ମହାନଦୀକୁ ନେଇ ଛତିଶଗଡ଼ର ନୂଆ ଚାଲ୍‌: ପୁନରୁଦ୍ଧାର ଯୋଜନାରେ ୫୭୨ କୋଟି ଖର୍ଚ୍ଚ କରିବ

ଉଠିବ ପଟୁ, ତିଆରି ହେବ ତଟବନ୍ଧ, ଓଡ଼ିଶା ସଂପର୍କରେ ଚିତ୍ର ଅସ୍ପଷ୍ଟ, ୧୧,୭୦୦ କୋଟି କଥା କହି ଚୁପ୍

ଜ୍ଞାନରଞ୍ଜନ ମିଶ୍ର
ସମ୍ବଲପୁର : ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ ମଧ୍ୟରେ ବିବାଦ କାହାକୁ ଅଛପା ନାହିଁ। ଏହାପରେ ବି ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ସରକାର ଏଯାଏ ବିଶେଷ ତତ୍ପରତା ଦେଖାଇନାହାନ୍ତି। ହେଲେ, ଉପରମୁଣ୍ଡରେ ଥିବା ଛତିଶଗଡ଼ ଏହି ମହାନଦୀକୁ ନେଇ ଏକ ନୂଆ ଚାଲ୍‌ ଆରମ୍ଭ କରିଥିବା ଅନୁମାନ କରାଯାଉଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ମହାନଦୀ ସଂପର୍କରେ ଛତିଶଗଡ ସରକାର ପୁଣି ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଛତିଶଗଡ଼ରେ ମହାନଦୀର ପୁନରୁଦ୍ଧାର ପାଇଁ ୫୭୧ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି। ସବୁ ପ୍ରୟୋଗ ଓ ଉପାୟ ସତ୍ତ୍ବେ ଖରାଦିନେ ଛତିଶଗଡ଼ର ଅନେକ ସ୍ଥାନରେ ମହାନଦୀର ଧାରା ଶୁଖି ଯାଉଥିବାରୁ ଜଳଧାରଣ କ୍ଷମତା ବୃଦ୍ଧି ଓ ନଈ ଶଯ୍ୟାର ପୁନରୁଦ୍ଧାର ପାଇଁ ଏହି ଯୋଜନା ପ୍ରସ୍ତୁତ କରିଛି ଛତିଶଗଡ।

ଛତିଶଗଡ଼ ଧମ୍‌ତରି ଜିଲ୍ଲାର ଘଞ୍ଚ ଜଙ୍ଗଲ ଭରା ସିହାୱା ପାହାଡ଼ରେ ସମୁଦ୍ର ପତ୍ତନର ପ୍ରାୟ ୬୬୦ ଫୁଟ୍‌ ଉଚ୍ଚରେ ମହାନଦୀର ଉତ୍ପତ୍ତିସ୍ଥଳ ଥିବାବେଳେ ନଈର ସେହି ପ୍ରାରମ୍ଭିକ ଧାରା ହିଁ ଖରା ଦିନେ ଶୁଖି ଯାଉଥିବା କୁହା ଯାଉଛି। ଏହାଛଡ଼ା ଛତିଶଗଡ଼ରେ ବହୁ ସଂଖ୍ୟାରେ ଛୋଟବଡ଼ ଡ୍ୟାମ୍‌ ଓ ବ୍ୟାରେଜ୍ ନିର୍ମାଣ କାରଣରୁ ମହାନଦୀର ଗତିପଥରେ ଅନେକ ସ୍ଥାନରେ ବାଲି ଓ ପଟୁମାଟି ପୋତି ହୋଇ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଛି। ବନ୍ୟା ସମୟରେ ଅଧିକ ପାଣି ଆସିବା କାରଣରୁ କୂଳ ଖାଇ ଯାଇ ବିଭିନ୍ନ ସ୍ଥାନରେ ନଈର ଓସାର ବୃଦ୍ଧି ପାଉଛି। ପ୍ରସ୍ତାବିତ ଏହି ପ୍ରକଳ୍ପରେ ଏସବୁ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ ସରକାର ଯୋଜନା କରିଛନ୍ତି। ସେଥିମଧ୍ୟରେ ନଦୀର ଉଭୟ ପାର୍ଶ୍ବରେ ଅଂଗାରକାମ୍ଳ ହ୍ରାସ ଓ ମୃତ୍ତିକା ସଂରକ୍ଷଣ, ନଦୀରେ ବନ୍ୟା ଓ ପଟୁମାଟି ଜମା ହ୍ରାସ, ନଦୀରେ ଭୂ-ଜଳ ପୁନର୍ଭରଣ, ତଟବନ୍ଧ ନିର୍ମାଣ ଓ ନଦୀ ଆଖପାଖ ଅଞ୍ଚଳର ବିକାଶ ଆଦି ସାମିଲ ଅଛି। ନଦୀ ଶଯ୍ୟାରୁ ପଟୁମାଟି ଓ ବାଲି କାଢ଼ିବାରେ ଉପରୋକ୍ତ ରାଶିର ସିଂହଭାଗ ଅର୍ଥ ଖର୍ଚ୍ଚ ହେବ। ଏହାଛଡ଼ା ଅତ୍ୟଧିକ କୂଳ ଖାଉଥିବା ସ୍ଥାନରେ ତଟ ବନ୍ଧ ନିର୍ମାଣ ଯୋଜନା ରହିଛି। ନଈରୁ ମାଟି କାଢ଼ିଦେବା ପରେ ଶଯ୍ୟାର ଗଭୀରତା ବୃଦ୍ଧି ପାଇବା ସହ ବନ୍ଦ ହୋଇଯାଇଥିବା ଭୂତଳ ଜଳର ଉତ୍ସ ଗୁଡ଼ିକ ପୁଣି ଖୋଲିବ ଓ ଅଣମୌସୁମୀ ଋତୁରେ ବି ପାଣିର ଧାରା ଶୁଖିବ ନାହିଁ ବୋଲି ଯୋଜନା ରହିଛି।

ନିକଟରେ କେନ୍ଦ୍ର ସରକାର କହିଛନ୍ତି, ଦେଶର ୧୩ ପ୍ରମୁଖ ନଦୀର ପୁନରୁଦ୍ଧାର ଯୋଜନାରେ ଝେଲମ, ଚେନାବ, ରବି, ବିଅାସ୍‌, ସତଲେଜ, ଯମୁନା, ବ୍ରହ୍ମପୁତ୍ର, ନର୍ମଦା, ଗୋଦାବରୀ, ମହାନଦୀ, କ୍ରିଷ୍ଣା, କାବେରି ଓ ଲୁଣି ନଦୀର ପୁନରୁଦ୍ଧାର କରାଯିବ। ଏସବୁ ନଦୀର ପୁନରୁଦ୍ଧାର ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ କରିଥିବା ମେଗା ପ୍ରକଳ୍ପରେ ଛତିଶଗଡ଼ ଅଂଶରେ ଥିବା ମହାନଦୀର ପ୍ରାୟ ୨୯୦ କିଲୋମିଟର୍‌ର ପୁନରୁଦ୍ଧାର ଓ ଜଳ ସଂରକ୍ଷଣ ନିମନ୍ତେ ଏତେ ବଡ଼ପରିମାଣର ଅର୍ଥ ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ଓଡ଼ିଶାରେ ମହାନଦୀ ପାଇଁ କଣ ସବୁ ନକ୍ସା ଅଙ୍କା ଯାଇଛି ତାହାର ଚିତ୍ର ବର୍ତ୍ତମାନ ସୁଦ୍ଧା ସାମ୍‌ନାକୁ ଆସି ନାହିଁ। ଉପରୋକ୍ତ ଯୋଜନାରେ ମହାନଦୀର ଓଡ଼ିଶା ଅଂଶ ପାଇଁ କେତେ ଅର୍ଥ ବରାଦ ହୋଇଛି ତାହା ବି ସ୍ପଷ୍ଟ ହୋଇ ନାହିଁ। ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗର ଜଣେ ବରିଷ୍ଠ ପରାମର୍ଶଦାତାଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ସରକାର ମହାନଦୀ ସମେତ ରାଜ୍ୟର ବିଭିନ୍ନ ନଦୀରେ ଜଳ ସଂରକ୍ଷଣ ପାଇଁ ୧୧,୭୦୦ କୋଟି ଟଙ୍କାର ଯୋଜନା କରିଛନ୍ତି। ଏଥିରେ ମୁଖ୍ୟତଃ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ନଦୀଗର୍ଭ ଜଳାଶୟ ନିର୍ମାଣ କରାଯିବ। ନଦୀ ଗୁଡ଼ିକରୁ ସମୁଦ୍ରକୁ ବୋହି ଯାଉଥିବା ପାଣିକୁ ଯଥା ସମ୍ଭବ ସଂରକ୍ଷଣ କରି ଲୋକଙ୍କ ଉପଯୋଗରେ ଲଗାଇବା, ବିଶେଷ କରି ପାନୀୟ ଜଳ ସମସ୍ୟାର ସମାଧାନ କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଏଥିରେ ବିଭିନ୍ନ ନଦୀରେ ଏଭଳି ଢଙ୍ଗରେ ବ୍ୟାରେଜ୍ ନିର୍ମାଣ କରାଯିବ; ଯେଉଁଥିରେ କୌଣସି ଜମି ଅଧିଗ୍ରହଣ କରିବାକୁ ପଡ଼ିବ ନାହିଁ, କୌଣସି ଜଙ୍ଗଲ ବିଭାଗର ଅନୁମତି ଲୋଡ଼ାପଡ଼ିବ ନାହିଁ କିମ୍ବା କାହାରି ଥଇଥାନ, ପୁନର୍ବାସ କରିବା ଆବଶ୍ୟକ ହେବ ନାହିଁ। ଏହି ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ବ୍ୟାରେଜ୍‌ ଗୁଡ଼ିକ ଦ୍ବାରା ଅଣମୌସୁମୀ ଋତୁରେ ପାଣିକୁ ଅଟକାଇ ନଦୀ ଶଯ୍ୟାରେ ହିଁ କୃତ୍ରିମ ଜଳାଶୟ ସବୁ ସୃଷ୍ଟି କରାହେବ। ପଛୁଆ ପାଣିରେ ବ୍ୟାରେଜ୍‌ର ଉପର ଭାଗରେ ୫ରୁ ୧୫ କିଲୋମିଟର୍ ପର୍ଯ୍ୟନ୍ତ ପାଣି ବର୍ଷ ସାରା ରହିବ। ଏହାଦ୍ବାରା ଆଖପାଖ ସହର ଓ ଗ୍ରାମାଞ୍ଚଳର ପାନୀୟ ଜଳ ସମସ୍ୟା ଦୂର ହୋଇ ପାରିବ। ଆବଶ୍ୟକ ସ୍ଥଳେ ଏହି ପାଣି କୃଷି କାର୍ଯ୍ୟରେ ବି ଲାଗି ପାରିବ। ଗତ ବର୍ଷ ଏହି ଯୋଜନାରେ ୩୦ଟି ବ୍ୟାରେଜ୍ ନିର୍ମାଣକୁ ଅନୁମୋଦନ ମିଳିଥିଲାବେଳେ ୮ଟିର କାମ ଆରମ୍ଭ ହୋଇଯାଇଛି। ଆଉ କେତୋଟିର ଟେଣ୍ଡର ହୋଇ ସାରିଛି ଓ କିଛି ଟେଣ୍ଡର ହେବାକୁ ଯାଉଛି। ଚଳିତ ବ‌ର୍ଷ ୨୦୨୨-୨୩ରେ ଆଉ ୧୬ଟି ବନ୍ଧ ନିର୍ମାଣକୁ ଅନୁ‌େମାଦନ ମିଳିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର