ଶ୍ରୀଜଗନ୍ନାଥଙ୍କ ପ୍ରତି ହେତୁବାଦୀଙ୍କ ଅପମାନସୂଚକ ମନ୍ତବ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତିଶାନିଯୋଗ ନାୟକ

ପୁରୀ : ବାରମ୍ବାର ଶ୍ରୀଜଗନ୍ନାଥ ଓ ମହାପ୍ରସାଦ ପ୍ରତି ହେତୁବାଦୀମାନେ ଯେଉଁଭଳି ଅପମାନସୂଚକ ମନ୍ତବ୍ୟ ଦେଉଛନ୍ତି, ତା’ ବିରୋଧରେ ଆଜି ଶ୍ରୀମନ୍ଦିର ସେବାୟତଙ୍କ ମୁଖ୍ୟ ତଥା ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଭଳି ବିବାଦୀୟ ମନ୍ତବ୍ୟ ଦେଉଥିବା ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ନଚେତ୍‌ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଦେଖା ଦେବାର ଆଶଙ୍କା ରହିଛି ବୋଲି ଶ୍ରୀ ମହାପାତ୍ର ଚିଠିରେ ‌ଉଲ୍ଲେଖ କରିଛନ୍ତି। ଶ୍ରୀ ମହାପାତ୍ର ଚିଠି ଲେଖି ଜଣାଇଛନ୍ତି କି ଗତ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଦିନ କିଛି ବ୍ୟକ୍ତି ଶହ ଶହ ବର୍ଷର ଚିରାଚରିତ ପ୍ରଥା ଓ ପରମ୍ପରାକୁ ବ‌ିରୋଧ କରି କୋଟି କୋଟି ହିନ୍ଦୁଙ୍କ ଧର୍ମୀୟ ଭାବନା ଓ ବିଶ୍ବାସକୁ କୁଠାରାଘାତ କରିଛନ୍ତି।

ତଥାକଥିତ ହେତୁବାଦୀମାନେ ଏହା ପରେ ଚୁପ୍‌ ନ ରହି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରମ ଓ ଶ୍ରୀକୃଷ୍ଣଙ୍କ ଚରିତ୍ର ସଂହାର କରି ବୟାନ ଦେବା ଓ ଶ୍ରୀଜଗନ୍ନାଥଙ୍କୁ ଭାତ ଓ ଚିକେନ୍‌ ଭୋଗ ଲଗାଇବାକୁ କହି ସେମାନଙ୍କ ଔଦ୍ଧତ୍ୟର ସବୁ ସୀମା ଲଂଘନ କରିଛନ୍ତି। ଏହାକୁ ନେଇ ଭକ୍ତଙ୍କ ଭାବନା ପ୍ରତି ଆଞ୍ଚ ଆସିଛି ଓ ଅନେକ ସ୍ଥାନରେ ଅଶାନ୍ତି ସୃଷ୍ଟି ହୋଇଛି। ହେତୁବାଦୀମାନେ ସେମାନଙ୍କ ବିଶ୍ବାସକୁ ନେଇ ବଞ୍ଚିବା ତାଙ୍କର ଅଧିକାର, କିନ୍ତୁ କୋଟି କୋଟି ହିନ୍ଦୁଙ୍କର ବିଶ୍ବାସ ଓ ଆସ୍ଥାକୁ ବିରୋଧ କରିବାର ଅଧିକାର ସେମାନଙ୍କର ନାହିଁ। ତେଣୁ ରାଜ୍ୟ ସରକାର ତୁରନ୍ତ ହେତୁବାଦୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର