ଆଇସିଡିଏସ୍‌ ପ୍ରକଳ୍ପମାନଙ୍କରେ ଛତୁଆ ମିଶ୍ରଣ ପ୍ରକ୍ରିୟା ଆରମ୍ଭ : ପ୍ରତି ମାସ ୨୩ରେ ଛତୁଆ ମିଶ୍ରଣ

ଭୁବନେଶ୍ବର : ଏଣିକି ପ୍ରତିମାସ ୨୩ ତାରିଖରେ ଛତୁଆ ମିଶ୍ରଣ ହେବ। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ୩୩୮ଟି ଆଇସିଡିଏସ୍‌ ପ୍ରକଳ୍ପ ଅଧୀନରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଦ୍ବାରା ଛତୁଆ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ)ରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତୀ ମାନଙ୍କୁ ଅତିରିକ୍ତ ପୁଷ୍ଟି ସାଧନ ପାଇଁ ଛତୁଆ ଯୋଗାଣ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏବଂ ଉତ୍କୃଷ୍ଟମାନ ବଜାୟ ରଖିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜାରି କରାଯାଇଥିବା ସଂଶୋଧିତ ଗାଇଡ୍‌ଲାଇନ୍‌ ଅନୁଯାୟୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସିଡିପିଓ କିମ୍ବା ମିସନ ଶକ୍ତିର ପ୍ରୋଗ୍ରାମ ଅଧିକାରୀମାନଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ପରିମାଣର ସାମଗ୍ରୀ ମିଶ୍ରଣ କରି ଛତୁଆ ପ୍ରସ୍ତୁତ କରାଯାଇଛି। ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାରେ ଚାଲିଥିବା ମିଶ୍ରଣ ପ୍ରକ୍ରିୟାରେ ସାମଗ୍ରୀର ମାନ, ଛତୁଆ ପ୍ରସ୍ତୁତି କେନ୍ଦ୍ରର ଭିତ୍ତିଭୂମି, ସ୍ବଚ୍ଛତା, ବ୍ୟବହୃତ ଯନ୍ତ୍ର, ସାମଗ୍ରୀର ଗୁଣବତ୍ତା, ପ୍ୟାକେଜିଂ ପ୍ରଭୃତିକୁ ନିରୀକ୍ଷଣ ଏବଂ ତଦାରଖ କରାଯାଉଛି। କେନ୍ଦୁଝର ଜିଲ୍ଲାରେ ଜିଲ୍ଲାପାଳ ଉପସ୍ଥିତ ରହି ଏହି ଛତୁଆ ମିଶ୍ରଣ କାର୍ଯ୍ୟର ତଦାରଖ କରିଥିଲେ।

ପ୍ରକାଶ ଥାଉ କି, ଛୁତଆ ପ୍ରସ୍ତୁତି ପାଇଁ ରାଜ୍ୟର ସ୍ବୟଂ ସହୟକ ଗୋଷ୍ଠୀମାନଙ୍କୁ ୧ବର୍ଷିଆ ଚୁକ୍ତିରେ ଚୟନ କରାଯାଇ ଛତୁଆ ପ୍ରସ୍ତୁତି ପାଇଁ ସ୍ବତନ୍ତ୍ର ତାଲିମ ଦିଆଯାଇଛି। ଗହମ, ବାଦାମ, ବୁଟ ଏବଂ ଚିନିର ମିଶ୍ରଣରେ ପ୍ରସ୍ତୁତ ଛତୁଆକୁ ୬ମାସରୁ ୩ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତି ଏବଂ ୩ ବର୍ଷରୁ ୬ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ଭାବେ ଯୋଗାଇ ଦିଆଯାଉଛି। ଏଣିକି ପ୍ରତିମାସ ୧ ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ମାତୃ କମିଟି ଓ ଯାଞ୍ଚ କମିଟି ଉପସ୍ଥିତିରେ ଛତୁଆ ବଣ୍ଟନ କରାଯିବ। ଛତୁଆ ମିଶ୍ରଣ ପାଇଁ ନିର୍ଦ୍ଧାରିତ ୨୩ ତାରିଖ ଛୁଟି ଦିନ ଥିଲେ ମଧ୍ୟ ସେହିଦିନ ଛତୁଆ ମିଶ୍ରଣ କରାଯିବ। ଆଜି ସାରା ରାଜ୍ୟରେ ଜନ୍ମାଷ୍ଟମୀ ପାଇଁ ସରକାରୀ ଛୁଟି ଥିଲେ ମଧ୍ୟ ଛତୁଆ ମିଶ୍ରଣ କରାଯାଇଥିଲା।

ଏହା ଦ୍ବାରା ଛତୁଆ ଯୋଗାଣ ପ୍ରକ୍ରିୟାରେ ଅଧିକ ସ୍ବଚ୍ଛତା ଆସିବା ସହ ହିତାଧିକାରୀ ଉନ୍ନତମାନର ଛତୁଆ ପାଇପାରିବେ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଶାପୋଷଣ କରିଛନ୍ତି। ଏହି ପ୍ରକ୍ରିୟା ସହ ଜଡ଼ିତ ସମସ୍ତ ଅଧିକାରୀ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର