟକ୍ଷମ ହେଲାଣି। ଏଭଳି ସ୍ଥିତିରେ ଲଖନପୁର ବ୍ଲକ୍‌ର ୩ଟି ପଞ୍ଚାୟତର ଚାଷୀ ବର୍ତ୍ତମାନ ଛତିଶଗଡ଼ ଭରସାରେ ରହିଛନ୍ତି। ରାୟଗଡ଼ର ଡ୍ରେନ୍‌ ପାଣି କେଲୋ ନଦୀରେ ମିଶୁଛି। ଦୁର୍ଗନ୍ଧ ହେଲେ ଓଡ଼ିଶା ପଟକୁ କିଛି ସମୟ ପାଇଁ ପାଣି ଛାଡ଼ି ଦିଆଯାଉଛି, ନ ହେଲେ ଓଡ଼ିଶା ପଟ ଶୁଖିଲା ଅବସ୍ଥାରେ ରହୁଛି। ଛତିଶଗଡ଼ର କେଲୋ ଡ୍ୟାମ୍‌ ଯୋଗୁଁ ଅଣମୌସୁମୀ ଋତୁରେ ଓଡ଼ିଶା ଦେଇ ପ୍ରବାହିତ କେଲୋ ନଦୀରେ ମରୁଭୂମି ଭ୍ରମ ସୃଷ୍ଟି ହେଉଛି। ଏବେ ପୁଣି ଭାଥେନ୍‌ପାଲି ବ୍ୟାରେଜ୍‌ କାର୍ଯ୍ୟକ୍ଷମ ହୋଇ ଯାଇଥିବାରୁ କେଲୋ ନଦୀରେ ଜଳ ପ୍ରବାହ ଏକପ୍ରକାର ବନ୍ଦ ହୋଇଯାଇଛି। ନେତନଗରଠାରେ ଆଉ ଏକ ଜଳ ସଂରକ୍ଷଣ ପ୍ରକଳ୍ପ ତଥା ଆନିକଟ ନିର୍ମାଣ ଆରମ୍ଭ ହୋଇଛି। ଏହି ଆନିକଟ ୨୬୦ ହେକ୍ଟର ଜମିକୁ ଜଳ‌ସେଚନ କରିବ ବୋଲି ଛତିଶଗଡ଼ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। 

Advertisment

ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ନେତନଗର ସମେତ ନାଭାପାଲି, ବିଞ୍ଜକୋଟ, ଏକତାଲ, ରେଙ୍ଗାଲପାଲି ଚାଷୀଙ୍କ ସୁବିଧା ହେବ ବୋଲି କୁହାଯାଉଛି। କିନ୍ତୁ ଓଡ଼ିଶା ପାର୍ଶ୍ବରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କେଲୋ ନଦୀ ଉପରେ ଲଖନପୁର ବ୍ଲକ୍‌ର କନକତୋରା, ପିଥିଣ୍ଡା ଓ ବାଦୀମାଲ ପଞ୍ଚାୟତର ୧୦ରୁ ଅଧିକ ଗ୍ରାମର ଲୋକେ ନିର୍ଭରଶୀଳ। ପୂର୍ବରୁ ଏହି ଅଞ୍ଚଳ ରବି ଚାଷ ପାଇଁ ବେଶ୍‌ ପରିଚିତ ଥିଲା। କିନ୍ତୁ ଏବେ ନଦୀରେ ପାଣି ରହୁନଥିବାରୁ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟ କରୁନି। ଏହି ଅଞ୍ଚଳରେ ଉଠା ଜଳସେଚନ ବିଭାଗର ୧୨ଟି ପଏଣ୍ଟ ଥିବା ବେଳେ ସେଥିରୁ ୫ଟି ପଏଣ୍ଟ ସମ୍ପୂର୍ଣ୍ଣ ଅଚଳ ହୋଇ ରହିଛି। ପାଣି ନଥିବାରୁ ଅନ୍ୟ ୭ଟି ପଏଣ୍ଟ କେବେ ଚାଲିଲେ କେବେ ଚାଲୁନି। ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଦେଇ ଆସୁଥିବା କେଲୋ ନଦୀରେ ସହରର ସମସ୍ତ ଡ୍ରେନ୍‌ ପାଣି ମିଶୁଛି। ଫଳରେ ସେଠାରେ ପାଣିରୁ ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ ହେଲେ କିଛି ସମୟ ଲାଗି ପାଣି ଓଡ଼ିଶା ପାର୍ଶ୍ବକୁ ଛାଡ଼ି ଦିଆଯାଉଛି। ସେହି ପାଣି ଚାଷ ପାଇଁ ପର୍ଯ୍ୟାପ୍ତ ନଥିବା ବେଳେ ଗାଧୋଇଲେ ଚର୍ମରୋଗ ହେଉଥିବା ତଥା ଉତ୍କଟ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।