ଭୁବନେଶ୍ୱର : ଓମ୍ଫେଡ୍ କ୍ଷୀର ଦର ବଢ଼ିବା ପରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ଛେନା ଦର ବୃଦ୍ଧି କରିଛନ୍ତି। ଛେନା କିଲୋଗ୍ରାମ ପିଛା ୧୫ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ପନିର୍ ଦର ମଧ୍ୟ କିଲୋଗ୍ରାମ୍ ପିଛା ୧୮ ଟଙ୍କା ବୃଦ୍ଧି ପାଇଛି। ଏଣୁ ପୂର୍ବରୁ ୧୬୦ ଟଙ୍କା ଦରରେ ବିକ୍ରି ହେଉଥିବା ଛେନା ୧୮୦ ଟଙ୍କା ହୋଇଛି। ସେହିଭଳି ୨୨୦ ଟଙ୍କା ଦରରେ ବିକ୍ରି ହେଉଥିବା ପନିର ୨୪୦ ଟଙ୍କା ହୋଇଛି। ଆଜି ସହିଦ ନଗରସ୍ଥିତ ବାପୁ ରେଷ୍ଟୁରାଣ୍ଟ ପରିସରରେ ସମିତିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ ସମସ୍ତ ଚାଷୀଙ୍କୁ ଏ ବାବଦରେ ଅବଗତ କରାଯାଇଛି। ଛେନାର ଏହି ଦରବୃଦ୍ଧି ଯୋଗୁଁ ବିଭିନ୍ନ ଛେନା ଉତ୍ପାଦଗୁଡ଼ିକର ଦର ସମାନୁପାତିକ ଭାବେ ବଢ଼ିବାକୁ ଯାଉଥିବାରୁ ସମିତି ଗ୍ରାହକମାନଙ୍କର ସହଯୋଗ କାମନା କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସମିତିର ସଭାପତି ବିମ୍ବାଧର ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମ୍ପାଦକ ସୁଜିତ ପୋଦ୍ଦାର, ଉପସଭାପତି ପ୍ରମୋଦ କୁମାର ପୃଷ୍ଟି, ଉପଦେଷ୍ଟା ପ୍ରଶାନ୍ତ କର, ଖୋର୍ଦ୍ଧା ଜିଲ୍ଲା ସଭାପତି ଶିଶିର ମିଶ୍ର ପ୍ରମୁଖ ଦେଇଥିଲେ। କ୍ଷୀର ଦର ବୃଦ୍ଧି ପାଇଥିବାରୁ ଏହି ଚାଷୀମାନେ ଛେନା ଦର ବୃଦ୍ଧି କରିବା ପାଇଁ ସମିତିକୁ ଅନୁରୋଧ କରିଥିଲେ। ଅନ୍ୟପଟେ ଓମ୍ଫେଡ୍ କ୍ଷୀର ଦର ଏକ ଟଙ୍କା ବଢ଼ିଲେ ଛେନା ଦର ୫ ଟଙ୍କା ବଢ଼ିବାକୁ ପୂର୍ବରୁ ସମିତି ନିଷ୍ପତ୍ତି ମଧ୍ୟ ନେଇଥିଲା। ବୈଠକରେ ଏହି ସବୁ ପ୍ରସଙ୍ଗ ଉପରେ ଦୀର୍ଘ ଏକ ଘଣ୍ଟା କାଳ ଆଲୋଚନା ହେବା ପରେ ନିଷ୍ପତ୍ତି ନିଆଯାଇଥିବା ବାପୁ ରେଷ୍ଟୁରାଣ୍ଟ ପ୍ରୋପାଇଟର ପ୍ରମୋଦ ପୃଷ୍ଟି ସୂଚନା ଦେଇଥିଲେ।
ନକଲି ଛେନା ବା ଅପମିଶ୍ରିତ ଛେନା ବିକ୍ରି ସମ୍ପର୍କରେ ମଧ୍ୟ ସମିତି ବୈଠକରେ ଗୁରୁତ୍ବର ସହ ଆଲୋଚନା ହୋଇଥିଲା। ଅନେକ ସମୟରେ ଅପମିଶ୍ରିତ ଛେନା ବିକ୍ରି ନେଇ ଅଭିଯୋଗ ହେଉ ଥିବାରୁ ଚାଷୀମାନେ ଯେଭଳି ଅସଲି ଛେନା ପ୍ରସ୍ତୁତ କରିବେ ବା ବିକ୍ରି କରିବେ ତାହା ଉପରେ ଚାଷୀ ମାନେ ଧ୍ୟାନ ରଖିବାକୁ ପରାମର୍ଶ ଦିଆଯାଇଥିଲା। କେବଳ ଅସଲି ଛେନାରେ ହିଁ ଏହି ବର୍ଦ୍ଧିତ ଦର ଲାଗୁ ହେବ ବୋଲି ସମିତି ସ୍ପଷ୍ଟ କରିଥିଲା।