ବ୍ରହ୍ମପୁର : ବହୁଚର୍ଚ୍ଚିତ ରବୀନ୍ଦ୍ର ବେହେରା ଓରଫ୍‌ ଚିକେନ୍‌ ରବି ହତ୍ୟାକାଣ୍ଡର ସାକ୍ଷୀଙ୍କୁ ଧମକ ଦେବା ମାମଲାର ଶୁଣାଣି ପାଇଁ ଆଜି ତାରିଖ ଧାର୍ଯ୍ୟ ହୋଇଥିଲା। ଏହି ମାମଲାରେ ପ୍ରମାଣ ଅଭାବରୁ ଏଡିଜେ-୩ ରାଜଶ୍ରୀ ମହାପାତ୍ର ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ପୂର୍ବତନ କର୍ପୋରେଟର୍‌ ଆର୍. ମୁରଲୀ ମୋହନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

Advertisment

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଢ଼ିପ ସାହିରେ ଗତ ୨୦୧୦ ଜାନୁଆରି ୧ତାରିଖରେ ଚିକେନ୍‌ ରବିଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ ପର୍ଯ୍ୟାୟ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହତ୍ୟା ମାମଲାର ସାକ୍ଷୀ ଥିବା ଚିକେନ୍‌ ରବିଙ୍କ ଭାଇ ଗଜି ଓରଫ୍‌ ଗଜେନ୍ଦ୍ର ବେହେରାଙ୍କୁ କୋର୍ଟରେ ସାକ୍ଷ୍ୟ ନଦେବା ପାଇଁ ଗତ ୨୦୧୭ ଫେବ୍ରୁଆରି ୧୯ତାରିଖରେ ଧମକ ମିଳିଥିଲା। ଏ ନେଇ ପୁଲିସ ବିଧାୟକ ରମେଶ ଓ ମୁରଲୀଙ୍କ ନାମରେ ମାମଲା ରୁଜୁ କରିଥିଲା। ଏହି ମାମଲା(ଏସ୍‌ଟି-୧୧୫/୧୭)ର ବିଚାରଣା ବେଳେ ମୋଟ ୬ଜଣ ସାକ୍ଷୀଙ୍କ ବୟାନ୍‌ ରେକର୍ଡ଼ କରାଯାଇଥିଲା। ପ୍ରମାଣ ଅଭାବ ଯୋଗୁଁ କୋର୍ଟ ବିଧାୟକ ଜେନା ଓ ମୁରଲୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ତରଫରୁ ଏପିପି ବିକ୍ରମ କୁମାର କୁଣ୍ଡୁ ଓ ମୁଦାଲାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କିଶୋର ଚନ୍ଦ୍ର ବିଷୋୟୀ, ନିର୍ମଳ ସାହୁ, ସରୋଜ ଗୌଡ଼ ମକଦ୍ଦମା ପରିଚାଳନା କରିଥିଲେ।