ଗୁହିଆଶାଳରେ ହାଡ଼ଫୁଟି ଆତଙ୍କ, ଘରେଘରେ ରୋଗୀ

କାଳିଆପାଣି : ନଗଡ଼ା ପଡ଼ୋଶୀ ଗାଁ ଗୁହିଆଶାଳ ମୌଜାରେ ହାଡ଼ଫୁଟି ରୋଗ ଏବେ ଆତଙ୍କର କାରଣ ହୋଇଛି। ଦିନକୁ ଦିନ ଏହି ସଂକ୍ରାମକ ରୋଗ ବ୍ୟାପୁଥିବା ଦେଖିବାକୁ ମିଳିଛି। ଘରେଘରେ ରୋଗୀ ଜ୍ୱରରେ କମ୍ପିବା ସହ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଗାଁର ସମସ୍ତ ୨୭ଟି ପରିବାରରେ କାହାକୁ ନା କାହାକୁ ହାଡ଼ପୁଟି ହୋଇଛି। ଜୁଆଙ୍ଗ ଦମ୍ପତି କୁସୁମଲି ଓ ନାଣ୍ଡୁ ପ୍ରଧାନଙ୍କ ସମେତ ତାଙ୍କର ସମସ୍ତ ୬ ପିଲା ଲୀଳା(୧୦), ସୁକୁମାରି(୮), ଅଦି(୬), ରଥିଆ(୪), କଲ୍ୟାଣୀ(୨) ଓ ରବୀନ୍ଦ୍ର(୬ ମାସ)ଙ୍କ ଦେହସାରା ହାଡ଼ଫୁଟି ଛାଇ ହୋଇଯାଇଛି।

ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଦୁର୍ଜନ ପ୍ରଧାନ(୩୭) ଓ ତାଙ୍କ ୨ ଝିଅ ସୁମତି(୩) ଏବଂ ଚୁମା(୧), ଗଣେଶ ପ୍ରଧାନଙ୍କ ପତ୍ନୀ ସୁରୁବାଲି(୩୦) ଏବଂ ୨ ଝିଅ ମିନାକ୍ଷୀ(୨) ଓ ଚୁମକି(୩), ବଇଶା ପ୍ରଧାନଙ୍କ ୨ ପୁଅ ମୁନା(୧) ଓ ଦେବ(୫), କାଳିଆ ପ୍ରଧାନଙ୍କ ୨ ପୁଅ ରଞ୍ଜିତ(୩) ଓ ବଦ୍ରି(୧୮ ମ‌ାସ), କୁନିଆ ପ୍ରଧାନଙ୍କ ପୁଅ କ୍ରିଷ୍ଣ(୪), ବସଳା ପ୍ରଧାନଙ୍କ ଝିଅ କାବୁରି(୬), ଦେଶ ପ୍ରଧାନଙ୍କ ଝିଅ କୁସୁମାଇ(୩), କବିରା ପ୍ରଧାନଙ୍କ ଝିଅ ଉଆଁସୀ(୩), ନନ୍ଦ ପ୍ରଧାନଙ୍କ ପୁଅ କୈଳାସ(୫), ଈଶ୍ବର ପ୍ରଧାନଙ୍କ ପତ୍ନୀ ତୁଳସୀ(୩୪) ଓ ପୁଅ ସାଧନ(୪), ଦେଶ ପ୍ରଧାନ(୩୦) ଓ ତାଙ୍କ ଝିଅ ସାବିତ୍ରୀ(୨), ଅଶିଣ ପ୍ରଧାନଙ୍କ ପତ୍ନୀ ବାସନ୍ତୀ(୨୧) ଓ ଝିଅ ସୁଜୁନି(୬ ମାସ), ସୁବନ ପ୍ରଧାନଙ୍କ ପୁଅ କାଳିଆ(୩), ଅର୍ଜୁନ ପ୍ରଧାନଙ୍କ ପୁଅ ଖଲା(୧୦), ନନ୍ଦ ପ୍ରଧାନଙ୍କ ପୁଅ କୈଳାସ(୬), ସୁଜନା ପ୍ରଧାନ(୩୭), ନନ୍ଦୁ ପ୍ରଧାନଙ୍କ ପତ୍ନୀ ପଳେଇ(୩୫), ଲକ୍ଷ୍ମଣ ପ୍ରଧାନ(୪୫), ‌ଗୋବିନ୍ଦ ପ୍ରଧାନଙ୍କ ପତ୍ନୀ ଭଦୁନି(୫୫), ମାଳୁକୁ ପ୍ରଧାନଙ୍କ ପତ୍ନୀ ରମଣୀ(୬୫), ଗୋବିନ୍ଦ ପ୍ରଧାନଙ୍କ ପତ୍ନୀ ଭଦୁନି(୬୦), ଅଜାଣ ପ୍ରଧାନ(୬୫) ଓ ଆମ୍ବ ପ୍ରଧାନ(୬୦)।

 

ଆକ୍ରାନ୍ତଙ୍କ ଦେହରେ ଖଇ ଫୁଟିଲା ଭଳି ଜ୍ୱର ରହୁଥିବା ଓ ଶୀତ ଲାଗୁଥିବା ସହ ଘାଆ କୁଣ୍ଡେଇ ହେଉଛି। ଶିଶୁମାନେ ଯନ୍ତ୍ରଣାରେ ଛଟପଟ ହୋଇ ଅଧିକାଂଶ ସମୟ କାନ୍ଦୁଥିବା ବେଳେ ଶୋଇ ପାରୁନାହାନ୍ତି। ଗତ ସପ୍ତାହରେ ଏଠାରେ ମାତ୍ର ୧୦ ରୁ ୧୨ ଜଣ ହାଡ଼ଫୁଟିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇଛନ୍ତି। ୧୫୬ ଲୋକସଂଖ୍ୟା ଏହି ଗ‌ାଁରେ ୨ ସପ୍ତାହ ମଧ୍ୟରେ ୬୦ ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବୁଧବାର ଦିନ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ନିର୍ଦେଶରେ ଡାକ୍ତର ଶୁଭାଶିଷ ଜେନା ସଦଳବଳ ଗୁହିଆଶାଳ ସ୍କୁଲରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଇଥିଲେ। ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ ଔଷଧ ଦିଆଯାଇଛି, ହାଡ଼ଫୁଟି ନିୟନ୍ତ୍ରଣାଧୀନ ବୋଲି ଡା. ଜେନା ଦୃଢ଼ୋକ୍ତି କରିଛନ୍ତି।

ଅନ୍ୟପକ୍ଷରେ ସମସ୍ତ ଗ୍ରାମବାସୀ ସ୍ନାନଶୌଚ ପାଇଁ ଗାଁ ମୁଣ୍ଡରେ ଥିବା ଏକମାତ୍ର ପୋଖରୀକୁ ବ୍ୟବହାର କରିଥାନ୍ତି। ଏହାର ପାଣି ଗୋଳିଆ ଓ ଦୂଷିତ ଥିଲେ ବି ଆକ୍ରାନ୍ତମାନଙ୍କ ପାଖରେ ବିକଳ୍ପ ବ୍ୟବସ୍ଥ‌ା ନଥିବା ଅଭିଯୋଗ ହୋଇଛି। ଏପରିକି କ୍ଷୀର ଛାଡ଼ିନଥିବା ଶିଶୁମାନଙ୍କୁ ମାଆମାନେ ପୋଖରୀ ପାଣିରେ ବୁଡ଼ାଇ ସ୍ନାନ କରାଉଥିବା ଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର