ପ୍ରତିଶୋଧ ପାଇଁ ଛତିଶଗଡ଼ର ନୂଆ ଚାଲ୍‌: ତେଲ, ଉଦନ୍ତି ନଦୀରେ କରିବ ବ୍ୟାରେଜ୍‌

ପ୍ରଭାବିତ ହେବ ନୂଆପଡ଼ା ଓ କଳାହାଣ୍ଡି

ଭବାନୀପାଟଣା: ଓଡ଼ିଶା ଉପରେ ଛତିଶଗଡ଼ ସରକାର ଦାଉ ସାଧିବାରେ ଲାଗିଛି। ବର୍ତ୍ତମାନ ଛତିଶଗଡ଼ ପକ୍ଷରୁ ଉଭୟ ତେଲ ଓ ଉଦନ୍ତି ନଦୀରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଓଡ଼ିଶାର ଚିନ୍ତା ବଢ଼ାଇଛି। ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ପାଣି ଓ ବିଜୁଳି ପାଇଁ ଛତିଶଗଡ଼ ବଞ୍ଚିତ ହେଉଥିବା ଯୋଗୁ ଏବେ ପ୍ରତିଶୋଧ ନେବା ପାଇଁ ନୂଆ କୌଶଳ ଆରମ୍ଭ କରିବା ଘଟଣା ଓଡ଼ିଶା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ଛତିଶଗଡ଼ର ଗରିଆବନ୍ଧ ଅନ୍ତର୍ଗତ ପେଣ୍ଡରା ଠାରୁ ଉଦନ୍ତି ନଦୀ ବାହାରିଛି। ସେଠାରୁ ଆସି ଓଡ଼ିଶାର ନୂଆପଡ଼ା ଜିଲ୍ଲା ଦେଇ କଳାହାଣ୍ଡିର ତୁରକେଲ ନିକଟ ବୁଢ଼ୀପଦର ନିକଟରେ ତେଲ ନଦୀ ସହିତ ମିଶିଛି। ବର୍ତ୍ତମାନ ଛତିଶଗଡ଼  ସରକାର ସୀତାନଦୀ ନିକଟ ବ୍ୟାଘ୍ର ଅଭୟାରଣ୍ୟ ଠାରେ ଉଦନ୍ତି ନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏଥିନିମନ୍ତେ ଗତ ଦୁଇ ବର୍ଷ ତଳୁ ବ୍ୟୟ ବରାଦ ମଧ୍ୟ ହୋଇଛି। ଉଦନ୍ତି ନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କଲେ ଓଡ଼ିଶାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ବିଶେଷଭାବରେ ପ୍ରଭାବିତ ହେବ। ତେଲ ନଦୀର ଜଳ ମଧ୍ୟ ହ୍ରାସ ପାଇବ। ଉଦନ୍ତି ଅବବାହିକା ଅଞ୍ଚଳରେ ମଧ୍ୟ ମରୁଭୂମି ସୃଷ୍ଟି ହେବ। ଉଭୟ ଚାଷ ଓ ପାନୀୟ ଜଳ ଉପରେ ନିର୍ଭର କରୁଥିବା ଲୋକେ ପାଣି ପାଇଁ ନାକେଦମ ହେବେ।  ସେହିଭଳି, ତେଲ ନଦୀ ଓଡ଼ିଶାର ଉମରକୋଟ ତହସିଲ ଅନ୍ତର୍ଗତ ଏଣ୍ଡୁରିଗୁଡ଼ାରୁ ବାହାରି ଛତିଶଗଡ଼ ଦେଇ ପୁନର୍ବାର ଓଡ଼ିଶା ଆସି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଦେଇ ସୋନପୁର ଜିଲ୍ଲାର ମନମୁଣ୍ଡା ଠାରେ ମହାନଦୀ ଠାରେ ମିଶିଛି। ଛତିଶଗଡ଼ ସରକାର ତେଲ ନଦୀ ଉପରେ ଓଡ଼ିଶାର ଚନ୍ଦାହାଣ୍ଡି ସୀମାନ୍ତ ଖପରାଡିହି ନିକଟରେ ବ୍ୟାରେଜ ନିର୍ମାଣ କରୁଛି। ଏଥିନିମନ୍ତେ ଛତିଶଗଡ଼ ପକ୍ଷରୁ ପ୍ରାୟ ୧୮କୋଟି ଟଙ୍କା ମଧ୍ୟ ମଞ୍ଜୁର ମଧ୍ୟ ହୋଇଛି। ଏହାଦ୍ବାରା ଦେଭୋଗ ଅଞ୍ଚଳରେ ପ୍ରାୟ ୩ ହଜାର ହେକ୍ଟର ଜମି ଜଳସେଚିତ ହେବା ଲକ୍ଷ୍ୟ ରଖାଯାଇଛି। ତେଲ ନଦୀରେ ବ୍ୟାରେଜ ନିର୍ମାଣ ଯୋଗୁଁ ଓଡ଼ିଶାବାସୀ ପର୍ଯ୍ୟାପ୍ତ ପାଣି ପାଇବାରୁ ବଞ୍ଚିତ ହେବେ। ତେଲ ନଦୀରେ କେବଳ ହାତୀ ନଦୀ ବ୍ୟାରେଜ ପାଣି ଉପରେ ନିର୍ଭର କରିବ। ତେଲ ନଦୀ ଓ ଉଦନ୍ତୀ ନଦୀରେ ଛତିଶଗଡ଼ ବ୍ୟାରେଜ ଯୋଗୁଁ କଳାହାଣ୍ଡି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ଢେଙ୍କାନାଳ, ଅନୁଗୁଳ, ବୈାଦ୍ଧ ଓ କଟକ ଜିଲ୍ଲା ପ୍ରଭାବିତ ହେବ। ମହାନଦୀର ମୁଖ୍ୟ ଫିଡର ଭାବରେ ତେଲ ନଦୀ ଥିବାବେଳେ ତେଲ ନଦୀର ଜଳ ସଙ୍କଟ ଓଡ଼ିଶାବାସୀଙ୍କୁ ଅଡୁଆ ସୃଷ୍ଟି କରିବ। ଛତିଶଗଡ଼ ପକ୍ଷରୁ ଉଦନ୍ତୀ ଓ ତେଲ ନଦୀ ଉପରେ ବ୍ୟାରେଜ ନିର୍ମାଣ କରି ପ୍ରତିଶୋଧ ନେବା ପାଇଁ ସୁପରିକଳ୍ପିତ ଷଡ଼୍‌ଯନ୍ତ୍ର ଆରମ୍ଭ ହୋଇଛି।

ଓଡ଼ିଶାର ଅପର ଇନ୍ଦ୍ରାବତୀ ପ୍ରକଳ୍ପରୁ ବାମ କେନାଲ ମାଧ୍ୟମରେ ତେଲ ନଦୀ ଉପରେ ଏକ୍ବାଡେଟ କରି ନଦୀ ଆରପଟେ ଥିବା ଓଡ଼ିଶାର ସନ୍ଧିକୁଲିହାରୀ ଦେଇ ପୁନର୍ବାର ଗୋଲାମୁଣ୍ଡା ବ୍ଲକକୁ ଜଳସେଚିତ କରାଯାଉଛି। ସନ୍ଧିକୁଲିହାରୀ ଠାରୁ ମାତ୍ର ୫୦ ମିଟର ଦୂରରେ ଛତିଶଗଡ଼ ସୀମା ରହିଛି। ଛତିଶଗଡ଼ର ଅନୁରୋଧ କ୍ରମେ ଦେଭୋଗ ଅଞ୍ଚଳକୁ ଜଳସେଚନ ନିମନ୍ତେ ପାଣି ଦିଆଯାଇ ନଥିଲା। ଅନ୍ୟପକ୍ଷରେ ମୁଖିଗୁଡା ପାୱାର ପ୍ରୋଜେକ୍ଟ ପକ୍ଷରୁ ପଶ୍ଚିମବଙ୍ଗର ହଳଦିଆ, ମହାରାଷ୍ଟ୍ର ପ୍ରମୁଖ ଅଞ୍ଚଳକୁ ବିଜୁଳି ଦିଆଯାଉଛି ଅଥଚ ଛତିଶଗଡ଼କୁ ବିଜୁଳି ଦିଆଯାଉନାହିଁ। ଏହାର ପ୍ରତିଶୋଧ ନେବାପାଇଁ ଛତିଶଗଡ଼ ଏବେ ନୂଆ କୌଶଳ ଆରମ୍ଭ କରିଛି। ମହାନଦୀ ଉପରେ ୫ଟି ବ୍ୟାରେଜ ନିର୍ମାଣ ପରେ ଏବେ ଷଷ୍ଠ ବ୍ୟାରେଜ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ସେହିପରି, ମହାନଦୀ ପରେ ଉଦନ୍ତୀ ଓ ତେଲ ‌ନଦୀ ଉପରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରି ଓଡ଼ିଶାକୁ ମରୁଭୂମିରେ ପରିଣତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଏହାଦ୍ବାରା ଉଭୟ ଜଳସେଚନ ଓ ପାନୀୟ ଜଳ ବିଶେଷ ଭାବରେ ପ୍ରଭାବିତ ହେବ। ସେହିଭଳି ଉଠା ଜଳସେଚନ ମାଧ୍ୟମରେ ହେଉଥିବା ଚାଷ ମଧ୍ୟ ବହୁଳ ଭାବରେ ପ୍ରଭାବିତ ହେବ। ଓଡ଼ିଶାର ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ‌ଭୂତଳ ଜଳ ଫ୍ଲୋରାଇଡ ଥିବା ଯୋଗୁଁ ଉଦନ୍ତୀ ଓ ତେଲ ନଦୀ ପାର୍ଶ୍ବବର୍ତ୍ତୀ ଗ୍ରାମମାନଙ୍କରେ ନଦୀରୁ ପାଇପ ଜଳଯୋଗାଣ ପ୍ରକଳ୍ପ ମଧ୍ୟ ଚାଲିଛି। ଛତିଶଗଡ଼ ଯୋଗୁଁ ଆଗକୁ ଏମାନେ ମଧ୍ୟ ପାନୀୟ ଜଳ ପାଇଁ ବ୍ୟାପକ ସଙ୍କଟର ସମ୍ମୁଖୀନ ହେବେ। ତୁରନ୍ତ ଓଡ଼ିଶା ସରକାର ଛତିଶଗଡ଼ ସରକାର ଉପରେ ଚାପ ପ୍ରୟୋଗ କରି ଉଦନ୍ତୀ ଓ ତେଲ ନଦୀ ବ୍ୟାରେଜ ନିର୍ମାଣରୁ ନିବୃତ ନକଲେ ଆଗକୁ ପରିସ୍ଥିତି ଜଟିଳ ହେବ ବୋଲି ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର