ବିଦ୍ୟାଳୟରେ ନାମଲେଖା ପାଇଁ କୁକୁଡ଼ା ଲାଞ୍ଚ, ଜିଲ୍ଲାପାଳଙ୍କୁ ଫେରାଦ ହେଲେ ୩ ଛାତ୍ରୀ

କେନ୍ଦୁଝର : କୁକୁଡ଼ା ନଦେଲେ ବିଦ୍ୟାଳୟରେ ନାମଲେଖା ହୋଇପାରିବ ନାହିଁ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଆଶ୍ରମ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ। ଏନେଇ ଆଜି ୩ଜଣ ଛାତ୍ରୀ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିବା ବେଳେ ଜିଲ୍ଲା ମଙ୍ଗଳ ବିଭାଗ ଘଟଣାର ତଦନ୍ତ ନିର୍ଦେଶ ଦେଇଛି।

ପ୍ରାପ୍ତ ସୂଚନା ଅନୁସାରେ, କାଞ୍ଜିପାଣି ଗ୍ରାମର ପଦ୍ମିନୀ ଜୁଆଙ୍ଗ ୯ ବର୍ଷର ଝିଅ ରଶ୍ମିତା ଜୁଆଙ୍ଗଙ୍କୁ ନେଇ ନିକଟସ୍ଥ ଆଶ୍ରମ ବିଦ୍ୟାଳୟକୁ ନାମଲେଖାଇବା ପାଇଁ ଯାଇଥିଲେ। ସେଠାରେ ପୂର୍ବ ପ୍ରସ୍ତୁତି ମୁତାବକ ଆଜି ନାମଲେଖା ପାଇଁ ଆବେଦନ କରିଥିବା ପିଲାଙ୍କ ନାମ ଲଟେରି ମାଧ୍ୟମରେ ଉଠାଯାଇଥିଲା। ଲଟେରିରେ ରଶ୍ମିତାଙ୍କ ନାମ ଆସିଲା ନାହିଁ। ଏ ସମ୍ପର୍କରେ ମା’ ପଦ୍ମିନୀ ଜଣେ ଶିକ୍ଷକଙ୍କୁ ପଚାରିବାରୁ ସେ ସିଧା ସିଧା ତାଙ୍କୁ କୁକୁଡ଼ା ଓ ଟଙ୍କା ଆଣିବାକୁ କହିଥିଲେ। କେବଳ ପଦ୍ମିନୀ ନୁହନ୍ତି ସେହି ଗ୍ରାମର ବୁଦ୍ଧଦେବ ଜୁଆଙ୍ଗଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ସେ ମଧ୍ୟ ନିଜ ୭ ବର୍ଷର ଝିଅ ସନ୍ଧ୍ୟା ଜୁଆଙ୍ଗଙ୍କୁ ନେଇ ନାମ ଲେଖାଇବାକୁ ଯାଇଥିଲେ। ତାଙ୍କର ଇଚ୍ଛା ଝିଅ ପାଠପଢ଼ି ବଡ଼ ମଣିଷ ହେବ। ହେଲେ ତାଙ୍କୁ ମଧ୍ୟ ସମାନ ଢଙ୍ଗରେ କୁକୁଡ଼ା, ଖାସି କିମ୍ବା ପଇସା ଦେବାକୁ କୁହାଯାଇଥିଲା। ଏନେଇ ସମ୍ପୃକ୍ତ ଛାତ୍ରୀମାନେ ନିଜ ଅଭିଭାବକଙ୍କ ସହ ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ। ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାଶ ସେମାନଙ୍କ ଅଭିଭାବକଙ୍କୁ ଭେଟି ଆଲୋଚନା କରିଥିଲେ। ସମ୍ପୃକ୍ତ ଛାତ୍ରୀମାନଙ୍କ ନାମଲେଖା ଦାୟିତ୍ବ ସେ ନିଜେ ନେବା ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର