ପୁରୀ: ପ୍ରତିବର୍ଷ ଭଳି ଚଳିତବର୍ଷ କାର୍ତ୍ତିକ ମାସରେ ବାଳଧୂପ ଓ ରାଇ ଦାମୋଦର ବେଶ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ପ୍ରତିଦିନ ଭୋର ୪ଟାରେ ଦ୍ବାରଫିଟା ଓ ରାତି ୧୨ଟାରେ ପହୁଡ଼ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ନୀତି ସବ୍କମିଟି ବୈଠକ ପରେ ଆଜି ଛତିଶାନିଯୋଗ ଏସବୁରେ ମୋହର ମାରିଛି। ଚଳିତବର୍ଷ ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଶ୍ରୀଜିଉଙ୍କ କାର୍ତ୍ତିକ ମାସ ବାଳଧୂପ ନୀତି ଅନୁଷ୍ଠିତ ହେବ। ନଭେମ୍ବର ୨୦ ତାରିଖ ସୋମବାର ଦିନ ଅବକାଶ ପରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ୨୩ରେ ଠିଆକିଆ ବେଶ ଓ ହରି ଉତ୍ଥାପନ ନୀତି, ନଭେମ୍ବର ୨୪ରେ ବାଙ୍କଚୂଡ଼ ବେଶ ଓ ଗରୁଡ଼ ଉତ୍ଥାପନ ନୀତି, ନଭେମ୍ବର ୨୫ରେ ତ୍ରିବିକ୍ରମ ବେଶ, ନଭେମ୍ବର ୨୬ରେ ଲକ୍ଷ୍ମୀନୃସିଂହ ବେଶ, ନଭେମ୍ବର ୨୭ରେ ରାଜାଧିରାଜ ବେଶର ନୀତିରେ ମୋହର ବାଜିଛି। ସଅଳ ଓ ଶୃଙ୍ଖଳିତ ନୀତିକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସେପଟେ କିଛିଦିନ ଧରି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଓ ପରିଚାଳନା କମିଟି ସଦସ୍ୟ ଏସପି ଡା. କେ ବିଶାଳ ସିଂହଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତ ନୀତି ସବ୍କମିଟି ବୈଠକରେ ଦୁଇ ଅଧିକାରୀ ଅନୁପସ୍ଥିତ ଥିଲେ। ଆଜି ବି ଦୁଇ ଅଧିକାରୀ ଅନୁପସ୍ଥିତ ରହିଛନ୍ତି। କେବଳ ମୁଖ୍ୟ ପ୍ରଶାସକ ବୈଠକ ପରିଚାଳନା କରିଛନ୍ତି। ପରିଚାଳନା କମିଟି ଓ ଛତିଶାନିଯୋଗ କାର୍ଯ୍ୟକର୍ତ୍ତା ଦୁଇ ଅଧିକାରୀଙ୍କ ବାରମ୍ବାର ଅନୁପସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଦୁଇ ଅଧିକାରୀ ବାରମ୍ବାର ଶ୍ରୀମନ୍ଦିର ବୈଠକକୁ ନ ଆସିବା ଭିନ୍ନ ଗୁଞ୍ଜରଣ ସୃଷ୍ଟି କଲାଣି।
ଭୋର ୪ଟାରେ ଦ୍ବାରଫିଟା, ରାତି ୧୨ଟାରେ ପହୁଡ଼
ବୈଠକକୁ ଆସିଲେନି ଜିଲ୍ଲାପାଳ, ଏସ୍ପି
ବନ୍ଦ ରହିବ ରୋଷ ଦର୍ଶନ
ଆଜି ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ନିଯୋଗର ସଭାପତି, ସମ୍ପାଦକଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, ନୀତି ଶୃଙ୍ଖଳିତ କରିବାକୁ ସବୁ ନିଯୋଗକୁ ଅନୁରୋଧ କରାଯାଇଛି। ୨୯ ତାରିଖରୁ କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳିମାନେ ଆସୁଛନ୍ତି, ସେମାନଙ୍କ ପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ନଭେମ୍ବର ୨୩ରୁ ୨୭ ତାରିଖ ପଞ୍ଚକ ପଡ଼ୁଥିବାରୁ ମହାପ୍ରଭୁ ଏହି ୫ ଦିନ ୫ଟି ବେଶରେ ଦର୍ଶନ ଦେବେ। ଏହି ସମୟରେ ଭିଡ଼ ନିୟନ୍ତ୍ରଣ ଓ ଦର୍ଶନ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଯେଉଁ ସମୟରେ ଠାକୁର ବେଶ ହେବେ, ସେ ସମୟରେ ଭିତର କାଠକୁ କାହାରିକୁ ଛଡ଼ାଯିବନି। କାର୍ତ୍ତିକ ମାସରେ ରୋଷ ଦର୍ଶନୀ ବି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଗ୍ରହଣ ପଡ଼ୁଛି, ସେ ଦିନ ଅନେକ ନୀତି ହେବ। ସାରା ରାତି ଶ୍ରୀମନ୍ଦିର ଖୋଲା ରହିବ। ସବୁ ନିଯୋଗକୁ ଏଥିରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, କାର୍ତ୍ତିକ ମାସରେ ପ୍ରତିଦିନ ଭୋର ୪ଟାରେ ଦ୍ବାର ଫିଟା, ୫ଟାରେ ମଙ୍ଗଳ ଆଳତି, ସାଢ଼େ ୬ଟାରୁ ସାଢ଼େ ୭ଟା ଭିତରେ ରାଈଦାମୋଦର ବେଶ ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ଟା ଭିତରେ ବାଳଧୂପ ନୀତି, ୧୦ଟା ୧୦ରେ ପ୍ରଥମ ଭୋଗମଣ୍ଡପ ଉଠିବ। ମଧ୍ୟାହ୍ନ ୧୨ଟାରେ ଭୋଗମଣ୍ଡପ ଶେଷ ହେବ। ଅପରାହ୍ଣ ଗୋଟାଏରୁ ୨ଟା ଦ୍ବିତୀୟ ଭୋଗମଣ୍ଡପ, ୩ଟାରେ ଦିବା ପହୁଡ଼, ୫ଟାରେ ଦ୍ବାରଫିଟା, ୬ଟାରେ ସନ୍ଧ୍ୟା ଆଳତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। ରାତି ୧୦ଟାରେ ଚନ୍ଦନଲାଗି, ୧୧ଟାରେ ବଡ଼ସିଂହାର ବେଶ ଓ ୧୨ଟାରେ ରାତ୍ର ପହୁଡ଼ ହେବ।