ରାଉରକେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପକ୍ଷରୁ ଆଜି ଦ୍ବିତୀୟ ଦିନରେ ଚଢ଼ଉ ଜାର ରହିଛି। ଆଜି ଆର୍‌ଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ବାଗତିକା ବେହେରାଙ୍କ ନେତୃତ୍ବରେ ଏକ ଟିମ୍‌ ଓରାମପଡାସ୍ଥ ବିଜୟଲକ୍ଷ୍ମୀ ସ୍ବିଇଟ୍‌ସ କାରଖାନା ଉପରେ ଚଢ଼ଉ କରିଥିଲେ। ଓରାମପଡା ଇଣ୍ଡୋ ଇଂରାଜୀ ସ୍କୁଲ ନିକଟ ଆର୍‌. ରମେଶଙ୍କ ବାଦାମ ଚିକି, ବାଦାମ ଲଡୁ, ସେଓ ଲଡୁ କାରଖାନା ଉପରେ ଚଢ଼ଉ କରାଯାଇଥିଲା। ଆର୍‌ଏମ୍‌ସି ବିଭାଗୀୟ ଅଧିକାରୀଙ୍କ ଚେତାବନୀ ସତ୍ବେ  କାରଖାନା ମାଲିକ ଫୁଡ୍‌ ଲାଇସେନ୍ସ ନେଇ ନଥିଲେ।

Advertisment

କେବଳ ଏତିକି ନୁହେଁ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ମ୍ୟା‌ନ୍ୟୁଫେକ୍‌ଚରିଂ ଓ ଏକ୍ସପ୍ୟାରି ଡେଟ୍‌ ମଧ୍ୟ ଲେଖିନଥିଲେ। ସିଟି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶୀଲ ପରିଡା ଓ ଅନ୍ୟ ଅଧିକାରୀ ବିନା ଲାଇସେନ୍ସ ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବାଦାମ ଓ ସେଓ ଲଡୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ପାଇଥିଲେ। ରାଉରକେଲା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍‌ ବବିତା ମୁର୍ମୁଙ୍କ ଉପସ୍ଥିତିରେ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିଲା। ପରେ  କାରଖାନାକୁ ସିଲ୍‌ କରାଯାଇଥିଲା। ଚଢ଼ଉ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ସେପଟେ କାରଖାନା ସିଲ୍‌ କରିବାକୁ ଆସିଥିବା ଆର୍‌ଏମ୍‌ସି ଅଧିକାରୀଙ୍କ ସହ କାରଖାନା  ମାଲିକ ଓ କର୍ମଚାରୀ ପାଟିତୁଣ୍ଡ କରିଥିଲେ। ଉଲ୍ଲେଖଯୋଗ୍ୟ, ଗତକାଲି ଆର୍‌ଏମ୍‌ସି ଟିମ୍‌ ମଧୁସୂଦନପାଲୀରେ ବଣ୍ଟୁ ସାହୁଙ୍କ ‘ଓମ୍‌ ସାଇରାମ୍‌’ ସସ୍‌ ଓ ଚାଉମିନ୍‌ କାରଖାନାକୁ ସିଲ୍‌ କରିଥିଲେ। ବିନା ଫୁଡ୍‌ ଲାଇସେନ୍ସରେ ବର୍ଷ ବର୍ଷ ଧରି ଭେଜାଲ ସସ୍‌ ଓ ଚାଉମିନ୍‌ ତିଆରି କରି ବଜାରକୁ ପଠାଉଥିଲେ। ଏସବୁ ସହରର ଫାଷ୍ଟଫୁଡ୍‌ରେ ଗ୍ରାହକଙ୍କୁ ପରସା ଯାଉଥିଲା।

ସ୍ଥାନୀୟ ଲୋକ ଏ ସଂକ୍ରାନ୍ତରେ ଜାଣିବା ପରେ ଆର୍‌ଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କମିସନରଙ୍କ ନିର୍ଦ୍ଦେଶକ୍ରମେ ଆର୍‌ଏମ୍‌ସିର ଏକ ଟିମ୍‌ ପହଞ୍ଚି ପ୍ରସ୍ତୁତ ହେଉଥିବା ଭେଜାଲ ସସ୍‌ ଓ ଚାଉମିନ୍‌ ଜବତ କରିଥିଲେ। ରାଉରକେଲା କେବଳ ‘ଓମ୍‌ ସାଇରାମ୍‌‘ ନୁହେଁ ଏମିତି ଅନେକ ବେନାମି ସସ୍‌ କାରଖାନା ଚାଲିଛି। ଯେଉଁ ଦୈନିକ କ୍ବିଣ୍ଟାଲ କ୍ବିଣ୍ଟାଲ ଭେଜାଲ ସସ୍‌ ତିଆରି କରାଯାଇ ବଜାରକୁ ଛଡାଯାଉଛି। ସହରର ଫର୍ଟିଲାଇଜର, ବନ୍ଧମୁଣ୍ଡା, ‌ଗୋପବନ୍ଧୁପାଲୀ, ମଧୁସୂଦନପାଲୀ, ରେଲୱେ କଲୋନି, ମହତାବ ରୋଡ, ପ୍ଲାଣ୍ଟସାଇଟ୍‌ରେ, ପାନପୋଷ ଆଦି ଅଞ୍ଚଳରେ ଏମିତି ଅନେକ ଭେଜାଲ ସସ୍‌ କାରଖାନା ଚାଲିଛି। ହକି ପୂର୍ବରୁ ଏସବୁ କାରଖାନାଗୁଡ଼ିକ ଚିହ୍ନଟ କରି ତୁରନ୍ତ ସିଲ୍‌ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।