ବାରିପଦା: ଦୀର୍ଘ ବର୍ଷର ଦାବି ପରେ ମୟୂରଭଞ୍ଜରେ ଖୋଲିଛି ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଏହି ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର। ଛଉନୃତ୍ୟ ଶିଳ୍ପୀମାନଙ୍କୁ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ଅଭିଜ୍ଞ ଗୁରୁମାନଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯିବ। ଏଥି ନିମନ୍ତେ ରାଜ୍ୟ ସରକାର ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ, ଓଡ଼ିଆ ସାହିତ୍ୟ ଏକାଡେମି ସମ୍ପାଦକ ପ୍ରବୋଧ ରଥ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କ ସମେତ ବହୁ ପ୍ରତିଷ୍ଠିତ ଛଉନୃତ୍ୟ ବିଶାରଦ ଉପସ୍ଥିତ ଥିଲେ। ପ୍ରତିଷ୍ଠାନର ନୂତନ କୋଠା ନିର୍ମାଣ ନ ହେବା ପର୍ଯ୍ୟନ୍ତ ଏହା ସଂସ୍କୃତି ଭବନରେ କାର୍ଯ୍ୟ କରିବ। ଏହାଦ୍ବାରା ଜିଲ୍ଲାର ଶହଶହ କଳା‌କାର ଉପକୃତ ହେବେ।

ତେବେ ଛଉନୃତ୍ୟକୁ ଅବହେଳା କରାଯାଉଥିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୁତୁ ମେଁମେଁ ଲାଗି ରହିଛି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ୩ ମାସ ପୂର୍ବରୁ କେନ୍ଦ୍ର ସରକାର ମୟୂରଭଞ୍ଜରେ ଛଉନୃତ୍ୟ ପ୍ରତିଷ୍ଠାନ ଖୋଲାଯିବ ବୋଲି ଘୋଷଣା କରିଥିଲେ। ଏପଟେ ରାଜ୍ୟ ସରକାର କେନ୍ଦ୍ରକୁ ଚେକ୍‌ ଦେବା ପାଇଁ ମୟୂରଭଞ୍ଜରେ ଛଉନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ ବୋଲି ତୁରନ୍ତ ଘୋଷଣା କରିଥିଲେ। ଶେଷରେ କୌଣସି ଭିତ୍ତିଭୂମି ନଥାଇ ରାଜ୍ୟ ସରକାର ଆଜି ତରବରିଆ ଭାବେ ଛଉନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ପ୍ରତିଶ୍ରୁତି ରକ୍ଷା କରି କେବେ ପ୍ରଶିକ୍ଷଣ ପ୍ରତିଷ୍ଠାନ ‌ଖୋଲୁଛନ୍ତି ତାହା ଦେଖିବାକୁ ବାକି ରହିଛି।