ଅସ୍ତିତ୍ବ ହରାଉଛି ଛିଣ୍ଡା ଖରସ୍ରୋତା, ୩୦ରୁ ଆନ୍ଦୋଳନ

ଯାଜପୁର:  ୧୪ କିଲୋମିଟର ଲମ୍ବିଥିବା ୧୪ଟି ଗ୍ରାମର ଜୀବନରେଖା ଛିଣ୍ଡା ଖରସ୍ରୋତା ଅସ୍ତିତ୍ବ ହରାଇବାକୁ ବସିଛି। ଏହାର ପୁନରୁଦ୍ଧାର ପାଇଁ ୯ବର୍ଷ ହେଲା ଆନ୍ଦୋଳନ ଜାରି ରହିଛି। କୋରେଇ ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକ୍‌ର ଏହି ଅଞ୍ଚଳର ବିକାଶ ରାଜ‌ନୈତିକ ନେତାଙ୍କ ଛକାପଞ୍ଝା ପାଇଁ ବଳି ପଡ଼ିଯାଇଛି। ତେବେ ଆଗାମୀ ୩୦ତାରିଖରୁ ଆନ୍ଦୋଳନକୁ ତୀବ୍ର କରିବାକୁ ଖରସ୍ରୋତା ପୁନରୁଦ୍ଧାର ସମିତି ଡାକରା ଦେଇଛି।

ପ୍ରକାଶ ଥାଉକି ବ୍ରାହ୍ମଣୀ ନଦୀର ଶାଖା  ତଥା ଟିକରପଡ଼ା ଠାରୁ ଖଣ୍ଡିତର ପର୍ଯ୍ୟନ୍ତ ଯାଇଥିବା ଛିଣ୍ଡା ଖରସ୍ରୋତା ହେଉଛି ପ୍ରକୃତରେ ମୂଳ ଖରସ୍ରୋତା। ଏହା ଏବେ ଏକ ପରିତ୍ୟକ୍ତ ନାଳର ଭ୍ରମ ସୃଷ୍ଟି କରିଛି। ନଦୀ କୂଳରେ ଥିବା ରସୁଲପୁର ବ୍ଲକ୍‌ର ଟିକରପଡା, ଭୂଇଁପୁର, ଗନ୍ଧଣ, ବଡ଼କଇଞ୍ଚି, ରାହାମ୍ବା, ଭୋଟକା  ପଞ୍ଚାୟତର ହଜାର ହଜାର ପରିବାରର ଜୀବନଜୀବିକାକୁ ଏହି ଦ୍ବାରା ପ୍ରଭାବିତ ହୋଇଆସିଛି। ଚାଷୀ, ମତ୍ସ୍ୟଜୀବୀ, ବ୍ୟବସାୟୀ ଇତ୍ୟାଦିଙ୍କ ପାଇଁ ଏହି ନଦୀ ସହାୟକ ହୋଇଆସିଛି। ୧୪କିମି ବ୍ୟାପି ୧୫୦ମିଟର ଓସାର ଏହି ନଦୀଶଯ୍ୟାକୁ ବିଗତ ଦିନରେ ଡ୍ରେନେଜ୍ ଡିଭିଜନ୍‌ ଯନ୍ତ୍ରୀ ଏବଂ ଠିକାଦାରଙ୍କ ଅସାଧୁମେଣ୍ଟ ମାତ୍ର ୧୫ମିଟର ଓସାର ଅଞ୍ଚଳରୁ ବାଲି ଆଡ଼େଇ କୋଟି କ‌ୋଟି ଟଙ୍କା ଚଳୁ କରିଦେଲେ। ଯାହାକି ପରିସ୍ଥିତିକୁ ଅଧିକ ସଙ୍ଗିନ କରିଦେଇଛି।

ଏବେ ଏହା ଦଳ, ବଣରେ ପରିପୂର୍ଣ୍ଣ ହୋଇଛି। ଯାହାକି ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି। ଏପରିକି ଜମି ରହିଥିବା ପାଣି ଅଞ୍ଚଳର ପରିବେଶକୁ ଦୂଷିତ କରୁଛି। ଲୋକମାନଙ୍କର ସେବାରେ ଲାଗୁଥିବା ମୂଳ ଖରସ୍ରୋତା ଏବେ ଅଞ୍ଚଳବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି। ଏହାର ସୁଯୋଗରେ କେତେକ ପ୍ରଭାବଶାଳୀ ମଧ୍ୟ ଏହି ମୂଳ ଖରସ୍ରୋତାର ବ୍ୟାପକ ଅଞ୍ଚଳ ଜବରଦଖଲ କରି ରଖିଛନ୍ତି। ମୂଳ ଖର‌ସ୍ରୋତାର  ଟିକରପଡ଼ା ଓ ଖଣ୍ଡିତର ଠାରେ  ନଦୀଶଯ୍ୟାର ଦୁଇ ମୁଣ୍ଡକୁ ପ୍ରଥମେ ଦୃଢ଼ କରାଯାଇ ସ୍ଲୁଇସ ଗେଟ୍ ବସାଇ ପ୍ରଶସ୍ତ ଭାବେ ଖୋଳି ପୁନରୁଦ୍ଧାର କରିବାକୁ ଦାବି ହୋଇଆସୁଛି। ଏହାକୁ ନେଇ ଗତ ୨୦୧୩ ମସିହାରୁ ଖରସ୍ରୋତା ପୁନରୁଦ୍ଧାର ସମିତି(ମଧୁବନ) ଦାବି କରିଆସୁଛି।

କୋରେଇ ଓ ଧର୍ମଶାଳା ବିଧାୟକ, ଜଳସେଚନ ବିଭାଗ ଉଚ୍ଚ ପଦାଧିକାରୀ ବାରମ୍ବାର ଗସ୍ତ କରି ବିଭିନ୍ନ ପ୍ରତିଶ୍ରୁତି ଦେଇଛିନ୍ତି। ଶାସକ ଓ ପ୍ରଶାସକଙ୍କର ପ୍ରତିଶ୍ରୁତି  ପାଣିର ଗାର ଭଳି ମିଳେଇ ଯାଇଛି।  ଯଦି ଏହି ୧୪କିମି ମୂଳ ଖରସ୍ରୋତାର ଉପଯୁକ୍ତ ବିକାଶ କରାଯାଇ  ଜଳସେଚନ, ନୌବିହାର ପାଇଁ ସୁବିଧା କରାଯାଇଥିଲେ ରାଜ୍ୟର ବିକାଶରେ  ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତା ବୋଲି ଖରସ୍ରୋତା ପୁନରୁଦ୍ଧାର ସମିତିର ସଦସ୍ୟ ଇଂ ବିଶ୍ବଜିତ ମହାନ୍ତି ଦାବି କରିଛନ୍ତି। ଆସନ୍ତା ୩୦ ତାରିଖରୁ  ମୂଳ ଖରସ୍ରୋତା ଓ ଦୁଧେଇ ନାଳର ପୁନରୁଦ୍ଧାର ପାଇଁ ପଦଯାତ୍ରା ଆନ୍ଦୋଳନ ଆରମ୍ଭ କରାଯିବ।  ଆଉ ମିଥ୍ୟା ପ୍ରତିଶ୍ରୁତିରେ ଅଞ୍ଚଳବାସୀ ପ୍ରଭାବିତ ହେବେ ନାହିଁ। ଏଥର ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ଇଂ ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର