ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଛତରଙ୍ଗ ଡ୍ୟାମ୍‌, କରୋନା କଟକଣାରେ ବି ବୁଲିଯାଉଛନ୍ତି ପର୍ଯ୍ୟଟକ

ବିଶ୍ୱ ପର୍ଯ୍ୟଟନ ଦିବସ ସ୍ୱତନ୍ତ୍ର

କଂଟାବାଞ୍ଜି: ବଣ-ଜଙ୍ଗଲ ଓ ପାହାଡ-ଝରଣାର ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଛି ଛତରଙ୍ଗ ଡ୍ୟାମ୍‌। କଂଟାବାଞ୍ଜି ଠାରୁ ମାତ୍ର ୧୬ କି.ମି ଦୂରରେ ଥିବା ଏହି ଡ୍ୟାମକୁ ପ୍ରତି ଦିନ ଶତାଧିକ ଲୋକ ଯାଇ ଝରଣା ପାଣିରେ ଗାଧୋଉଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି। ଡ୍ୟାମରେ ଜମିଥିବା ପାଣିରେ ଛତରଙ୍ଗ ଗାଁର ଲୋକେ ମାଛ ଚାଷ କରିଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ହରିଶଙ୍କର ଓ ରାଣୀପୁର ଝରିଆଲ ବ୍ୟତୀତ ଛତରଙ୍ଗ ଡ୍ୟାମ ମଧ୍ୟ ରହିଛି। ବିଗତ କିଛି ବର୍ଷ ହେବ ଛତରଙ୍ଗ ଡ୍ୟାମ ସ୍ଥାନୀୟ ଲୋକଙ୍କୁ ଅଧିକ ଆକୃଷ୍ଟ କରୁଛି। ପ୍ରତି ଦିନ ଏଠାକୁ ଯୁବଗୋଷ୍ଠୀ ଆସୁଛନ୍ତି।

ଜଙ୍ଗଲ, ପାହାଡ, ଝରଣା ପାଣି ଥିବା ଏକ ପ୍ରାକୃତିକ ସ୍ଥାନ ହେଉଛି ଛତରଙ୍ଗ ଡ୍ୟାମ୍‌। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଜୁରାବନ୍ଧ ପଂଚାୟତର ଅଧିନରେ ଆସୁଥିବା ଛତରଙ୍ଗ ଗାଁରେ ଛତରଙ୍ଗ ଡ୍ୟାମ୍‌ ରହିଛି। ଡ୍ୟାମରେ ଝରଣାର ପାଣି ଏକତ୍ର ସଂଗୃହୀତ ହୋଇଥିବାରୁ ପର୍ଯ୍ୟଟକଙ୍କ ମନ କିଣିପାରିଛି।

ଛତରଙ୍ଗ ଗାଁରେ ଥିବା ଏହି ପାହାଡର ନାଁ ହେଉଛି ଛତରଦାଣ୍ଡି। ଡ୍ୟାମକୁ ଲୋକେ ଛତରଙ୍ଗ ଡ୍ୟାମ ଭାବେ ଜାଣନ୍ତି। ଛତରଙ୍ଗ ପାହାଡରେ ରହିଛି ଆଦିବାସୀଙ୍କ ଛତର ଦେବୀଙ୍କ ପୀଠ। ଦେବୀଙ୍କ ନାଁରେ ଏହି ଗାଁର ନାଁ ଛତରଙ୍ଗ ଏବଂ ପାହାଡର ନାଁ ଛତରଦାଣ୍ଡି ନାମିତ ହୋଇଥିବା ଗାଁ ଲୋକେ କହନ୍ତି।

ବିଶ୍ୱ ପର୍ଯ୍ୟଟନ ଦିବସ (ସେପ୍ଟେମ୍ବର ୨୭) ପରୀପ୍ରେକ୍ଷିରେ ଛତରଙ୍ଗ ଗାଁର ଲୋକେ କହନ୍ତି ଯେ, ୧୯୭୨ ମସିହାରୁ ଏହି ପାହାଡରୁ ପାଣି ଆସୁଛି। ଜଳସେଚନ ପାଇଁ ଏକ ଡ୍ୟାମ କରାଯାଇଛି। ପର୍ଯ୍ୟଟକଙ୍କୁ ଡ୍ୟାମ ଆକୃଷ୍ଟ କରୁଥିବା ବେଳେ ପାହଡ ଉପରକୁ ଯିବା ପାଇଁ କୌଣସି ରାସ୍ତା ନାହିଁ। ରାସ୍ତା ଟିଏ ନିର୍ମାଣ ହେଲେ ପର୍ଯ୍ୟଟକଙ୍କ ଆହୁରି ଭିଡ଼ ହୁଅନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି।

ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଛତରଙ୍ଗ ଡ୍ୟାମ ପ୍ରତି ପ୍ରଶାସନର ଦର ନାହିଁ। ପ୍ରଶାସନ ଜିଲ୍ଲା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଲେ ଏହାର ବିକାଶ ହୋଇପାରନ୍ତା। ଏଥି ସହିତ ପର୍ଯ୍ୟଟକଙ୍କର ଭିଡ ଅଧିକ ହୋଇପାରନ୍ତା।

ସମ୍ବନ୍ଧିତ ଖବର