ମାଲକାନଗିରି: ଓଡ଼ିଶା - ଛତିଶଗଡ ସୀମାନ୍ତରେ ବର୍ଷା ଛେଚୁଛି। ୩ଦିନ ହେଲା ଲଗାତର ବର୍ଷାରେ ଜନଜୀବନ ବେହାଲ ହୋଇପଡିଛି। ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଏଭଳି ପରିସ୍ଥିତିରେ ଛତିଶଗଡର ମନ୍ତ୍ରୀ କାୱାସୀ ଲକ୍ଷ୍ମା ସୀମାନ୍ତ ସୁକମା ଜିଲ୍ଲାର ବହୁ ଗ୍ରାମ ଏବଂ ଜମି ବୁଲି ଦେଖିଛନ୍ତି। ସେଠାକାର ମୁଖ୍ୟମନ୍ତ୍ରୀଙ୍କ ନିଦ୍ଦେର୍ଶରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି। ଛତିଶଗଡର ସୁକମା, ଦନ୍ତେଵାଡା, ବିଜାପୁର ସମେତ ଅନ୍ୟ ଜିଲ୍ଲାଗୁଡିକ ନଦୀରେ ବନ୍ୟାପାଣି ଆସିବା ପରେ ଏଭଳି ପରିସ୍ଥିତି ଦେଖାଦେଇଛି। ମାଲକାନଗିରିର ବହୁ ଅଞ୍ଚଳର ଲୋକେ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡ଼ିଛନ୍ତି। ତେବେ କ୍ଷତିଗ୍ରସ୍ତ ଅଞ୍ଚଳରେ ଓଡ଼ିଶାର କୌଣସି ମନ୍ତ୍ରୀଙ୍କ ଦେଖାନମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ବିଶେଷକରି ପୋଲାଭରମ ପ୍ରକଳ୍ପ ଯୋଗୁଁ ଗୋଦାବରୀ ନଦୀର ପଛୁଆ ଅଂଚଳର ପାଣି ଏବେ ସିଲେରୁ ନଦୀରେ ମିଶିବାରୁ ସୁକମା ଜିଲ୍ଲାର ବହୁ ଗ୍ରାମ ଜଳମଗ୍ନ ହୋଇଯାଇଛି।ଜିଲ୍ଲାର ରାସ୍ତା ଉପରେ ପାଣି ଚାଲୁଥିବାରୁ ଯିବା ଆସିବା ମଧ୍ୟ ବାଧା ସୃଷ୍ଟି ହୋଇଛି। ମନ୍ତ୍ରୀ ଲଖମା କାବାସୀ ଆଜି ଏକ ପିକଅପ ଭ୍ୟାନରେ ବନ୍ୟା ଅଂଚଳ ଗସ୍ତ କରିଥିଲେ।ପରେ ଟ୍ରାକ୍ଟରରେ ଜିଲ୍ଲାପାଳ ଏବଂ ଏସପି ମଧ୍ୟ ପଛରେ ଯାଇଥିଲେ।ଅସ୍ଥାୟୀ ଶିବିରଗୁଡିରେ ତୁରନ୍ତ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ବନ୍ୟା ଅଂଚଳରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଯୋଗାଇ ଦିଆଯାଉ ବୋଲି ମନ୍ତ୍ରୀ ନିର୍ଦେଶ ଦେଇଥିଲେ।
ତେବେ ମାଲକାନଗିରି ଜିଲ୍ଲାର ସୀମାନ୍ତ ମୋଟୁ ଏବଂ ପଡିଆ ବ୍ଲକର ବହୁ ଗ୍ରାମ ପାଣି ଘେରରେ ରହିଥିବା ବେଳେ ସ୍ଥିତି ଏବେ ସଂଗୀନ ରହିଛି। ଗତ ଚାରି ଦିନ ହେଲା ଲୋକେ ନିଜ ଘରୁ ଜିନିଷ ପତ୍ର କାଢିପାରିନଥିବାରୁ ସଂପୂର୍ଣ୍ଣ ଘରକୁ ପାଣି ବୁଡାଇ ରଖିଛି।ଧିରେ ଧିରେ ପାଣିର ସ୍ତର ବଢୁଥିବାରୁ ମୋଟୁ ଅଂଚଳବାସୀ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି। ଭୟରେ ନିଜ ଘରର ଆସବାବପତ୍ରଗୁଡିକ ତୁରନ୍ତ ଖାଲି କରୁଥିବା ଦେଖିବାକୁ ମିଳିଛି। ତେବେ ମାଲକାନଗିରିକୁ କୌଣସି ମନ୍ତ୍ରୀ ଗସ୍ତ କରିନଥିବାରୁ ସ୍ଥାନୀୟ ଅଂଚଳରେ ଅସଂତୋଷ ବଢିଛି। ଲୋକେ କିପରି ଦୟନୀୟ ଅବସ୍ଥାରେ ରହୁଛନ୍ତି ଏହାର ଚିତ୍ର ସମସ୍ତ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କେହି ମଧ୍ୟ ମନ୍ତ୍ରୀ ନଆସିବା ଦୁଃଖର ବିଷୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।ଭୋଟ ବେଳେ ମନ୍ତ୍ରୀ ଠାରୁ ରାଜନେତାମାନେ ଘନ ଘନ ଆସୁଥିବା ବେଳେ ଏବେ ଦୁଃଖ ସମୟରେ କାହାର ଦେଖାମିଳୁନଥିବା କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/Mkg-CG-minister-Lakma-Kabasi-visit-flood-area.jpg)